ସୁନ୍ଦରଗଡ଼: ସୁନ୍ଦରଗଡ଼-ହେମଗିର ରାସ୍ତା ଇବନଦୀ ନିକଟ ବାଲିଯୋରି ଛକରେ କୋଇଲା ବୋଝେଇ ଟ୍ରକ ଓ ସ୍କୁଟି ଧକ୍କା ହୋଇଛି। ଦ୍ରୁତଗତିରେ ଥିବା ଟ୍ରକଟି ସ୍କୁଟିକୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା। ତେବେ ସ୍କୁଟିରେ ଥିବା ମହିଳା ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆହତ ଅବସ୍ଥାରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମହିଳା ହେଲେ ରାଜପୁରର ନବୀନା ଓରାମ। ସେ ସୁନ୍ଦରଗଡ଼ରୁ ନିଜ ଗାଁ ରାଜପୁରକୁ ଫେରୁଥିଲେ।

Advertisment

publive-image

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଟ୍ରକ ଚାଳକ ମୋବାଇଲରେ କଥା ହୋଇ ଟ୍ରକ (ଓଡି ୧୬ ଏ ୬୮୬୦) ଚଲାଇ ଆସୁଥିବାବେଳେ ସ୍କୁଟି (ଓଡି ୧୬ ଏଲ ୨୩୯୮)କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି, ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଗତ ୭ ତାରିଖ ଅପରାହ୍ନରେ ସୁନ୍ଦରଗଡ଼ କଲେଜ ନିକଟ ଇବ ସେତୁ ଉପରେ ଏକ ୧୮ ଚକିଆ ଟ୍ରେଲର ବାଇକକୁ ପଛ ପଟୁ ଧକ୍କା ଦେଇ ୫୦ ମିଟର ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ସାଢ଼େ ୩ ବର୍ଷର ଝିଅ ଗୁରୁତର ହୋଇପଡ଼ିଥିଲେ। ଦୁର୍ଘଟଣା ପରେ ଟ୍ରେଲର ଫେରାର ହୋଇଯାଇଥିଲା। ଆଜି ସେହି ନିକଟରେ ପୁଣି ଦୁର୍ଘଟଣା ଘଟିବା ଲୋକଙ୍କୁ ଉତ୍ତେଜିତ କରିଛି। କଲେଜ ଛକରୁ ହେମଗିର ରାସ୍ତା ଅଣଓସାରିଆ ଓ ଶୋଚନୀୟ ରହିଛି। ଏସ୍ଥିତିରେ ରାସ୍ତାରେ ଶହଶହ କୋଇଲା ବୋଝେଇ ଭାରୀଯାନ ଚଳାଚଳ କରୁଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ଲୋକେ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ସଦରଥାନା ଓ ଟାଉନଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ରାସ୍ତାରୋକ ହଟିନାହିଁ। ଉଭୟ ପଟେ ଶହ ଶହ ଗାଡ଼ି ମଟର ଅଟକି ରହିଛି। ଘଟଣାସ୍ଥଳରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପହଞ୍ଚିଛନ୍ତି।