ବଦଳିଲା ନିଷ୍ପତ୍ତି; ଆଜିଠୁ ଖୋଲିବ ସ୍କୁଲ୍‌

ଗଣଶିକ୍ଷା ବିଭାଗରେ ଚାଲିଛି କ’ଣ?, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ରହୁନି ତାଳମେଳ!

ଭୁବ‌ନେଶ୍ବର : ବଦଳିଲା ନିଷ୍ପତ୍ତି। ଜୁନ୍‌ ୨୬ ନୁହେଁ, ଜୁନ୍‌ ୨୧ (ଶୁକ୍ରବା‌ର) ଖୋଲିବ ସ୍କୁଲ। ସମସ୍ତ ସରକାରୀ ବିଦ୍ୟାଳୟ ସମେତ ଅନୁଦାନପ୍ରାପ୍ତ, ଘରୋଇ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶୁକ୍ରବାରଠାରୁ କ୍ଲାସ ଆରମ୍ଭ ହେବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ଘରୋଇ ବିଦ୍ୟାଳୟଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ କ୍ଲାସ କରିବେ।

ଗ୍ରୀଷ୍ମ ପ୍ରବାହ କମିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଫେଇ ଦିଆଯାଇଛି। ତେବେ ବିଭାଗର ଏଭଳି ଖାମଖିଆଲି ନିଷ୍ପତ୍ତିକୁ ଶିକ୍ଷକମାନେ ପ୍ରବଳ ବିରୋଧ କରିଛନ୍ତି। ଅଭିଯୋଗ ହେଉଛି ଯେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ବାରମ୍ବାର ନିଷ୍ପତ୍ତି ପରିବର୍ତନ ଦ୍ବାରା ଶିକ୍ଷକ/ଶିକ୍ଷୟିତ୍ରୀମାନେ ହଇରାଣ ହେଉଛନ୍ତି। ନିଜ ସୁବିଧା ଓ ସ୍ବାର୍ଥ ଲାଗି ବିଭାଗୀୟ ଅଧିକାରୀ ଶିକ୍ଷକମାନଙ୍କୁ କଣ୍ଢେଇ ପରି ନଚାଉଛନ୍ତି। କେତେବେଳେ ଛୁଟି ଘୁଞ୍ଚାଇ ଦିଆଯାଉଛି ତ କେତେବେଳେ ଆଗୁଆ ଖୋଲିବାକୁ ନିର୍ଦେଶ ଦେଉଛନ୍ତି। ଏହା ଫଳରେ ଦୂରଦୂରାନ୍ତରରେ ଚାକିରି କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

୧୯ ତାରିଖରେ ସ୍କୁଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀ ଗତ ୧୮ ତାରିଖରେ ସ୍କୁଲରେ ପହଞ୍ଚି ଯାଇଥିଲେ। ସେଦିନ ସନ୍ଧ୍ୟାରେ ସ୍କୁଲ ଛୁଟି ବଢ଼ାଯିବା ଦ୍ବାରା ସେମାନେ ପୁଣିଥରେ ଘରକୁ ଫେରି ଆସିଥିଲେ। ତେବେ ଶୁକ୍ରବାର ସ୍କୁଲ ଖୋଲିବ ବୋଲି ଆଜି ଘୋଷଣା କରାଯାଇଥିବାରୁ ଏବେ ହଇରାଣ ହୋଇ ପୁଣିଥରେ ସେମାନଙ୍କୁ ସ୍କୁଲରେ ପହଞ୍ଚିବାକୁ ପଡ଼ିବ। ନ ହେଲେ କାର୍ଯ୍ୟାନୁଷ୍ଠାନ ଭୟ ବି ରହିଛି। ବିଭାଗୀୟ ଅଧିକାରୀମାନଙ୍କର ଦୂରଦୃଷ୍ଟି ଅଭାବରୁ ହଜାର ହଜାର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିବ ବୋଲି ଶିକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ବଡ଼ କଥା ହେଉଛି ଯେ ସ୍କୁଲ ଖୋଲିବାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଏବେ ଶୀତଳଯୁଦ୍ଧ ଚାଲିଥିବା ଚର୍ଚ୍ଚା ଜୋର୍‌ ଧରିଛି। ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଉଭୟ ପରସ୍ପର ସହ ଆଲୋଚନା କରୁନଥିବା ଗତ ୧୮ ତାରିଖ ଘଟଣାରୁ ସ୍ପଷ୍ଟ ହୋଇଛି। ଉକ୍ତ ଦିନ ମନ୍ତ୍ରୀ ସମୀର ଦାଶ ଅପରାହ୍‌ଣ ୩ଟା ୨୦ରେ ଗଣମାଧ୍ୟମ‌କୁ ସୂଚନା ଦେଇ କହିଥିଲେ ଯେ ୧୯ରେ ସ୍କୁଲ ଖୋଲିବ। ଏହାର ଦୁଇ ଘଣ୍ଟା ପରେ ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଲେ ୨୫ ଯାଏ ଛୁଟି ଘୁଞ୍ଚିଲା। ଜୁନ୍‌ ୨୬ରେ ସ୍କୁଲ ଖୋଲିବ। ଦୁଇ ଦିନ ବିତିନି ଆଜି ସକାଳୁ ମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମକୁ ପୁଣି କହିଲେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟିକୁ ୨୫ ତାରିଖ ଯାଏ ବୃଦ୍ଧି କରାଯାଇଥିଲା। ଏବେ ପାଗରେ ପରିବର୍ତନ ଆସିଛି। ବହୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ବର୍ଷା ବି ହେଉଛି। ‌ତାହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ସ୍କୁଲ ଖୋଲିବ। ମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମରେ ସୂଚନା ଦେବାର ଦୁଇ ଘଣ୍ଟା ଭିତରେ ବିଭାଗୀୟ ସଚିବ ଶ୍ରୀ ମହାପାତ୍ରଙ୍କ ନିର୍ଦେଶରେ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଗଲା।

ବିଭାଗ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ ବାତ୍ୟା ପ୍ରଭାବିତ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅଧିକାଂଶ ମରାମତି ହୋଇପାରିନି। ଏଥିପାଇଁ ସମୟ ଲାଗିବ। ତେଣୁ ଯେଉଁ ବିଦ୍ୟାଳୟଗୁଡ଼ିକର ଗୃହ ମରାମତି ହୋଇନଥିବ, ସେଠାକାର ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିକଟସ୍ଥ ବିଦ୍ୟାଳୟ ନଚେତ୍‌ ବାତ୍ୟା ଆଶ୍ରୟସ୍ଥଳୀରେ କରାଯିବ। ଯେତେଶୀଘ୍ର ସମ୍ଭବ ବିଦ୍ୟାଳୟ ଗୃହ ମରାମତି ଦିଗରେ ପଦକ୍ଷେପ ନିଆଯିବ। ୨୮ ତାରିଖରେ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ କରାଯିବ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କିଭଳି ସୁରକ୍ଷିତ ଭାବେ ଶିକ୍ଷା ଦିଆଯିବ, ବାତ୍ୟା ଭୟ ମନରୁ ଦୂର କରିବା ଆଦି ବିଷୟରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର