ପୁରୀ : ପୁଣି ହସିଲା ‘ସ୍କୁଲ କ୍ୟାମ୍ପସ୍‌’

ପିଲା କହିଲେ ଲକ୍‌ଡାଉନ୍‌ ଅନୁଭୂତି
ଆତ୍ମୀୟତା ଭରିଲେ ଶିକ୍ଷକ ଶିକ୍ଷୟିତ୍ରୀ
ଭାରାକ୍ରାନ୍ତ ମନକୁ ହାଲ୍‌କା କଲା ‘କାଉନ୍‌ସେଲିଂ କ୍ଲାସ୍‌’

ପୁରୀ, (ସତ୍ୟ ନାରାୟଣ ରାଉତରାୟ): ଯେବେଠୁ ସ୍କୁଲ୍‌ ଖୋଲିବା ଖବର କାନରେ ପଡ଼ିଛି, ଘରେ ଆଉ ମନ ଲାଗୁନଥିଲା। ହାର୍ଟବିଟ୍‌ ବଢ଼ିଯାଇଥିଲା। ଗୋଟେ ଘଣ୍ଟା ଗୋଟେ ଦିନ ଭଳି ମନେ ହେଉଥିଲା। ଇଚ୍ଛା ହେଉଥିଲା, ଏଇନେ ସମୟ ସରିଯାଆନ୍ତା କି? କାଲି ରାତିରୁ ବି ସେଇ ଅବସ୍ଥା। ଆଖିକୁ ନିଦ ନଥିଲା। ସକାଳ ହେବା କ୍ଷଣି, ଟ୍ୟୁସନ ଯାଇଥିଲୁ ସିନା ସେଠି ବି ମନ ଲାଗୁନଥିଲା ବୋଲି କହିଛନ୍ତି ଭୋଳାନାଥ ବିଦ୍ୟାପୀଠର ଛାତ୍ରୀ ଚିକୁନି ଦାସ। ଦୀର୍ଘ ୧୦ ମାସ ପରେ ସ୍କୁଲ୍‌ ଖୋଲୁନ ଥିଲା ଯେ କୋଟିନିଧି ମିଳିଗଲା ପରି ଲାଗୁଥିଲା। ଟ୍ୟୁସନରୁ ଫେରି ଗାଧୋଇପାଧୋଇ ସ୍କୁଲ୍‌ ଯିବା ପାଇଁ ଡ୍ରେସ୍‌ ପିନ୍ଧିବା ବେଳକୁ ଝିଅର ତରବରିଆ ସ୍ବଭାବ ଦେଖି ତାଙ୍କ ମା’ ଚୁଟି କୁଣ୍ଡେଇ ଦେଉଥିଲେ। ଖୁଆଇ ଦେଉଥିଲେ। ବ୍ୟାଗ୍‌ ବି ସଜାଡ଼ି ଦେଉଥିଲେ। ମା’ ବାପାଙ୍କୁ ବି ଲାଗୁଥିଲା ଯେମିତି ଝିଅ ତାଙ୍କର ନୂଆକରି ସ୍କୁଲ୍‌ ଯାଉଛି। ଖାଲି ଚିକୁନି ନୁହଁନ୍ତି, ତାଙ୍କ ଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ମନ ଯେମିତି ଗଗନ ପବନରେ ଉଡ଼ୁଥିଲା। ଚିରାଚରିତ ଭାବେ ସ୍କୁଲ୍‌ ୧୦ଟାରେ ଆରମ୍ଭ ହେବାର ଥିଲା। ମାତ୍ର ଅନେକ ୯ଟାରେ ଆସି ସ୍କୁଲ୍‌ ଗେଟ୍‌ ପାଖେ ପହଞ୍ଚି ଯାଇଥିଲେ। ସ୍କୁଲ୍‌ ଫାଟକ ଡେଇଁବା ମାତ୍ରେ ସଭିଙ୍କ ମୁହଁରୁ ଉବୁକି ଆସୁଥିଲା ଚେନା ଚେନା ହସ। ଲାଗୁଥିଲା ଯେମିତି ସ୍କୁଲ୍‌ ପରିବେଶରେ ହଠାତ୍‌ ପରିମାନଙ୍କ ସମାଗମ ହୋଇଯାଇଛି। ସ୍କୁଲ୍‌ ପରିବେଶ ବି ଯେମିତି ତା’ ପିଲାମାନଙ୍କୁ ଏତେ ଦିନପରେ କୋଳରେ ପାଇ ବିଭୋର ହୋଇ ଯାଉଥିଲା। ଛାତ୍ରଛାତ୍ରୀମାନେ ସାଙ୍ଗମାନଙ୍କୁ ଦେଖି କୁଣ୍ଢେଇ ପକାଇବାକୁ ଇଚ୍ଛା କରୁଥିଲେ। କିନ୍ତୁ କରୋନା ସେଥିରେ ରୋକ୍‌ ଲଗାଇ ଦେଇଥିଲା।

ଦୀର୍ଘ ୧୦ ମାସ ପରେ ସ୍କୁଲ୍‌ ସାଙ୍ଗ, ସ୍କୁଲ୍‌ର ପରିବେଶ ଯେମିତି ନୂଆ ନୂଆ ଲାଗୁଥିଲା। କୋଭିଡ୍‌ରେ ସଂକ୍ରମିତ ହେବାର ଭୟ ଥିଲା। ବାପା ମା’ମାନେ କୁନ୍ଥୁକୁନ୍ଥୁ ହେଉଥିଲେ। ଅଥଚ ପିଲାମାନେ ଥିଲେ ନଛୋଡ଼ବନ୍ଧା। ଆଜି ଯେମିତି ସେମାନଙ୍କୁ ସ୍କୁଲ୍‌ ଯିବା ବାଟରେ କେହି ବାଧକ ହୋଇପାରିବେନି। ଏଇ କଥାଟି କାନିରେ ଗଣ୍ଠି କରିସାରିଥିଲେ ପିଲାଏ। ବାଟରେ ଆସିବା ବେଳେ ସାଙ୍ଗମାନେ ଭେଟ ହୋଇଯାଉଥିବା ବେଳେ କଥାର ଡୋର ଲମ୍ବି ଚାଲିଥିଲା। ଉତୁରି ଆସୁଥିଲା ଆବୁରୁଜାବୁରୁ ପ୍ରଶ୍ନ। କରୋନାରେ କ’ଣ କରୁଥିଲୁ? ତୋତେ କୋଭିଡ୍‌ ହୋଇ ନଥିଲା ତ? ଲକଡାଉନ୍‌ରେ ପାଠ ପଢ଼ାପଢ଼ି କରୁଥିଲୁ କି? ସ୍କୁଲ୍‌ର ଅନଲାଇନ୍‌ କ୍ଲାସ୍‌ରେ ଭାଗ ନେଇଥିଲୁ କି? କେତେ କୋର୍ସ ସାରିଲୁଣି? ସାଙ୍ଗ ସହ କଥାବାର୍ତ୍ତା ବେଳେ ବି ଯେମିତି ସମୟ ନିଅଣ୍ଟ ପଡ଼ୁଥିଲା।

ଶେଷରେ ଦୀର୍ଘ ୧୦ ମାସର ବ୍ୟବଧାନ ପରେ କାନରେ ପଡ଼ିଥିଲା ସ୍କୁଲ୍‌ ଘଣ୍ଟିର ଟିନ୍‌ ଟିନ୍‌ ଶବ୍ଦ। ତେବେ ଆଜି ପାଠ ନୁହେଁ, ବରଂ ପିଲାଙ୍କ ଭାରାକ୍ରାନ୍ତ ମନକୁ ହାଲ୍‌କା କରିବାକୁ ଆରମ୍ଭ ହୋଇଥିଲା ‘କାଉନ୍‌ସେଲିଂ କ୍ଲାସ୍‌’। ପିଲାମ‌ାନେ ନିଜର କରୋନା ଲକ୍‌ଡାଉନ କାଳୀନ ଅନୁଭୂତି କହୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ ଏକ ଆତ୍ମୀୟତାର ପରିବେଶ ସୃଷ୍ଟି କରିବାକୁ ତତ୍ପର ଥିଲେ।

ସମ୍ବନ୍ଧିତ ଖବର