ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଛତୁ ଫୁଟିଲା ଭଳି ଦିନକୁ ଦିନ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ୍ଠାରୁ ଆରମ୍ଭ କରି ଶିଶୁମନ୍ଦିର ଭଳି ସ୍କୁଲ୍ ବଢିଚାଲିଛି। ଜିଲ୍ଲାରେ ୧୩୦ରୁ ଅଧିକ ଘରୋଇ ସ୍କୁଲ ଥିବାବେଳେ, ସେମାନଙ୍କ ମଧ୍ୟରୁ ୪୧ଟି ସ୍କୁଲ ବିନା ନୋ-ଅବ୍ଜେକ୍ସନ ସାର୍ଟିଫିକେଟ (ଏନ୍ଓସି)ରେ ଚାଲିଛି। ଅର୍ଥାତ୍ ଏହି ସବୁ ଶିକ୍ଷାନୁଷ୍ଠାନଗୁଡ଼ିକ କୌଣସି ବି ପରିସ୍ଥିତିରେ ପିଲାମାନଙ୍କୁ ପାଠ ପଢ଼ାଇ ପାରିବେ ନାହିଁ, ଏମାନଙ୍କ ନିକଟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। କିନ୍ତୁ ଶିକ୍ଷାକୁ ବେପାର କରିଥିବା କିଛି ବ୍ୟବସାୟୀ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ଦୃଷ୍ଟି ନଦେଇ ଟଙ୍କା ରୋଜଗାର କରିବାରେ ମାତିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ବର୍ଷେ କି ଦୁଇ ବର୍ଷ ନୁହେଁ, ଆଠ-ଦଶ ବର୍ଷରୁ ଅଧିକ ସମୟ ଧରି ଏହି ସ୍କୁଲ୍ଗୁଡ଼ିକ ବିନା ଏନ୍ଓସିରେ ଚାଲିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଜିଲ୍ଲା ପ୍ରଶାସନ ବେଫିକର। ଯାହାର କୁପରିଣାମ ଭୋଗୁଛନ୍ତି କୋମଳମତି ଛାତ୍ରଛାତ୍ରୀ।
ଖଣ୍ଡପଡ଼ା ବ୍ଲକ୍ରେ ଏହିଭଳି ବହୁ ଏନ୍ଓସି ପାଇନଥିବା ସ୍କୁଲ୍ ରହିଥିବା ବେଳେ, ସେଠାକାର ଛାତ୍ରଛାତ୍ରୀ ଚଳିତ ବର୍ଷ ମେଧାବୃତ୍ତି ପରୀକ୍ଷାରୁ ବଞ୍ଚିତ ହୋଇଥିବା ନଜରକୁ ଆସିଛି। ଖଣ୍ଡପଡ଼ା ଓ ରଣପୁର ବ୍ଲକ୍ରେ ବିନା ଏନ୍ଓସିପ୍ରାପ୍ତ ସ୍କୁଲ୍ ସମସ୍ତ ସୀମା ଲଂଘିଛନ୍ତି। ଖୋଦ୍ ଜିଲ୍ଲା ସଦର ମହକୁମା ଅର୍ଥାତ୍ ପୌରପାଳିକାରେ ଗୋଟିଏ ସ୍କୁଲ୍ ବିନା ଏନ୍ଓସିରେ ଚାଲିଥିବା ବେଳେ, ନୟାଗଡ଼ ବ୍ଲକ୍ରେ ଏହି ଭଳି ୪ଟି ସ୍କୁଲ୍ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ମୁତାବକ, ଭାପୁର ବ୍ଲକ୍ରେ ୫ଟି ସ୍କୁଲ୍ ଏନ୍ଓସି ପାଇନଥିବା ବେଳେ, ଦଶପଲ୍ଲା ବ୍ଲକ୍ରେ ୩ଟି, ଗଣିଆରେ ୨ଟି, ନୟାଗଡ଼ ମ୍ୟୁନିସିପାଲିଟିରେ ଗୋଟିଏ ସ୍କୁଲ୍ ସମେତ ବ୍ଲକ୍ରେ ୪ଟି, ନୂଆଗାଁରେ ୨ଟି, ଓଡ଼ଗାଁରେ ୪ଟି, ରଣପୁର ବ୍ଲକ୍ରେ ୧୦ଟି ଏହି ଭଳି ସ୍କୁଲ୍ ଥିବା ବେଳେ; ଖଣ୍ଡପଡ଼ା ବ୍ଲକ୍ରେ ୧୦ଟି ଓ ଏନ୍ଏସିରେ ଗୋଟିଏ ଏଭଳି ସ୍କୁଲ୍ ରହିଛି।
ଶିକ୍ଷା ଅଧିକାର ଆଇନ ୨୦୦୯, ଧାରା ୧୯ ଓ ୨୫ ଅନୁଯାୟୀ, ଘରୋଇ ଭାବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ହେଲେ ୧୦୦ ଛାତ୍ରଛାତ୍ରୀଙ୍କ ପାଇଁ ୫ ଜଣ ଶିକ୍ଷକଙ୍କ ସମେତ ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତ ହେବେ। ଷଷ୍ଠରୁ ଅଷ୍ଟମ ଶେଣୀ ଘରୋଇ ବିଦ୍ୟାଳୟରେ ପ୍ରତ୍ୟେକ ବିଷୟ ପାଇଁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି କରିବାକୁ ବାଧ୍ୟ। ଏଭଳି ସ୍କୁଲ୍ରେ ଶହେରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଲେ ପାଠ୍ୟପୁସ୍ତକ ଶିକ୍ଷକ ବ୍ୟତୀତ ଜଣେ ପିଇଟି ଓ ଜଣେ ଆର୍ଟ ଟିଚର୍ ରହିବେ। ସେହିଭଳି ସ୍କୁଲ୍ରେ ଲାଇବ୍ରେରି ସ୍ଥାପନା ସହ ଖେଳପଡ଼ିଆ, ପାଚେରି ଆଦି ରହିବା ବାଧ୍ୟତାମୂଳକ। କିନ୍ତୁ ଏହିଭଳି ସମସ୍ତ ନିୟମକୁ ଉଲ୍ଲଂଘନ କରି ଘରୋଇ ସ୍କୁଲ୍ଗୁଡ଼ିକ ଚାଲିଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ଏନ୍ଓସିରେ ଚାଲିଥିବା ସ୍କୁଲ ସଂଖ୍ୟା ୪୧ ବୋଲି ଦର୍ଶାଯାଉଥିବା ବେଳେ ଏମାନଙ୍କ ସଂଖ୍ୟା ଢେର୍ ଅଧିକ। କିଛି ଚତୁର ଶିକ୍ଷା ବ୍ୟବସାୟୀ ସ୍କୁଲ୍ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ, ଅନ୍ୟ ସ୍କୁଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦିଆଉଛନ୍ତି। ଯେଉଁଥି ପାଇଁ ଅନେକ ସମୟରେ ଦ୍ବନ୍ଦ୍ବ ଉପୁଜୁଥିବା ବେଳେ, ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଛି। ଗତ ବର୍ଷ ମଧ୍ୟ ନୟାଗଡ଼ର ଜଣେ ଛାତ୍ର ଏହିଭଳି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ମେଧାବୃତ୍ତି ପାଇବାରୁ ବଞ୍ଚିତ ହେବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପର୍ଯ୍ୟନ୍ତ କଥା ଯାଇଥିଲା। ତଥାପି ବି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚେତି ନାହିଁ। ଯେଉଁଥିପାଇଁ କେତେବେଳେ ଛାତ୍ରଛାତ୍ରୀ ମେଧାବୃତ୍ତି ଭଳି ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି ତ ଆଉ କେତେବେଳେ ପରୀକ୍ଷା ଦେଇ ବୃତ୍ତି ପାଇବା ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହା ମେଧାବୀ ଛାତ୍ରଛାତ୍ରୀଙ୍କୁ ନିରୁତ୍ସାହିତ କରୁଛି। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶିବଶଙ୍କର ପ୍ରଧାନଙ୍କ ପଚାରିବାରୁ ସେ କହିଛନ୍ତି, ସରକାର ଏନ୍ଓସି ବ୍ୟବସ୍ଥା କଡ଼ାକଡ଼ି କରିଥିବାରୁ ବିନା ଏନ୍ଓସି ସ୍କୁଲର ପିଲାମାନେ ବୃତ୍ତି ପରୀକ୍ଷା ଦେଇପାରିବେ ନାହିଁ। ଜିଲ୍ଲାରେ ବିନା ଏନ୍ଓସିର ଚାଲିଥିବା ସ୍କୁଲ୍ଗୁଡ଼ିକର ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।