ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଉଜ୍ଜ୍ୱଳ ଓ ଉତ୍ଥାନ କାର୍ଯ୍ୟକ୍ରମ ଏଣିକି ମୋବାଇଲ୍ ଆପ୍ ମାଧ୍ୟମରେ ତଦାରଖ କରାଯିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାର ଦିନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ରାଜ୍ୟର ୨୧୫୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ସ୍କୁଲରେ ବିଲୀନ ହେବ। ଏହି ବିଦ୍ୟାଳୟଗୁଡ଼ିକୁ ରାଜ୍ୟର ୧୯୫୪ଟି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ମିଶାଇ ଦିଆଯିବ। ଜିଲ୍ଲାସ୍ତରୀୟ କମିଟିଗୁଡ଼ିକ ରାଜ୍ୟ କମିଟିକୁ ରିପୋର୍ଟ ପ୍ରଦାନ କରିବା ପରେ ଏଭଳି ନିଷ୍ପତ୍ତି ହୋଇଛି। ତାଲିକାରେ ଜଗତ୍ସିଂହପୁର ଜିଲ୍ଲାର ସର୍ବାଧିକ ୧୬୨ଟି ବିଦ୍ୟାଳୟ ଥିବା ବେଳେ ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୧୫ଟି ଲେଖାଏ ସ୍କୁଲ ରହିଛି। ଯୋଜନା ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୧୦୦ ମିଟରରୁ କମ୍ ଓ ଅଧିକ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସ୍କୁଲରେ ମିଶାଯିବ। ଏନେଇ ଗତ ଦେଢ଼ ବର୍ଷ ହେଲା ପ୍ରକ୍ରିୟା ଚାଲିଛି। ଆସନ୍ତା ୩ ମାସ ମଧ୍ୟରେ କିଭଳି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯିବ ସେନେଇ ଆଲୋଚନା କରାଯାଇଛି।
ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୧୫୨ଟି ବିଦ୍ୟାଳୟ ମଧ୍ୟରୁ ୫୭୭ଟି ଗୋଟିଏ କ୍ୟାମ୍ପସରେ ରହିଥିବା ବେଳେ ୧୦୦୯ଟି ସ୍କୁଲ ୧୦୦ ମିଟର ତଥା ଏହାଠାରୁ କମ୍ ଦୂରତାରେ ରହିଛି। ୫୬୬ଟି ବିଦ୍ୟାଳୟ ୧୦୦ ମିଟରରୁ ଅଧିକ ଦୂରତାରେ ଥିବା ଜଣାପଡ଼ିଛି।
ସେହିଭଳି ମଧ୍ୟାହ୍ନଭୋଜନ ଓ ଆଧାର ପଞ୍ଜୀକରଣ କାର୍ଯ୍ୟ ନେଇ ମଧ୍ୟ ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ବିଦ୍ୟାଳୟଗୁଡ଼ିକ କିଭଳି ନିର୍ଦ୍ଧାରିତ ଓ ନିୟମିତ ଭାବେ ମଧ୍ୟାହ୍ନଭୋଜନ ମ୍ୟାସେଜ୍ ପଠାଇବେ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ବିଦ୍ୟାଳୟ ଆସୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣ ଏପର୍ଯ୍ୟନ୍ତ ହୋଇ ନାହିଁ। ତେଣୁ ଶତ ପ୍ରତିଶତ ସଫଳତା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷା, ଗୋଟିଏ ରଙ୍ଗ ଓ ବଡ଼ ଅକ୍ଷରରେ ଲେଖିବାକୁ ୪ ଦିନ ତଳେ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ଯେତେଶିଘ୍ର ସମ୍ଭବ ନାମ ଫଳକ ପରିବର୍ତନ କରିବାକୁ କୁହାଯାଇଛି। ନାମଫଳକ ଓଡ଼ିଆରେ ଲେଖାଯିବା ପରେ ତଳ ଧାଡ଼ିରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷାରେ ବିଦ୍ୟାଳୟ ନାମ ଛୋଟ ଅକ୍ଷରରେ ଲେଖିବେ। ବୈଠକରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ସମେତ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶକ, ଓପେପା, ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ।