ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍ ସଞ୍ଜୟ ଏବଂ ଶ୍ରୀକାନ୍ତ ସାହୁ ଓରଫ୍ ଚନ୍ଦୁକୁ ଭୁବନେଶ୍ବର ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଖାରଜ ହୋଇ ଯାଇଥିଲା। ତେବେ ଘଟଣାର ଅଧିକ ଖୋଳତାଡ଼ ଲାଗି ଚନ୍ଦକା ଥାନା ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ କୋର୍ଟ ତିନି ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ। ଏହି ରିମାଣ୍ଡ ସମୟରେ ସେମାନଙ୍କୁ ପଚରାଉଚରା କରି ଆଉ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରାଯିବ। ବାକି ରହିଥିବା କ୍ରାଇମ ସିନ୍ ରିକ୍ରିଏଟ୍ ମଧ୍ୟ କରାଯିବ। ହତ୍ୟାକାଣ୍ଡସ୍ଥଳ ଫୁଲେଶ୍ବରୀ ବସ୍ତିକୁ ଉଭୟ ଅଭିଯୁକ୍ତଙ୍କୁ ନିଆଯିବା ସହ ଆଇଗିଣିଆର ଯେଉଁ ମେଡିସିନ୍ ଷ୍ଟୋରରୁ ଛୁରି, ଗ୍ଲୋଭସ୍ କିଣିଥିଲେ ସେଠାକୁ ମଧ୍ୟ ନିଆଯିବ। ସେହି ମେଡିସିନ୍ ଷ୍ଟୋରର ଦୋକାନୀ ଉଭୟଙ୍କୁ ଚିହ୍ନଟ କରିବେ। ସେହିପରି ଯେଉଁ ସ୍ଥାନରେ ଓଢଣିକୁ ପୋଡାଯାଇଛି ସେଠାକୁ ମଧ୍ୟ ଉଭୟ ଯାଇ ଚିହ୍ନଟ କରିବେ।