ଆଜିଠୁ ଖୋଲିବ ପ୍ରାଥମିକ ସ୍କୁଲ; ଶିକ୍ଷକ ଶିକ୍ଷୟିତ୍ରୀ ଆସିବେ, ପିଲା ଆସିବେନି

ଘରୋଇ ସ୍କୁଲ ମାଲିକ ସଂଘ ଦୁଇ ଭାଗ, ଆଜି ଅଧେ ଖୋଲିବେ, ଅଧେ ଖୋଲିବେନି

ଭୁବନେଶ୍ୱର : କରୋନା ସଂକ୍ରମଣ କମିଥିବାରୁ ସୋମବାରଠାରୁ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ। ମାତ୍ର ଛାତ୍ରଛାତ୍ରୀ ଆସିବେ ନାହିଁ। କେବଳ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବେ। କ୍ୟାମ୍ପସ ସଫେଇ ଓ ବିଶୋଧନ ଉପରେ ସେମାନେ ବିଶେଷ ଧ୍ୟାନ ଦେବେ। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ। ଯଦି ଦ୍ବନ୍ଦ୍ବ ରହିଥିବ ତେବେ ସେମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ବୁଝିପାରିବେ। ଆସନ୍ତା ୨୮ ତାରିଖଠାରୁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ଏବଂ ଶ୍ରେଣୀଗୃହ ଶିକ୍ଷାଦାନ ସ୍ବାଭାବିକ ହେବ ବୋଲି ତିନି ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା।

ସୋମବାର ସ୍କୁଲ ଖୋଲିବାକୁ ଥିବାବେଳେ ଘରୋଇ ସ୍କୁଲ ଖୋଲିବ କି ନାହିଁ, ସେନେଇ ରାଜ୍ୟ ସରକାର କିମ୍ବା ଗଣଶିକ୍ଷା ବିଭାଗ କିଛି ସ୍ପଷ୍ଟ ସୂଚନା ଦେଇ ନ ଥିବାରୁ ବିବାଦ ସୃଷ୍ଟି ହୋଇଛି। ଏମିତିକି ଘରୋଇ ବିଦ୍ୟାଳୟ ମାଲିକମାନେ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଅଧିକାଂଶ ଘରୋଇ ବିଦ୍ୟାଳୟ କର୍ତୃପକ୍ଷ ୧୪ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ କିଛି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସରକାରଙ୍କ ବିଜ୍ଞପ୍ତିକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ଶିକ୍ଷାରୁ ବର୍ତମାନେ ନିବୃତ୍ତ ରହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଦ୍ୟତମ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୨୮ ତାରିଖରୁ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିବା ନେଇ ସେମାନେ ଅଭିଭାବକଙ୍କୁ ଜଣାଇଛନ୍ତି।

Image Courtesy of India.com

ଓଡ଼ିଶା ଘରୋଇ ସ୍କୁଲ ମହାସଂଘ ସଭାପତି ବଦ୍ରିନାଥ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ୧୪ ତାରିଖରୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ କୌଣସି ଦ୍ବନ୍ଦ୍ବ ରହିବା ଉଚିତ୍‌ ନୁହେଁ। କରୋନା ଯୋଗୁଁ ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ରହିଥିଲା। ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଦ୍ବନ୍ଦ୍ବ ନ କରି ଅଭିଭାବକମାନେ ପିଲାଙ୍କୁ ସ୍କୁଲକୁ ଛାଡ଼ନ୍ତୁ। କୌଣସି ସ୍କୁଲ ପିଲାଙ୍କୁ ଆସିବା ପାଇଁ ବାଧ୍ୟ କରିପାରିବେ ନାହିଁ। ଅଫ୍‌ଲାଇନ୍‌/ଅନ୍‌ଲାଇନ୍‌/ହାଇବ୍ରିଡ୍‌ ମୋଡ୍‌ରେ ପିଲାଙ୍କୁ ପଢ଼ାଇପାରିବେ। ସରକାରୀ ସ୍କୁଲ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଘରୋଇ ସ୍କୁଲ ପାଇଁ କୌଣସି ବିଜ୍ଞପ୍ତି ଜାରି ହୋଇ ନାହିଁ। ତେଣୁ ପିଲାମାନେ କିଭଳି ସ୍କୁଲ ଆସିବେ ଅଭିଭାବକ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ୮ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସରୁମ୍‌ ଶିକ୍ଷା ଚାଲିଥିଲେ ମଧ୍ୟ ଉପସ୍ଥାନ ୩୦ରୁ ୪୦% ରହୁଛି। ଗୋଟିଏ ଦିନରେ ସବୁ ପିଲା ଆସିବେ ନାହିଁ। ଯଦି ୧୪ ତାରିଖରୁ ଆମେ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ କରିବା ତେବେ ମାର୍ଚ୍ଚ/ଏପ୍ରିଲ ବେଳକୁ ସ୍ଥିତି ସ୍ବାଭାବିକ ହୋଇଯିବ। ଗଣଶିକ୍ଷା ସଚିବ ଯେଉଁ ବିଜ୍ଞପ୍ତି ଲେଖିଛନ୍ତି ସେଥିରେ ଘରୋଇ ସ୍କୁଲ ବିଷୟରେ କିଛି ଉଲ୍ଲେଖ ହୋଇନି। ତେଣୁ କେଜିରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାରେ କୌଣସି ଅସୁବିଧା ନାହିଁ।

ଛାତ୍ରଛାତ୍ରୀଙ୍କ ଲାଗି ୨୮ ତାରିଖରୁ କ୍ଲାସରୁମ୍‌ ପାଠପଢ଼ା କରିବାକୁ ନିଷ୍ପତ୍ତି ନେଇଥିବା ସ୍କୁଲ କର୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ରାଜ୍ୟ ସରକାର ୨୮ ତାରିଖରୁ ପ୍ରଥମରୁ ୭ମ ଶ୍ରେଣୀ ଖୋଲିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ସ୍ପଷ୍ଟ ଭାବେ କୌଣସି ସ୍କୁଲ କଥା କହି ନ ଥିଲେ ମଧ୍ୟ କରୋନା ସଂକ୍ରମଣକୁ ନଜରରେ ରଖି ଆମେ ୨୮ରୁ ସ୍କୁଲ ଖୋଲିବାକୁ ସ୍ଥିର କରିଛୁ। ଏନେଇ ଅଭିଭାବକମାନଙ୍କୁ ଜଣାଇ ଦିଆଯାଇଛି। ଅଫ୍‌ଲାଇନ୍‌/ଅନ୍‌ଲାଇନ୍‌/ହାଇବ୍ରିଡ୍‌ ମୋଡ୍‌ ପାଠପଢ଼ା କଥା କୁହାଯାଇଥିବାରୁ ଅନ୍‌ଲାଇନ୍‌ ପାଠପଢ଼ାକୁ ଆମେ ପ୍ରାଥମିକତା ଦେଉଛୁ। ପିଲା ଓ ଅଭିଭାବକ ବି ଏହି ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି। ତେଣୁ ବିବାଦର କୌଣସି ଆବଶ୍ୟକତା ନାହିଁ। ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ଚିଠିକୁ ନେଇ ଘରୋଇ ବିଦ୍ୟାଳୟ କର୍ତୃପକ୍ଷ ଏବେ ଦୁଇ ଭାଗ ହୋଇଛନ୍ତି। ପରସ୍ପରକୁ ଦୋଷ ଦେଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏନେଇ କିଛି ବି କହିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର