ସ୍କୁଲକୁ ମିଳିବ ସ୍ବର୍ଣ୍ଣ ପଦକ, ଜୁନ୍‌ ୨୬ରୁ ୪୦ ଦିନ ଯାଏ ସ୍ବତନ୍ତ୍ର ପିରିୟଡ

ଭୁବନେଶ୍ବର : ବିଦ୍ୟାଳୟରେ ଉପଯୁକ୍ତ ‌ଶୈକ୍ଷିକ ବାତାବରଣ ସୃଷ୍ଟି କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସ୍କୁଲସ୍ତରରେ ଆରମ୍ଭ ହେବ ଲର୍ଣ୍ଣିଂ ଏନ୍‌ହାନ୍‌ସମେଣ୍ଟ ପ୍ରୋଗ୍ରାମ(ଏଲ୍ଇପି) ବା ଶିକ୍ଷା ବିକାଶ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ସବିଶେଷ ଆଲୋଚନା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯିବ।

ଏଲଇପି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ଗ୍ରହଣ କରୁଥିବା ଦ୍ବିତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଉଜ୍ଜ୍ବଳ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉତ୍‌ଥାନ ଯୋଜନା କରାଯାଇଛି। ଆସନ୍ତା ୨୬ ତାରିଖରେ ବିଦ୍ୟାଳୟ ଖୋଲିବା ପରେ ଶ୍ରେଣୀରେ ଦିନକୁ ଗୋଟିଏ ଲେଖାଏ ପିରିୟଡ୍‌ ହିସାବ‌ରେ ୪୦ ଦିନ ପାଇଁ ସ୍ବତନ୍ତ୍ର ଶିକ୍ଷାଦାନ କରାଯିବ। ଏଥିପାଇଁ ଶିକ୍ଷକମାନଙ୍କୁ ତାଲିମ ଦିଆସରିଛି। ଜିଲ୍ଲା, ବ୍ଲକ୍‌ ଓ କ୍ଲଷ୍ଟର୍‌ସ୍ତରରେ ଶ୍ରେଣୀରେ ଶିକ୍ଷାଦାନ ସମ୍ପର୍କରେ ଅନ୍‌ଲାଇନ୍‌ରେ ମନିଟରିଂ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପାଠ୍ୟପୁସ୍ତକ ମଧ୍ୟ ଯୋଗାଣ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଲାଗି ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ‘ସ୍କୁଲ ସାର୍ଟିଫିକେସନ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି। ଏହି ଯୋଜନାରେ ବିଦ୍ୟାଳୟଗୁଡ଼ିକ ଆବେଦନ କରିବେ। ଯେଉଁ ବିଦ୍ୟାଳୟ ନିଜର ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଦିଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ ସେମାନଙ୍କ ଦକ୍ଷତା ଯାଞ୍ଚ କରାଯାଇ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ବ୍ରୋଞ୍ଜ୍‌, ରୌପ୍ୟ ଓ ସ୍ବର୍ଣ୍ଣ ପଦକ ଦିଆଯିବାର ବ୍ୟବସ୍ଥା ହେବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରା‌ଧିକରଣ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ ସୂଚନା ଦେଇଛନ୍ତି।

ଜୁନ୍‌ ୨୬ରେ ସ୍କୁଲ ଖୋଲିବା ପରେ ୨୮ ତାରିଖରେ ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକର ଅଭିଭାବକ ଓ ଶିକ୍ଷକମାନଙ୍କ ମିଳିତ ବୈଠକ ଅନୁଷ୍ଠିତ ହେବ। ଏଥିରେ ବାତ୍ୟା ପରବର୍ତୀ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ମନରୁ ବାତ୍ୟା ଭୟ ଦୂର କରି କିଭଳି ସେମାନେ ନିୟମିତ ବିଦ୍ୟାଳୟକୁ ଆସି ପାଠପଢ଼ାରେ ଯୋଗଦେବେ ସେନେଇ ଆଲୋଚନା କରାଯିବ। ଓସେପା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମଗ୍ର ଶିକ୍ଷା ଯୋଜନାର ରାଜ୍ୟ ଅଧିକାରୀ ଓ ବିଭାଗୀୟ ଶାଖା ମୁଖ୍ୟମାନେ କ୍ଷେତ୍ର ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଏଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର