କଟକ: ସରକାରଙ୍କ ସ୍କୁଲ ମିଶ୍ରଣ ପ୍ରସଙ୍ଗ ହାଇକୋର୍ଟରେ କାଏମ ରହିଛି। ପୂର୍ବରୁ ହାଇକୋର୍ଟ ଜଣିକିଆ ଖଣ୍ଡପୀଠ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଥିବା ବେଳେ ତାହା ବିରୋଧରେ ଦୁଇ ଜଣିଆ ଖଣ୍ଡପୀଠରେ ମାମଲା ଦାୟର ହୋଇଥିଲା। ଦୁଇ ଜଣିଆ ଖଣ୍ଡପୀଠ ଜଣିକିଆ ଖଣ୍ଡପୀଠର ରାୟକୁ ରଦ୍ଦ କରି ଆଜି ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି।
ତଥ୍ୟ ଅନୁଯାୟୀ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପଢ଼ୁଥିବା ସରକାରୀ ସ୍କୁଲକୁ ନିକଟସ୍ଥ ସ୍କୁଲ ସହିତ ମିଶ୍ରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ସହିତ ୨୦ରୁ କମ୍ ପିଲା ଥିବା ସ୍କୁଲକୁ ନିକଟରେ ଥିବା ସ୍କୁଲ ସହ ମିଶ୍ରଣ ନେଇ ୨୦୨୦, ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି କରିଥିଲା। ଏହାକୁ ବିରୋଧ କରି କିଛି ଅଭିଭାବକ ଓ କେତେକ ସ୍କୁଲର ପରିଚାଳନା ପରିଷଦ ବିରୋଧ କରିବା ଫଳରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ରଦ୍ଦ କରିଥିଲେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ସରକାରଙ୍କ ନିଷ୍ପତ୍ତିକୁ ସେତେବେଳ ଶକ୍ତ ଧକ୍କା ଲାଗିଥିଲା। ସରକାର ଜଣିକିଆ ବିଚାରପତିଙ୍କ ରାୟକୁ ବିରୋଧ କରି ଦୁଇ
ଜଣିଆ ଖଣ୍ଡପୀଠରେ ମାମଲା ଦାୟର କରିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଓସେପା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଜଣିକିଆ ବିଚାରପତିଙ୍କ ରାୟକୁ ରଦ୍ଦ କରିବା ସହିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ କାଏମ ରଖିଛନ୍ତି।
ସରକାରଙ୍କ ନିଷ୍ପତ୍ତି ବଜାୟ ରହିଲା
ଜଣିକିଆ ଖଣ୍ଡପୀଠଙ୍କ ରାୟ ରଦ୍ଦ
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ସଂପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧, ମେ ୪ରେ ରଦ୍ଦ କରିଥିଲେ। ଏଥି ସହିତ ମିଶ୍ରଣ ପୂର୍ବର ଅବସ୍ଥାରେ ଆବେଦନକାରୀ ସ୍କୁଲକୁ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥବା ଏହି ରାୟ ବିରୋଧରେ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ୨୦୨୧, ଜୁଲାଇ ୨୦ରେ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ରିଟ୍ ଅପିଲର ଶୁଣାଣି କରି ଜଣିକିଆ ବିଚାରପତିଙ୍କ ୨୦୨୧, ମେ ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।
ରିଟ୍ ଅପିଲରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ମିଶ୍ରଣ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜାତୀୟ ଶିକ୍ଷାନୀତି ଓ ଶିକ୍ଷା ଅଧିକାର ଆଇନ ଅନୁସାରେ ସରକାର ଜନହିତରେ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଏପରି ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରାଯିବା ଉଚିତ ନୁହେଁ। ୭୭୭୨ ମଧ୍ୟରୁ ୪୮୦୦ ସ୍କୁଲ ବିନା କୌଣସି ଆପତ୍ତିରେ ମିଶ୍ରଣ ପରେ ଚାଲିଛି। ଯଦି କୌଣସି ନିର୍ଦ୍ଦିଷ୍ଟ ସ୍କୁଲକୁ ନେଇ ସମସ୍ୟା ରହିଥାଏ ତେବେ ସଂପୃକ୍ତ ପ୍ରସଂଗର ସମାଧାନ କରାଯାଇ ପାରିବ। କିନ୍ତୁ ସ୍କୁଲ ମିଶ୍ରଣ ସଂପର୍କିତ ସଂପୂର୍ଣ୍ଣ ନିଷ୍ପତ୍ତି ରଦ୍ଦ କରାଯିବା ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/school.jpg)