୫୦% କର୍ମଚାରୀରେ ଚାଲିବ ସ୍କୁଲ

ଜିଲ୍ଲାପାଳଙ୍କ ଅନୁମତି ପରେ ଛୁଟି ମିଳିବ
ଅନ୍‌ଲାଇନ୍‌ ପାଠପଢ଼ା ନେଇ ସ୍ପଷ୍ଟ କରିନି ଗଣଶିକ୍ଷା ବିଭାଗ

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ଆଜିଠାରୁ ବନ୍ଦ ହୋଇଛି। ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ବନ୍ଦ ରହିଥିବା ବେଳେ ଆଜି ସୁଦ୍ଧା ସେମାନେ ହଷ୍ଟେଲ ଛାଡ଼ିଛନ୍ତି। ତେବେ ଶିକ୍ଷକ ଶିକ୍ଷୟିତ୍ରୀ କିଭଳି କାର୍ଯ୍ୟ କରିବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଏନେଇ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଗଣଶିକ୍ଷା ବିଭାଗ ଆଜି ନିର୍ଦେଶନାମା ଜାରି କରିଛି। ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ୫୦% ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ। ଶିକ୍ଷକ ଶିକ୍ଷୟିତ୍ରୀ ପାଳି କରି ବିଦ୍ୟାଳୟକୁ ଆସିବେ। କିଏ କେଉଁଦିନ ଆସିବେ ସେନେଇ ଶିକ୍ଷାନୁଷ୍ଠାନ ମୁଖ୍ୟ ନିଷ୍ପତ୍ତି ନେବେ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଏସମ୍ପର୍କିତ ଡ୍ୟୁଟି ଚାଟ୍‌ ପ୍ରସ୍ତୁତ କରିବେ। ବିଦ୍ୟାଳୟକୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମୟରେ ଛାତ୍ରଛାତ୍ରୀଙ୍କ ନାମଲେଖା, ପାଠ୍ୟପୁସ୍ତକ ବଣ୍ଟନ, ମଧ୍ୟାହ୍ନଭୋଜନ ପରିଚାଳନା ଆଦି କାର୍ଯ୍ୟ କରିବେ। ସମୟ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କର୍ମଚାରୀ ଛୁଟି ନେବାକୁ ଚାହିଁବେ ତେବେ ତା‌ଙ୍କୁ ଶିକ୍ଷାନୁଷ୍ଠାନ/ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)/ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ଜରିଆରେ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଏଥିରେ ଯଦି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ତେବେ ତାହାକୁ ଗୁରୁତ୍ବର ସହ ନିଆଯିବ।

ପ୍ରକାଶିତ ବିଜ୍ଞପ୍ତିରେ ପିଲାଙ୍କ ପାଠପଢ଼ା ନେଇ କୌଣସି ସୂଚନା ଦିଆଯାଇ ନାହିଁ। ପିଲାଙ୍କ ପାଠପଢ଼ା ନ ଥିବାରୁ ଶିକ୍ଷକମାନଙ୍କ ଡ୍ୟୁଟି କେତେ ଘଣ୍ଟା ହେବ ତାହା ବି କିଛି ସ୍ପଷ୍ଟ କରାଯାଇ ନାହିଁ। ୯ମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲୁଥିବା ବେଳେ ହାଇସ୍କୁଲ ଶିକ୍ଷକମାନଙ୍କ ଡ୍ୟୁଟି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଥିଲା। ଏବେ ପାଠପଢ଼ା ବନ୍ଦ ହୋଇଥିବାରୁ ପୂର୍ବ ନିଷ୍ପତ୍ତି ବଳବତ୍ତର ରହିବ ନା ପୂର୍ବାହ୍ନ ୧୦ଟାରୁ ୪ଟା ଯାଏ ଚାଲିବ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ଡ୍ୟୁଟି କିଭଳି ରହିବ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ଏଭଳି ସ୍ଥଳରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର