ସରକାରଙ୍କ ବଡ଼ ନିଷ୍ପତ୍ତି: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି

ଭୁବନେଶ୍ବର: ଯୁବପୀଢ଼ିଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋଲକାତାରେ ଥିବା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି। ଏନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ କହିଛନ୍ତି।
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କଲିକତାରେ ଥିବା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଭୁବନେଶ୍ୱରରେ ସାଇନ୍ସ ସିଟି ଖୋଲିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଜ୍ଞାନ ଆହୁରି ବୃଦ୍ଧି ପାଇବ। କେବଳ ଏତିକି ନୁହେଁ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ତଥ୍ୟ ଓ ତ୍ରୁଟିକୁ ସୁଧାରିବାରେ ସାଇନ୍ସ ସିଟି ସହାୟକ ହୋଇପାରିବ।

ସେହିଭଳି ପୁରୀଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିୟମ୍ କେନ୍ଦ୍ର ପ୍ରତିଷ୍ଠା ହେବ। ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ। ଅପରପକ୍ଷରେ ସାତକୋଶିଆ ଅଞ୍ଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟୋସ୍ପିୟର ମ୍ୟୁଜିୟମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ଉତ୍ତର ରଖି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଉପକଣ୍ଠରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରସ୍ତୁତ କରିଥିବା ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ ଏନେଇ ତୁରନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ଏହି ସମୟ ମଧ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ ଇଡ୍‌କୋ ସହାୟତାରେ ଜମି ଚିହ୍ନଟ କରିବାକୁ କୁହାଯାଇଛି।

ସେହିପରି ପୁରୀରେ ନିର୍ମାଣ ହେବାକୁ ଥିବା ସାଇନ୍ସ ପାର୍କରେ ଜଗନ୍ନାଥଙ୍କ ରୀତିନୀତିର ବୈଜ୍ଞାନିକ ଦୃଷ୍ଟିକୋଣକୁ ନେଇ ଏକ ସ୍ବତନ୍ତ୍ର ଗ୍ୟାଲେରି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ସାତକୋଶିଆ ଗଣ୍ଡ ନିକଟରେ ମଧ୍ୟ ଏକ ସ୍ବତନ୍ତ୍ର ସାଇନ୍ସ ପାର୍କ ନିର୍ମାଣ କରାଯିବ। ଏଠାରେ ଜୈବ ବିବିଧତାର ବିଭିନ୍ନ ଦିଗକୁ ପ୍ରଦର୍ଶନ କରାଯିବ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଭୁବନେଶ୍ବରେ ଖୁବ୍ ଶୀଘ୍ର ସାଇନ୍ସ ସିଟି ନିର୍ମାଣ ହେବ। ଏହା ଦେଶର ଅନ୍ୟତମ ଆକର୍ଷଣ ପାଲଟିବ। ଓଡ଼ିଶାକୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ସହାୟକ ହେବ। ସେହିପରି ସବୁ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ପୁରୀର ସାଇନ୍ସ ପାର୍କ ଏସବୁଠୁ ଭିନ୍ନ ହେବ।

ସମ୍ବନ୍ଧିତ ଖବର