ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ୨୬ରୁ ସ୍କୁଲ୍‌ ଖୋଲିବ

ଓଷ୍ଟା ଓ ବିଭିନ୍ନ ଛାତ୍ର ସଂଗଠନର ସମର୍ଥନ

ଭୁବନେଶ୍ବର : କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ସ୍କୁଲଗୁଡ଼ିକ ବନ୍ଦ ରହିବା ପରେ ଶେଷରେ ରାଜ୍ୟ ସରକାର ଶନିବାର ଦିନ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢ଼ା ଆରମ୍ଭ ହେବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ପାଇଁ ଏହି ନିୟମ ଲାଗୁହେବ। ସକାଳ ୧୦ଟାରୁ ଦିନ ୧.୩୦ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିବ। ତେବେ ଯେଉଁଠାରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ସ୍କୁଲ ଖୋଲିବା ବିଳମ୍ବିତ ହେବ। ଅବଶିଷ୍ଟ ଅନ୍ୟ ସମସ୍ତ ଶ୍ରେଣୀର ପାଠପଢ଼‌ା ପୂର୍ବପରି ଅନଲାଇନ୍ ମାଧ୍ୟମରେ ହେବ। ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ ୧୬ ତାରିଖରୁ ଏବଂ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର ୧୫ ତାରିଖ ପରେ କରାଯିବ। ଏ ସଂକ୍ରାନ୍ତରେ କୋଭିଡ ମାର୍ଗଦର୍ଶିକା ଜାରି କରାଯାଇଥିବା କହିଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସରକାରଙ୍କ ଏହି ନିଷ୍ପତ୍ତିକୁ ଆଜି ଓଷ୍ଟା, ବିଜୁ ଛାତ୍ର ଜନତା, ଏଆଇଏସ୍‌ଏଫ୍‌ ଆଦି ବିଭିନ୍ନ ସଂଗଠନ ସ୍ବାଗତ କରିଛନ୍ତି।

The Siasat Daily

ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟର ୨୦ଟି ଜିଲ୍ଲାକୁ ‘ଏ’ ଶ୍ରେଣୀଭୁକ୍ତ ଏବଂ ୧୦ଟି ଜିଲ୍ଲାକୁ ‘ବି’ ଶ୍ରେଣୀଭୁକ୍ତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ରେ ପାଠପଢ଼ା କରା ଯାଉଥିଲେ ମଧ୍ୟ ୬୦ ପ୍ରତିଶତ ବିଦ୍ୟାର୍ଥୀ ଏହି ପ୍ରକ୍ରିୟାରୁ ବଞ୍ଚିତ ହେଉଛନ୍ତି। ଗତବର୍ଷ ଏହି ବିଦ୍ୟାର୍ଥୀମାନେ ୧୫୦ ଶିକ୍ଷା ଦିବସ ହରାଇ ସାରିଛନ୍ତି। ବିଭିନ୍ନ ବିଷୟରେ ଥିବା ସଂଯୋଗ ଧାରଣାକୁ ବୁଝିବା ପାଇଁ ସ୍କୁଲ ପାଠପଢ଼ା ଅପରିହାର୍ଯ୍ୟ ହୋଇ ପଡ଼ିଛି। ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଥିବାରୁ ପିଲାମାନେ ୭୦ ପ୍ରତିଶତ ପାଠ୍ୟକ୍ରମ ପଢ଼ି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ।

ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବିଦ୍ୟାର୍ଥୀ ଜେଇ, ନିଟ୍‌ ଏବଂ କ୍ଲାଟ୍‌ ପରୀକ୍ଷା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଭୟ କ୍ଲାସ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜାରି କୋଭିଡ ନିୟମ ଅନୁଯାୟୀ, ଥର୍ମାଲ ସ୍କ୍ରିନିଂ, ମାସ୍କ, ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ସ୍କୁଲରେ ପିଲାଙ୍କ ଉପସ୍ଥାନ ଇଚ୍ଛାଧୀନ ରଖାଯାଇଥିବା ବେଳେ ସ୍କୁଲ ଖୋଲିବା ନିଷ୍ପତ୍ତି ମଧ୍ୟ ଜିଲ୍ଲାପାଳଙ୍କ ଉପରେ ଛଡ଼ାଯାଇଛି।

କୋଭିଡ କଟକଣା କିମ୍ବା ଅନ୍ୟ କାରଣରୁ ସ୍କୁଲ ବନ୍ଦ ରହିଲେ, ଶିକ୍ଷାବର୍ଷ ଜୁଲାଇ ୨୦୨୧ରୁ ଆରମ୍ଭ ହୋଇ ଏପ୍ରିଲ ୨୦୨୨ରେ ସରିବ। ଏହି ସମୟରେ ୪ଟି ଗଠନାତ୍ମକ ମୂଲ୍ୟ ନିର୍ଧାରଣ(ଫର୍ମାଟିଭ ଆସେସ୍‌ମେଣ୍ଟ), ୨ଟି ମିଶାଣ ମୂଲ୍ୟ ନିର୍ଧାରଣ(ସମାଟିଭ ଆସେସ୍‌ମେଣ୍ଟ) ହେବ। କୋଭିଡ କଟକଣାକୁ ଆଖି ଆଗରେ ରଖି ନିରନ୍ତର, ବ୍ୟାପକ ମୂଲ୍ୟାୟନ ବ୍ୟବସ୍ଥା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ନିଆଯାଉଛି। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରି ଦ୍ବିତୀୟ ସପ୍ତାହ ଏବଂ ମାର୍ଚ ଦ୍ବିତୀୟ ସପ୍ତାହରେ ୪ଟି ଗଠନାତ୍ମକ ମୂଲ୍ୟ ନିର୍ଧାରଣ ହେବ। ଏହି ପରୀକ୍ଷା ଶ୍ରେଣୀ ଶିକ୍ଷକ କିମ୍ବା ବିଷୟ ଶିକ୍ଷକଙ୍କ ଦ୍ବାରା ସ୍କୁଲରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ, ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରିଚାଳନା ହେବ।

ସରକାରଙ୍କ ଏହି ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ସ୍ବାଗତ କରିଛି। ବିଗତ ଦିନରେ ଯେଉଁ ଭଳି ଭାବରେ ଦୁଇ ଥର ଷାଣ୍ମାସିକ, ବାର୍ଷିକ ପରୀକ୍ଷା ଉଭୟ ନବମ ଓ ଦଶମ ଶ୍ରେଣୀରେ କରାଯାଉଥିଲା; ଅବିକଳ ସେମିତି ପରୀକ୍ଷା କରିବାକୁ ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଂଜନ ଦାଶ, ଅଶୋକ ମହାପାତ୍ର, ଶଙ୍କର ସୁବୁଦ୍ଧି ପ୍ରମୁଖ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର