ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଆରୋହୀ ମୃତ୍ୟୁ ଘଟଣା: ନିରଞ୍ଜନଙ୍କ ନାଁରେ ‘ହିଟ୍ ଆଣ୍ଡ୍ ରନ୍’ ମାମଲା ରୁଜୁ କରିବାକୁ ଦାବି
ଜେଲ୍ ଗଲେ ଗାଡ଼ି ଚାଳକ, ମୃତକ ଧରିଥିବା ୪୦ ହଜାର ଟଙ୍କା କୁଆଡ଼େ ଗଲା?
କଣ୍ଟାବାଞ୍ଜି/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଗାଈସିଲାଟ ମୁଖ୍ୟ ରାସ୍ତାର ତମିଆଁ ଓ ସୁନାମୁଦି ଛକ ମଝିରେ ବୁଧବାର ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ସ୍କୁଟି ଆରୋହୀ ପାଟଣାଗଡ଼ ଇନ୍ଦପୁର ନିବାସୀ ଟଙ୍କଧର ବିଶ୍ବାଳ (୩୫ବର୍ଷ)ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି କରିଛନ୍ତି।
ଶ୍ରୀ ମହାନ୍ତି ଗୁରୁବାର କଣ୍ଟାବାଞ୍ଜିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସାଂସଦ ଶ୍ରୀ ବିଶି ପୂର୍ବରୁ ଘଟିଥିବା ଅନେକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମାଗିଛନ୍ତି। କିନ୍ତୁ ତାଙ୍କ ନିଜ କାର୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସାଂସଦ ନିଜେ ସରକାରଙ୍କୁ ଏହା ଦାବି କରନ୍ତୁ। ମୃତବ୍ୟକ୍ତି ସଂପର୍କୀୟ ବୋଲି କହିଦେଲେ ହେବ ନାହିଁ। ଯଦି ଗାଡ଼ିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଥିଲେ, ତେବେ ସାଂସଦ ମଧ୍ୟ ଗାଡ଼ିରେ ହିଁ ବସିଥିଲେ। ଘଟଣା ପରେ ନିଜେ ଥାନାରେ ଗାଡ଼ିକୁ ନେଇ ଚାଳକଙ୍କୁ ଆତ୍ମସମର୍ପଣ କରାଇଛନ୍ତି। ନିଜେ ସରକାରୀ ଦଳର ହୋଇଥିବାରୁ ପୁଲିସ ମଧ୍ୟ ହାଲୁକା ଭାବେ ନେଇ ଘଟଣାକୁ ଚପାଇଦେବା ପାଇଁ ଚେଷ୍ଟା କରୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ତେଣୁ ସାଂସଦ ଶ୍ରୀ ବିଶିଙ୍କ ନାଁରେ ‘ହିଟ୍ ଆଣ୍ଡ ରନ୍’ ମାମଲା ରୁଜୁ କରାଯାଉ। ଅନ୍ୟଥା ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସେ ଧମକ ଦେଇଛନ୍ତି।
ତେବେ, ଟଙ୍କଧରଙ୍କ ମୃତ୍ୟୁ ଘଟଣାରେ ସାଂସଦଙ୍କ ଗାଡ଼ି ଚାଳକ ଆନନ୍ଦ ତୁମୁନିଆ ଜେଲ୍ ଯାଇଛନ୍ତି। ଅନ୍ୟ ପକ୍ଷରେ ସାଂସଦଙ୍କ କାର୍ ଧକ୍କାରେ ପ୍ରାଣ ହରାଇଥିବା ସ୍କୁଟି ଆରୋହୀ ଟଙ୍କଧରଙ୍କ ପାଖରେ ଥିବା ୪୦ ହଜାର ଟଙ୍କାର ପତ୍ତା ମିଳୁ ନାହିଁ ବୋଲି ତାଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି।