ଗ୍ରୀଷ୍ମ ଛୁଟି ପରେ ଖୋଲିଲା ସ୍କୁଲ : କେବେ ମିଳିବ ବ୍ୟାଗ୍‌, ଜୋତା?

୩୦ % ଛାତ୍ରଛାତ୍ରୀଙ୍କୁ ମିଳିନି ମାଗଣା ବହି

ଭୁବନେଶ୍ବର : ଗ୍ରୀଷ୍ମ ଛୁଟି ପରେ ଖୋଲିଲା ସ୍କୁଲ। ପ୍ରଥମ ଦୁଇ ଦିନ ଉପସ୍ଥାନ କମ୍‌ ରହିଥିଲେ ମଧ୍ୟ ପାଠପଢ଼ା ଆରମ୍ଭ ହୋଇଛି। ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସ‌ରେ ପୁରୁଣା ପାଠର ପୁନରାବୃତ୍ତି କରିଛନ୍ତି। ସୋମବାରଠାରୁ ନିୟମିତ କ୍ଲାସ ହେବ। ତେବେ ଏ ପର୍ଯ୍ୟନ୍ତ ପିଲାଙ୍କୁ ମିଳିନି ମାଗଣା ବ୍ୟାଗ୍‌, ପୋଷାକ ଓ ଜୋତା। ମାଗଣା ବହି ୩୦ ପ୍ରତିଶତ ସ୍କୁଲରେ ବଣ୍ଟନ ହୋଇପାରି ନାହିଁ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃତ୍ତି ଯୋଜନା(ଜିଏମ୍‌ଏସ୍‌ଏମ୍‌ୱାଇ) ଅଧୀନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ସ୍କୁଲ ବ୍ୟାଗ୍‌ େଯାଗାଇ ଦିଆଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ବହି, ଜୋତା ସମେତ ସ୍କୁଲ ୟୁନିଫର୍ମ ମିଳୁଛି। ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ନବମ ଶ୍ରେଣୀ, ସଂସ୍କୃତ ଟୋଲ ଓ ମଦ୍ରାସାରେ ପଢ଼ୁ୍‌ଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ପ୍ରଦାନ କରିବାକୁ କାମଚଳା ବ‌ଜେଟ୍‌ରେ ୨୩୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ଫେବ୍ରୁଆରିରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ପ୍ରଦାନ କରିବେ ବୋଲି ବି ଘୋଷଣା କରିଥିଲେ।

ଗତ ଏପ୍ରିଲ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଛି। ସେତେବେଳେ ୧୭ ଦିନର ପାଠପଢ଼ା ପରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ହୋଇଥିଲା। ଦୁଇ ମାସ ୪ ଦିନ ପରେ ସ୍କୁଲ ଖୋଲିଛି। ତା’ପରେ ବି ପିଲାଙ୍କ ନିକଟରେ ପହଞ୍ଚି ପାରିନି ପୋଷାକ, ବ୍ୟାଗ୍‌ ଓ ଜୋତା। କେବେ ପହଞ୍ଚିବ, ସେନେଇ କାହା ପାଖରେ ଉତ୍ତର ନ‌ାହିଁ।

କେବଳ ସେତିକି ନୁେହଁ, ୭୦ ପ୍ରତିଶତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ମିଳି ସାରିଥିବା ବେଳେ ଆଉ କିଛି ସ୍ଥାନରେ ବଣ୍ଟନ ହୋଇପାରିନାହିଁ। ଏବେ ବି ବିନା ବହିରେ ପିଲା ସ୍କୁଲ ଯାଉଛନ୍ତି।

ବାତ୍ୟା ‘ଫନି’ରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଯେଉଁ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ନଷ୍ଟ ହୋଇଛି, ସେମାନଙ୍କୁ ପୁଣିଥରେ ମାଗଣା ବହି ଦିଆଯିବ କି ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଏପଟେ ବାତ୍ୟାର ଦୁଇ ମାସ ପରେ ବି ସ୍କୁଲଗୁଡ଼ିକର କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ହସ୍ତଗତ ‌ହୋଇନଥିବାରୁ ଗତ ସପ୍ତାହରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂରେ ବିଭାଗୀୟ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ।

ବିଭାଗ ସୂଚାଇଛି, ଅଗଷ୍ଟ ୧୫ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ମାଗଣା ପୋଷାକ ବଣ୍ଟନ ହେବ। ଯଦି ବିଭାଗର କଥା ସତ ହୁଏ, ତେବେ ଆହୁରି ପ୍ରାୟ ଦୁଇ ମାସ ବିନା ୟୁନିଫର୍ମରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବେ। ସେପଟେ ମାଗଣା ବ୍ୟାଗ୍‌ ଓ ଜୋତା ବଣ୍ଟନ ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। କେବେଠାରୁ ବଣ୍ଟନ ଆରମ୍ଭ ହେବ? ‌କେବେ ସୁଦ୍ଧା ପିଲାଙ୍କୁ ମିଳିବ? ସେନେଇ କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବ୍ୟାଗ୍‌ ବଣ୍ଟନ ସଂକ୍ରାନ୍ତ ପ୍ରସ୍ତାବ ଅର୍ଥ ବିଭାଗର ଅନୁମୋଦନ ଲାଗି ପଠାଯାଇଛି। ସେଠାରୁ ଅନୁମତି ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର