ପୂଜା ଛୁଟି ପରେ ରାଜ୍ୟରେ ସ୍କୁଲ ଖୋଲିବ କି? ସରକାରୀସ୍ତରରେ ଆରମ୍ଭ ହେଲାଣି ସଜବାଜ !

ବିଦ୍ୟାଳୟର ପରିସରକୁ ସଫେଇ ଓ ଭିତ୍ତିଭୂମି ସଜାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ  ଲାଗି ପ୍ରାୟ ୭ ମାସ ହେବ ବନ୍ଦ ଥିବା ସ୍କୁଲଗୁଡ଼ିକ ପୂଜା ଛୁଟି ପରେ ଖୋଲିପାରେ। ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସ୍କୁଲଗୁଡ଼ିକ ପୂଜାଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ଏ ଦିଗରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ରାଜ୍ୟ ସରକାର ସ୍କୁଲଗୁଡ଼ିକର ଭିତ୍ତଭୂମି ସଜାଡ଼ିବା, ଶିକ୍ଷକମାନଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବା ଓ ମଧ୍ୟାହ୍ଣ ଭୋଜନ ରୋଷେୟାଙ୍କ ପାଉଣା ପ୍ରଦାନ କରିବା ଆଦି ପଦକ୍ଷେପ ଏ ‌ଦିଗରେ ସଙ୍କେତ ଦେଉଛି।

ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏକ  ଆକ୍ସନ ପ୍ଲାନ ପ୍ରସ୍ତୁତି କରିଛି | ସ୍କୁଲ ଗୁଡିକ ୬ ମାସ ଧରି ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତ୍ତିଭୂମି ସଜାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ହେଡ଼କ୍ୱାର୍ଟର ଛାଡି ନ ଯିବାକୁ କୁହାଯାଇଛି | ସ୍କୁଲଗୁଡ଼ିକୁ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି | ଏହାର ଉଲ୍ଲଂଘନ କଲେ  ଗୁରୁତର ସହିତ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ପାଉଣା ବାବଦରେ ୩୧କୋଟି ୮୧ଲକ୍ଷ ୫୮ହଜାର ୪୦୦ ଟଙ୍କା ମଞ୍ଜୁରୀ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ | ଏଭଳି ନିର୍ଦେଶାବଳୀରୁ ଖୁବଶୀଘ୍ର ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କରୁଛନ୍ତି ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, କୋଭିଡ-୧୯ ଯୋଗୁଁ ଦୀର୍ଘ ୬ମାସରୁ ଅଧିକ ସମୟ ହେବ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍କୁଲଗୁଡ଼ିକ ପୂଜା ଛୁଟି ଯାଏଁ ବନ୍ଦ ରହିବ ।

ଉଲ୍ଲେଖଯୋଗ୍ୟ ଯେ, କରୋନା ପାଇଁ କଟକଣା ଲାଗୁ ହେବା ପରେ ରାଜ୍ୟ ସରକାର ବିଦ୍ୟାଳୟ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମାର୍ଚ୍ଚ ୧୭ ତାରିଖଠାରୁ ବନ୍ଦ ରଖିଛନ୍ତି ।

ସମ୍ବନ୍ଧିତ ଖବର