ଜୁନ୍‌ ୧୭ରେ ଖୋଲିବନି ସ୍କୁଲ

ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ନେଇ ଦ୍ୱନ୍ଦ୍ୱ‌, ଆଶଙ୍କାରେ ଯୁକ୍ତ୩ ‌ଷଷ୍ଠ ସେମିଷ୍ଟର ପରୀକ୍ଷାର୍ଥୀ

ଭୁବନେଶ୍ବର : ଜୁନ୍‌ ୧୭ରେ ଖୋଲିବନି ସ୍କୁଲ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଜୁଲାଇ ପହିଲା ପରେ ସ୍ଥିତି ଅନୁଧ୍ୟାନ କରାଯାଇ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ। ‌ଏହି ସମୟ ମଧ୍ୟରେ କୌଣସି ବି ସରକାରୀ, ଘରୋଇ, ଆବାସିକ ବିଦ୍ୟାଳୟ ଖୋଲାରହିବ ନାହିଁ। ତେବେ ବିଦ୍ୟାଳୟଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇପାରିବେ ବୋଲି ଶ୍ରୀ ଦାଶ ଆଜି ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଜାରି ରହିଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଆଜି ଶେଷ ହୋଇଛି। ସୋମବାରଠାରୁଠାରୁ ଅନଲକ୍-୧ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୧ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସ୍କୁଲ, କଲେଜ, ତାଲିମ/କୋଚିଂ ସଂସ୍ଥା ଆଦି ଖୋଲିବା ନେଇ ଜୁଲାଇରେ ନିଷ୍ପତ୍ତି ହେବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟମାନଙ୍କ ସହ ଆଲୋଚନା ପରେ ଯାଇ ଖୋଲାଯିବ। ଶିକ୍ଷାନୁଷ୍ଠାନସ୍ତରରେ ଅଭିଭାବକ, ଅଂଶୀଦାରଙ୍କ ସହ ବିଚାରବିମର୍ଶ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ମତାମତ ଆଧାରରେ ଏସବୁ ଅନୁଷ୍ଠାନଗୁଡ଼ିକ ଖୋଲିବା ନେଇ ଜୁଲାଇରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ଓପି ପ୍ରସ୍ତୁତ କରାଯିବ।

businessinsider.in

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯିବା ପରେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ଉପରେ ଏବେ ଆଶଙ୍କା ପ୍ରକାଶ ପାଇଛି। କାରଣ ଜୁନ୍‌ ୨୦ରୁ ଯୁକ୍ତ୩(ସ୍ନାତକ) ୬ଷ୍ଠ ସେମିଷ୍ଟର ପରୀକ୍ଷା କରିବାକୁ ଗତ ମେ’ ୭ରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଅଧୀନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ୬ଷ୍ଠ ସେମିଷ୍ଟର ପରୀକ୍ଷା ଜୁନ୍‌ ୨୦ରୁ ଆରମ୍ଭ ହୋଇ ଜୁଲାଇ ୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଅଗଷ୍ଟ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ବିଭାଗ ସ୍ଥିର କରିଥିଲା। ତେବେ ଅନଲକ୍‌-୧ ଗାଇଡ୍‌ଲାଇନ୍‌ରେ ସ୍କୁଲ, କଲେଜ ଖୋଲିବା ଉପରେ କଟକଣା ଲାଗୁ ହେବା ପରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଏବେ ଆଶା ଆଶଙ୍କା‌ରେ। କାରଣ କେତେକ ବିଶ୍ବବିଦ୍ୟାଳୟ ଇତିମଧ୍ୟରେ ପରୀକ୍ଷା ତାରିଖ ବି ସ୍ଥିର କରି ସାରିଛନ୍ତି। ତେଣୁ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବ କି ନାହିଁ; ଯଦି ଘୁଞ୍ଚେ କେ‌ବେ ଯାଏ ବଢ଼ିବ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ତେବେ ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର