ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ନିକଟ ସାନଘାଟି ଠାରେ ଦୁଇ ବାଇକ୍‌ ଚାଳକଙ୍କ ଉପରେ ଟ୍ରକ୍‌ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ତିନିଜଣ ଯୁବକ ଗୁରୁତର ହୋଇଛନ୍ତି। ଏହାସହ ଦୁର୍ଘଟଣା ପରେ ଟ୍ରକ୍‌ ଧରି ଦ୍ରୁତଗତିରେ ଖସିଯିବାକୁ ଉଦ୍ୟମ କରି ବଡ଼ଘାଟି ନିକଟରେ ଓଲଟି ପଡ଼ିବାରୁ ଟ୍ରକ୍‌ ଚାଳକ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଦୁଇଜଣ ହେଲେ ଦିଲ୍ଲୀପ ପାହାନ ଓ ଶ୍ରୀକାନ୍ତ ସାହୁ। ଗୁରୁତର ଆହତ ହୋଇଥିବା ଯୁବକମାନେ ହେଲେ ସନ୍ତୋଷ ରାଉତ, ବାନାମ୍ବର ଦାସ ଓ ରାଜେଶ କୁମାର ସାହୁ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଅଧିକାରୀ ମୃତ୍ୟୁଞ୍ଜୟ ତ୍ରିପାଠୀ ଓ ଡ୍ରାଇଭର ଶଙ୍କର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ, ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Advertisment

ସୂଚନା ପ୍ରକାରେ ବିଳମ୍ବିତ ରାତି ସାଢ଼େ ୧୨ଟା ସମୟରେ ୫ଜଣ ଯୁବକ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ୍‌ରେ ନିକଟସ୍ଥ କନକା ଗାଁକୁ ଯାତ୍ରା ଦେଖି ଯାଉଥିଲେ। ଏହି ସମୟରେ ସାନଘାଟି ଠାରେ ଭୁବନେଶ୍ବରକୁ ଯାଉଥିବା ଏକ ପ୍ଲାଇ ବୋଝେଇ ଟ୍ରକ୍‌(ଏପି୩୯ୟୁଏଚ୍‌୩୨୧୩)ଟି ସ୍କୁଟି ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ସ୍କୁଟିରେ ବସିଥିବା କମଳାପଦର ଗ୍ରାମର ଦିଲ୍ଲୀପ ଓ ବିଏନ୍‌ପୁର ପଞ୍ଚାୟତ ଛେଲୁ ଗ୍ରାମର ଶ୍ରାକାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ବାଇକ୍‌ରେ ବସିଥିବା ସନ୍ତୋଷ, ବାନାମ୍ବର ଓ ରାଜେଶ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ଖଲ୍ଲିକ‌ୋଟ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକଲକୁ ସ୍ଥାନାନ୍ତର କରାଯାଇଛି।

publive-image

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିବା ଲାଗି ଉଦ୍ୟମ କରି ବଡ଼ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭର ସିଣ୍ଟୁ ଯାଦବ ଟ୍ରକ୍‌ ଭିତରେ ଚାପି ହୋଇ ରହି ଯାଇଥିଲା। ୩ଘଣ୍ଟା ଚେଷ୍ଟା ପରେ ଅଗ୍ନିଶମ ବାହିନୀ ଗ୍ୟାସ୍‌ କଟରରେ କ୍ୟାବିନ୍‌କୁ କାଟି ଡ୍ରାଇଭରକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଆହତ ଟ୍ରକ୍‌ ଡ୍ରାଇଭରଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।