ଧରାପଡ଼ିଲା ବିଜ୍ଞାନ ଶିକ୍ଷାର ବିକଳ ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ଶିକ୍ଷା ଆଦୌ ସନ୍ତୋଷଜନକ ନୁହେଁ। କେଉଁଠି ବିଜ୍ଞାନ ଶିକ୍ଷକ ନାହାନ୍ତି ତ କେଉଁଠି ଲାବୋରାଟୋରି ନାହିଁ। ପୁଣି କିଛି ସ୍ଥାନରେ ଲାବୋରାଟୋରି ଥିଲେ ବି ଯନ୍ତ୍ରପାତି ନାହିଁ। ପିଲାମାନେ ପ୍ରାକ୍ଟିକାଲ୍‌ କରିବାକୁ ସୁଯୋଗ ପାଉ ନାହାନ୍ତି। ନାମକୁ ମାତ୍ର ଚାଲିଛି ବିଜ୍ଞାନ ଶିକ୍ଷା।
ଆଜି ବିଧାନସଭାରେ ଏମିତି ଅଭିଯୋଗ ଗଦା କରିପକାଇଥିଲେ ବିଧାୟକମାନେ। ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସ୍ୱର ଏକ ଥିଲା। ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏସବୁ ଅଭିଯୋଗ ସମ୍ପୂର୍ଣ୍ଣ ଫାଙ୍କି ଦେଇ ନ ଥିଲେ। ବହୁ ହାଇସ୍କୁଲ୍‌ରେ ଲାବୋରାଟୋରି ଠିକ୍‌ ଅଛି ବୋଲି ଦର୍ଶାଇଥିଲେ। ଅବଶିଷ୍ଟ ସ୍କୁଲ୍‌ରେ ନିଶ୍ଚିତ ଲାବୋରାଟୋରି ପ୍ରତିଷ୍ଠା ହେବ ବୋଲି ଜୋର୍‌ ଦେଇଥିଲେ। ଶିକ୍ଷକ ସଙ୍କଟକୁ ସ୍ୱୀକାର କରିଥିଲେ ବି ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି ବୋଲି କହିଥିଲେ।

ଆଜି ପ୍ରଶ୍ନକାଳରେ କଂଗ୍ରେସ ସଭ୍ୟ ନବକିଶୋର ଦାସଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ରାଜ୍ୟର ସ୍କୁଲ୍‌ଗୁଡ଼ିକରେ ବିଜ୍ଞାନ ଶିକ୍ଷାର ସ୍ଥିତି ସଂକ୍ରାନ୍ତୀୟ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ଦେଇଥିଲେ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୧୨,୫୫,୨୮୦ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ୧,୮୬,୭୪୯ ଛାତ୍ରଛାତ୍ରୀ ବିଜ୍ଞାନ ପଢ଼ୁଛନ୍ତି। ଅଧିକାଂଶ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଉପକରଣ ସହ ବିଜ୍ଞାନଗାର ବା ବିଜ୍ଞାନ ପ୍ରକୋଷ୍ଠ ରହିଥିଲା ବେଳେ ଅନ୍ୟ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ବିଜ୍ଞାନ ଉପକରଣ ରହିଛି। ଏହି ବିଜ୍ଞାନ ଉପକରଣ ସାହାଯ୍ୟରେ ଶ୍ରେଣୀ ଗୃହରେ ବୈଜ୍ଞାନିକ ପରୀକ୍ଷା ପ୍ରଦର୍ଶନ କରି ବିଜ୍ଞାନ ଶିକ୍ଷା ପ୍ରଦାନ କରାଯାଉଛି।

ମନ୍ତ୍ରୀଙ୍କ ଏହି ଉତ୍ତର ବିଧାୟକମାନଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ମୂଳ ପ୍ରଶ୍ନକର୍ତ୍ତା ନବକିଶୋର ଦାସ ପଚାରିଥିଲେ, କେତୋଟି ସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକ ପଦବି ଖାଲି ପଡ଼ିଛି? ଗତ ୩ ବର୍ଷରେ କେତେ ବିଜ୍ଞାନ ଶିକ୍ଷକ ନିଯୁକ୍ତ ହୋଇଛନ୍ତି? ଯୁକ୍ତ ଦୁଇ ସ୍ତରରେ କେତେ ଲାବୋରାଟୋରି ଟେକ୍ନିସିଆନ୍‌ ଓ ଲାବୋରଟୋରି ଆସିଷ୍ଟାଣ୍ଟ୍‌ ପଦବି ଖାଲି ପଡ଼ିଛି? ମନ୍ତ୍ରୀଙ୍କ ପାଖରେ ଏସବୁର ତଥ୍ୟ ଉପଲବ୍ଧ ନ ଥିଲା। ପରେ ଦେବେ ବୋଲି କହିଥିଲେ। କଂଗ୍ରେସ ସଭ୍ୟ କେ ସୂର୍ଯ୍ୟା ରାଓ ନିଜ ନିର୍ବାଚନମଣ୍ଡଳୀ କଥା ଉଠାଇ କହିଥିଲେ, ତାଙ୍କ ଅଞ୍ଚଳରେ ଅଧିକାଂଶ ସ୍କୁଲ୍‌ରେ ବିଜ୍ଞାନ ଲାବୋରାଟୋରି ନାହିଁ। ଯେଉଁଠି ଅଛି, ଯନ୍ତ୍ରପାତି ନାହିଁ। ପିଲାମାନଙ୍କୁ ବିଜ୍ଞାନ ବିଷୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର କ’ଣ କରୁଛନ୍ତି ?

ମନ୍ତ୍ରୀ କହିଥିଲେ, ୨୦୧୦-୧୧ ପର ଠାରୁ ରାଜ୍ୟରେ ୧୮୯୬ ସ୍କୁଲ୍‌ରେ ବିଜ୍ଞାନଗାର ପ୍ରତିଷ୍ଠା ପାଇଁ ୧୪୩ କୋଟି ଟଙ୍କା ଦିଆଯାଇଛି। ରାମ୍‌ସା ପକ୍ଷରୁ ବିଜ୍ଞାନ କିଟ୍‌ ଦିଆଯାଇଛି। ବିଜ୍ଞାନ ପ୍ରତି ପିଲାଙ୍କ ମଧ୍ୟରେ ରୁଚି ସୃଷ୍ଟି କରିବା ପାଇଁ ବିଜ୍ଞାନ ମେଳା, ବିଜ୍ଞାନ ଅଲମ୍ପିଆଡ୍‌ ଓ ଆଲୋଚନାଚକ୍ର ଆଦି ଆୟୋଜନ କରାଯାଉଛି। ତେବେ ଶ୍ରୀ ରାଓଙ୍କ ନିର୍ବାଚନମଣ୍ଡଳୀର ସ୍କୁଲ୍‌ ବାବଦରେ ମନ୍ତ୍ରୀ କିଛି କହି ନ ଥିଲେ।

ବିଜେପି ସଭ୍ୟ ବିଭୂତି ହରିଚନ୍ଦନ ବିଜ୍ଞାନଗାର ନେଇ ମନ୍ତ୍ରୀଙ୍କ ତଥ୍ୟକୁ ଗ୍ରହଣ କରି ନ ଥିଲେ। ତାଙ୍କ ଯୁକ୍ତି ଥିଲା, ବିଜ୍ଞାନଗାର ଓ ବିଜ୍ଞାନ ଲାବୋରଟୋରି ଭିନ୍ନ ଭିନ୍ନ କଥା। ବିଜ୍ଞାନଗାରରେ ବିଜ୍ଞାନ ମଡେଲ୍‌ ରଖାଯାଇ ପିଲାଙ୍କୁ ଦେଖାଯାଉଛି। କିନ୍ତୁ ଲାବୋରଟୋରିରେ ପିଲା ପ୍ରାକ୍ଟିକାଲ୍‌ କରିବେ ଓ ଜ୍ଞାନ ଆହରଣ କରିବେ। ତେବେ ମନ୍ତ୍ରୀ ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ। କହିଥିଲେ, ବିଜ୍ଞାନଗାରରେ ହିଁ ଯନ୍ତ୍ରପାତି ରଖାଯାଇ ପ୍ରାକ୍ଟିକାଲ୍‌ କରାଯାଉଛି।

ନରସିଂହ ମିଶ୍ର କହିଥିଲେ, ବଲାଙ୍ଗୀର ଜିଲ୍ଲାର ପିଆର୍‌ ହାଇସ୍କୁଲ୍‌ ୧୦୦ ବର୍ଷ ପୁରୁଣା। ସେଠାରେ ପୂର୍ବରୁ ବିଜ୍ଞାନ ହଲ୍‌, ଗ୍ୟାଲେରି ଓ ଆବଶ୍ୟକ ଯନ୍ତ୍ରପାତି ଥିଲା। ଏବେ ସେସବୁ ନଷ୍ଟ ହୋଇଗଲାଣି। ଏହାକୁ ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେବେ କି? ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଦାମୋଦର ରାଉତ କହିଥିଲେ, ୧୮୫୭ ମସିହାରେ କୁଜଙ୍ଗରେ ବି ବି ହାଇସ୍କୁଲ୍‌ ପ୍ରତିଷ୍ଠା କରାଯାଇଥିଲା। ସେହି ସ୍କୁଲ୍‌ରେ ପାଚେରୀ ଭାଙ୍ଗିରୁଜି ଗଲାଣି। କିନ୍ତୁ ତାହାର କାମ ହେଉ ନାହିଁ। ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ଆବଶ୍ୟକ। ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, ଏହି ସ୍କୁଲ୍‌ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ବିଧାୟକ ମହେଶ ସାହୁ, ପ୍ରଦୀପ ପୁରୋହିତ, ମଙ୍ଗଳା କିସାନ୍‌, ମାନସ ମାଡ଼କାମି, କୈଳାସ କୁଲେସିକା, ପ୍ରଫୁଲ୍ଲ ମାଝୀ, ଦିବ୍ୟଶଙ୍କର ମିଶ୍ର ଓ ରୀତା ସାହୁ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର