କ୍ୟାମ୍ପସରେ ରହିବ ଆଇସୋଲେସନ ରୁମ୍
୩୦ ଜିଲ୍ଲାକୁ ଗଲେ ନୋଡାଲ୍ ଅଫିସର
କଟକଣା ମଧ୍ୟରେ ଖୋଲିବ ହଷ୍ଟେଲ
ଭୁବନେଶ୍ବର : ସୋମବାରଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠପଢ଼ା ହେବାକୁ ଥିବାରୁ ସବୁ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ବିଦ୍ୟାଳୟଗୁଡ଼ିକ କ୍ୟାମ୍ପସ୍ ସଫେଇ କରିବା ସହ ଆସବାବପତ୍ରଗୁଡ଼ିକର ବିଶୋଧନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ଇତିମଧ୍ୟରେ ଜିଲ୍ଲା ଗସ୍ତ କରିଛନ୍ତି। ସକାଳ ୧୦ଟାରୁ କ୍ଲାସ୍ ଆରମ୍ଭ ହେବାକୁ ଥିବାରୁ ପ୍ରଥମଦିନ ଏହାର ଏକ ଘଣ୍ଟା ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ପିଲାମାନେ କ୍ୟାମ୍ପସ୍ରେ ପ୍ରବେଶ ସମୟରେ ଯେପରି ସାମାଜିକ ଦୂରତା ରକ୍ଷାକରିବେ, ପ୍ରଧାନଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି।
ସୂଚନା ଅନୁସାରେ, କ୍ୟାମ୍ପସ୍ରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍ ବାହାରେ ବି ପିଲାଙ୍କୁ ପଢ଼ାଇପାରିବେ। ତେବେ ପାଗ ଅନୁକୂଳ ଥିବା ଦରକାର। କୋଭିଡ୍-୧୯ ପାଇଁ ଜାରି ହୋଇଥିବା ହେଲପ୍ ଲାଇନ୍ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ। ପ୍ରତି ସ୍କୁଲ୍ରେ ଆଇସୋଲେସନ୍ ରୁମ୍ ଖୋଲାଯିବ। କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ। ସ୍କୁଲ ଖୋଲିବାର ୩୦ ମିନିଟ୍ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍ ପର୍ଯ୍ୟନ୍ତ ଟିମ୍ର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିବେ। ପ୍ରତିଦିନ ସ୍କୁଲ ସଫେଇ କରାଯିବ। ତେବେ କୌଣସି ପିଲା ଯେପରି ଏହି ସଫେଇ କାର୍ଯ୍ୟରେ ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ରବିବାର ଓ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଦ୍ବାରା ପ୍ରକାଶିତ କରୋନା କଟକଣା ସବୁ ଶିକ୍ଷାନୁଷ୍ଠାନ ପାଳନ କରିବେ। ପୂର୍ବପରି ଅନ୍ଲାଇନ୍ରେ ପାଠପଢା ଚାଲିବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍ଲାଇନ୍ କିମ୍ବା ଶ୍ରେଣୀଗୃହରେ ପାଠପଢି ପାରିବେ। ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି। ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶିକ୍ଷାନୁଷ୍ଠାନ ଆସିବେ।
/sambad/media/post_attachments/wp-content/uploads/2021/07/hostel-1.jpg)
ବିଦ୍ୟାଳୟର ହଷ୍ଟେଲଗୁଡ଼ିକ ମଧ୍ୟ ସୋମବାରଠାରୁ ଖୋଲିବ। ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ସାମାଜିକ ଦୂରତା, ନିୟମିତ ବ୍ୟବଧାନରେ ହଷ୍ଟେଲ ମେସ୍, ଶୌଚାଳୟ ଓ ସମସ୍ତେ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ବିଶୋଧନ କରିବାକୁ କୁହାଯାଇଛି। ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ। ହଷ୍ଟେଲରେ ରହିବା ପୂର୍ବରୁ ଅନ୍ତେବାସୀଙ୍କୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ। ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ସ୍ଥାନୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପର୍କରେ ରହି ନିୟମିତ ଭାବେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇବେ। ଅନ୍ତେବାସୀ ଯେପରି ଗୋଟିଏ ସ୍ଥାନରେ ସମବେତ ନ ହୁଅନ୍ତି ସେଥିପ୍ରତି ହଷ୍ଟେଲ କର୍ତ୍ତୃପକ୍ଷ ଦୃଷ୍ଟିଦେବେ। ହଷ୍ଟେଲ କ୍ୟାମ୍ପସରେ ଏକ ଆଇସୋଲେସନ୍ ରୁମ୍ ରହିବ। ଯଦି କୌଣସି ଅନ୍ତେବାସୀ ଅସୁସ୍ଥ ହୁଅନ୍ତି ତାଙ୍କୁ ତୁରନ୍ତ ସେଠାରେ ରଖାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ନୋଡାଲ ଅଫିସର ଜିଲ୍ଲା ଗସ୍ତରେ ଅଛନ୍ତି। ସ୍କୁଲଗୁଡ଼ିକ ବିଶୋଧନ ସରିଛି। ପ୍ରଧାନଶିକ୍ଷକମାନେ ଅଭିଭାବକଙ୍କ ସହ ଆଲୋଚନା କରି ଅନୁମତି ମାଗିଛନ୍ତି। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ସଙ୍କୋଚ କରୁଛନ୍ତି, ସେମାନଙ୍କ ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ରହିଛି। ଆବଶ୍ୟକ ସ୍ଥଳେ ସ୍କୁଲଗୁଡ଼ିକୁ ସେକ୍ସନରେ ବିଭକ୍ତ କରାଯିବ। ଏସ୍ଓପି ଅନୁସାରେ ସ୍କୁଲ ଖୋଲିବ।