ସ୍କୁଲରେ ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ

ଏମ୍‌ଏଚ୍‌ଆରଡିକୁ ପ୍ରସ୍ତାବ ଦେବ ଏନ୍‌ସିଇଆରଟି , ସାମାଜିକ ଦୂରତ୍ବକୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ବର : ସ୍କୁଲ ଖୋଲିବା ପରେ ବିଦ୍ୟାଳୟଗୁଡ଼ିକରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ କରାଯିବ। ଅଯୁଗ୍ମ ତାରିଖ‌ରେ ଅଯୁଗ୍ମ ରୋଲ୍‌ନମ୍ବର ଥିବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ। ସେହିପରି ଯୁଗ୍ମ ତାରିଖରେ ଯୁଗ୍ମ ରୋଲ୍‌ନମ୍ବର ଥିବା ଛାତ୍ରଛାତ୍ରୀ ସ୍କୁଲକୁ ଆସି ପାଠ ପଢ଼ିବେ। ବର୍ତ୍ତମାନ ସମୟରେ ଦେଶର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏନ୍‌ସିଇଆରଟି (ନ୍ୟାସନାଲ କାଉନସିଲ୍‌ଅଫ୍‌ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ପକ୍ଷରୁ ଏଭଳି ପରିକଳ୍ପନା କରାଯାଇଛି। ଲାଗୁ ହେବା ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(ଏମ୍‌ଏଚ୍‌ଆରଡି) ଅନୁମୋଦନ ଲାଗି ତାହାକୁ ପଠାଯିବ ବୋଲି ଏନସିଇଆରଟି ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସ୍କୁଲରେ ଅଡ୍‌ଇଭିନ୍‌ଯୋଜନା ଲାଗୁ କରିବାକୁ ଏକ ଗାଇଡ୍‌ଲାଇନ୍‌ପ୍ରସ୍ତୁତ କରାଯାଉଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ରୂପ ନେବା ପରେ ଅନୁମୋଦନ ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ପଠାଯିବ। ସେଠାରୁ ଅନୁମତି ମିଳିବା ପରେ ଗାଇଡ୍‌ଲାଇନ୍‌କୁ ସମସ୍ତ ରାଜ୍ୟକୁ ପଠାଯିବ। ଗାଇଡ୍‌ଲାଇନ୍‌ରେ ଯାହା ଉଲ୍ଲେଖ ରହିଥିବ, ରାଜ୍ୟ ସରକାର ଚାହିଁଲେ ସେଥିରେ ସଂଶୋଧନ କରି ଲାଗୁ କରିପାରିବେ। ଏହି ବ୍ୟବସ୍ଥାରେ ସାମାଜିକ ଦୂରତ୍ବ ମୂଳ ଆଧାର ରହିବ। ଯେବେ ବି ସ୍କୁଲ ଖୋଲିବ, ପ୍ରଥମେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି। ପିଲାମାନେ ଯେଉଁ ଦିନ ସ୍କୁଲ ଆସିବେ, ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କୁ ପଢ଼ାଇବେ। ପିଲାମାନେ ଯାହା ଶିକ୍ଷା ଗ୍ରହଣ କରିବେ, ତାହାକୁ ପରଦିନ ଘରେ ରହି ପଢ଼ିବେ। ଗାଇଡ୍‌ଲାଇନ୍‌ରେ ସ୍କୁଲ ମ୍ୟାନେଜ୍‌ମେଣ୍ଟ, ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ପରୀକ୍ଷା ପାଇଁ ମଧ୍ୟ ଏକ ଗାଇଡ୍‌ଲାଇନ୍‌ଆଣିବାକୁ ଏନ୍‌ସିଇଆରଟି ଯୋଜନା ପ୍ରସ୍ତୁତ କରୁଥିବା ଶ୍ରୀ ସେନାପତି ସୂଚନା ଦେଇଛନ୍ତି।

ଅଡ୍‌ ଇଭିନ୍‌ବ୍ୟବସ୍ଥା ସହ ଆଉ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ବି ଯୋଜନା ପ୍ରସ୍ତୁତ ହୋଇଛି। ସପ୍ତାହ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସିବାକୁ କୁହାଯିବ। ଗୋଟିଏ ସପ୍ତାହରେ ଯୁଗ୍ମ ଓ ଅନ୍ୟ ସପ୍ତାହରେ ଅଯୁଗ୍ମ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ। ଏହାଦ୍ବାରା ପିଲାଙ୍କ ସଂଖ୍ୟା କମିବା ସହ ସାମାଜିକ ଦୂରତ୍ବ ରହିପାରିବ। ସେହିପରି ଯେଉଁ ବିଦ୍ୟାଳୟଗୁଡ଼ିକର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ଏବଂ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦେଉଛନ୍ତି, ସେମାନେ ଚାହିଲେ ପୂର୍ବଭଳି ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇ ପାରିବେ।

ସମ୍ବନ୍ଧିତ ଖବର