ଜଗନ୍ନାଥପ୍ରସାଦ: ୧୨ ବର୍ଷର ନାବାଳକ ବିଘ୍ନରାଜଙ୍କ ମୃତ୍ୟୁ ପଛର ରହସ୍ୟ କଣ? ପ୍ରକୃତରେ ଏହା ଏକ ଅଘଟଣ ନା’ଏହା ପଛରେ ବଡ଼ ଷଡ଼୍‌ଯନ୍ତ୍ର ଲୁଚି ରହିଛି? ହତ୍ୟା ପରେ ବିଘ୍ନରାଜଙ୍କ ଶବକୁ ଫୋପାଡ଼ି ପ୍ରମାଣ ନଷ୍ଟ କରିବାକୁ କିଛି ଉଦ୍ୟମ ହୋଇଛି କି ? ଗାଁରେ ସାଇକେଲ୍‌ରେ ବୁଲୁଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ବିଘ୍ନରାଜ ଘଞ୍ଚ କାଜୁଜଙ୍ଗଲ ଭିତରେ ଥିବା ବୀଣାଘାଇବନ୍ଧକୁ ଯାଇଥିଲେ ? ବିଘ୍ନରାଜଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୁଲିସ ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି। କେବଳ ଏତିକି ନୁହେଁ, ହତ୍ୟା ପ୍ରମାଣ ଖୋଜିବା ଲାଗି ପୋଖରୀର ପାଣିକୁ ମୋଟର୍ ଦ୍ବାରା ସଂପୂର୍ଣ୍ଣ ଭାବେ ଶୁଖାଇ ଦିଆଯାଇଛି।

Advertisment

ଶୁକ୍ରବାର ଅପରାହ୍‌ଣ ଦୁଇଟାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଲାଡ଼ି ପଞ୍ଚାୟତ କାଦପଡ଼ା ଗ୍ରାମର ଶିବରାମ ପଣ୍ଡାଙ୍କ ବଡ଼ପୁଅ ବିଘ୍ନରାଜଙ୍କ ଶବ ଗ୍ରାମର କାଜୁଜଙ୍ଗଲ ମଧ୍ୟରେ ଥିବା ବୀଣାଘାଇବନ୍ଧରୁ ଉଦ୍ଧାର ହୋଇଥିଲା। ତାଙ୍କର ଦୁଇ ଆଖିପତାକୁ ତାଡ଼ି ଦିଆ ଯାଇଥିବା ବେଳେ କାନର ତଳଭାଗ ଛିଣ୍ଡି ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା। ସକାଳୁ ଟ୍ୟୁସନ୍‌ରୁ ଫେରିବା ପରେ ପୁଣି ବାହାରି ଗାଁରେ ସାଇକେଲ୍ ଚଳାଇ ବୁଲୁଥିଲେ ବିଘ୍ନ। କିଛି ସମୟ ପରେ ତାଙ୍କର ଏଭଳି ରହସ୍ୟଜନକ ମୃତ୍ୟୁ ପୂରା ଗ୍ରାମକୁ ସ୍ତବ୍ଧ କରି ଦେଇଥିଲା। ବାପା ଶିବରାମଙ୍କ ଏତଲା କ୍ରମେ ଜଗନ୍ନାଥପ୍ରସାଦ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା।

publive-image

ଆଜି ଭଞ୍ଜନଗର ଏସଡିପିଓ ବିଶ୍ଵମିତ୍ର ହରିପାଲ ଓ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସହ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିଲେ। ଆଖପାଖ ଇଲାକାରେ କିଛି ମାରଣାସ୍ତ୍ର ପଡ଼ିଛି କି ନାହିଁ, ଏଥିପାଇଁ ଅନୁଧ୍ୟାନ କରାଯାଇଥିଲା। ସେହିପରି ପୋଖରୀରୁ ପାଣି ବାହାର କରା ଯାଇଥିଲା। ତେବ‌େ ତଦନ୍ତ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ କଥା ହେଉଛି, ଏହି ଘଞ୍ଚ ଜଙ୍ଗଲ ଭିତରେ ଥିବା ଘାଇକୁ ସାଧାରଣ ଲୋକ ପ୍ର‌ାୟ ଯାତାୟାତ କରି ନଥାନ୍ତି। କେବଳ ଗାଈଗୋଠଙ୍କ ପାଣି ପିଇବା ପାଇଁ ଏହି ଘାଇ ବ୍ୟବହାର ହୋଇଥାଏ। ଫଳରେ ବିଘ୍ନରାଜ ଜଙ୍ଗଲ ଭିତରକୁ ଯିବାକୁ କେମିତି ସାହସ ଜୁଟାଇଲେ ? ନା’ ତାଙ୍କୁ କେହି ଡାକି ନେଇଥିଲା ? ଏହାକୁ ନେଇ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷରେ ଯଦି ବିଘ୍ନରାଜ ଗାଧୋଇବା ଉଦ୍ଦେଶ୍ୟ‌ରେ ଏଠାକୁ ଆସିଥି‌ଲେ, ତା’ହେଲେ ଶବ ଦେହରେ ଜିନ୍‌ପ୍ୟାଣ୍ଟ୍ ଓ ଟି-ସାର୍ଟ ଯେମିତି ସେମିତି ରହିଥିଲା, ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସେହିପରି ବାପା ଶିବରାମ ଓ ଜେଜେବାପା କୈଳାସ ଚନ୍ଦ୍ରଙ୍କ କହିବାନୁସା‌ରେ, ବିଘ୍ନରାଜଙ୍କ ଶବକୁ ସେମାନେ ପାଣି ଭିତରକୁ କାଢ଼ିବା ବେଳେ କାଦୁଅରେ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଦଚିହ୍ନ ଦେଖିବାକୁ ମିଳିଥିଲା। ଫଳରେ ନିଶ୍ଚିତ ଭାବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରବର୍ଗ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ରାତିରେ ବିଘ୍ନଙ୍କ ଶବ ବ୍ୟବଚ୍ଛେଦ ହୋଇ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମାଆ ଉଷାରାଣୀ ପୁଅକୁ ହରାଇ ଗାଁ ଦାଣ୍ଡରେ ବାହୁନି କାନ୍ଦିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ପୁଅର ହତ୍ୟାକାରୀକୁ ଖୋଜି ବାହାର କରିବାକୁ ସେ ଆକୁଳ ନିବେଦନ କରୁଥିଲେ। ସେହିପରି ତଦନ୍ତ ପାଇଁ ଆସିଥିବା ପୁଲିସ ଅଧିକାରୀମାନେ ଆଜି ମୃତକଙ୍କ ପରିବାର‌ବର୍ଗ ସହ ଆଲୋଚନା କରିଥିଲେ। ଆଗରୁ କାହା ସହ କିଛି ବିବାଦ ରହିଥିଲା କି, ଏ ନେଇ ତଥ୍ୟ ସଂଗ୍ରହ କରିଥିଲେ। ତେବ‌େ ଏଯାଏ ପୁଲିସ କୌଣସି ନିର୍ଯାସରେ ପହଞ୍ଚିପାରିନି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ଉଠିବ ବୋଲି ଥାନାଧିକାରୀ ଦିଲ୍ଲୀପ ସ୍ବାଇଁ କହିଛନ୍ତି। ଶୋକାକୁଳ ପରିବେଶରେ ବିଘ୍ନରାଜଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।