ଘଟଗାଁ : ଯୋଡ଼ା ଥାନା ବିଚାକୁଣ୍ଡି ନିକଟରୁ ଓଏମ୍‌ସିର ଡେପୁଟି ମ୍ୟାନେଜର ଓ ତାଙ୍କ ଚାଳକଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସ୍କର୍ପିଓ ଗାଡ଼ି ଲୁଟି ନେଇଛନ୍ତି। ପରେ ଗାଡ଼ିଟି ଘଟଗାଁ ଥାନା ଢେଙ୍କିକୋଟ ଟୋଲ ପ୍ଲାଜା ବୁମ୍‌ ବ୍ୟାରିଅର ଭାଙ୍ଗି ପଳାଇଯାଇଥିଲା। ଖବର ପାଇ ପୁଲିସ ଗୋଡ଼ାଇ ଘଟଗାଁ ବାଇପାସ୍‌ ନିକଟରୁ ସ୍କର୍ପିଓଟିକୁ ଉଦ୍ଧାର କରିଛି। ଦୁର୍ବୃତ୍ତମାନେ ପୁଲିସକୁ ଦେଖି ଗାଡ଼ି ଛାଡ଼ି ଜଙ୍ଗଲ ଭିତରକୁ ପଳାଇବାରୁ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତ ୩ ତାରିଖରେ ଚମ୍ପୁଆ ବ୍ଲକ୍‌ ସରେଇ ଗ୍ରାମର ଗୋଲକ ନାଏକଙ୍କ ସ୍କର୍ପିଓ (ଓଡି-୦୯-ଭି-୦୪୨୯) ନେଇ ଓଏମ୍‌ସିର ଡେପୁଟି ମ୍ୟାନେଜର ପୁଲକ ନାୟକ ଓ ତାଙ୍କ ଚାଳକ ଯୋଡ଼ା ଯାଇଥିଲେ। ରାତିରେ ଫେରୁଥିବାବେଳେ ବିଚାକୁଣ୍ଡି ନିକଟରେ ଦୁର୍ବୃତ୍ତମାନେ ଗାଡ଼ି ଅଟକାଇଥିଲେ। ବନ୍ଧୁକ ଦେଖାଇ ଉଭୟଙ୍କୁ ଭୟଭୀତ କରି ଏକ ଏଟିଏମ୍‌କୁ ନେଇଥିଲେ। ସେଠାରେ ସେମାନଙ୍କ କାର୍ଡକୁ ବ୍ୟବହାର କରି ଲୁଟେରାମାନେ ଟଙ୍କା ଉଠାଇ ନେଇଥିଲେ। ପରେ ଦୁହିଁଙ୍କ ହାତଗୋଡ଼ ବାନ୍ଧି ଫିଙ୍ଗିଦେଇ ଗାଡ଼ି ନେଇ ଅଭିଯୁକ୍ତମାନେ ପଳାଇ ଯାଇଥିଲେ। ପୁଲକ ବହୁ କଷ୍ଟରେ ଯୋଡ଼ା ଥାନାରେ ପହଞ୍ଚି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ‌ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏନେଇ ଜିଲ୍ଲାର ବିଭିନ୍ନ ଥାନାକୁ ଅବଗତ କରାଯାଇଥିଲା।

ଓଏମ୍‌ସି ଡେପୁଟି ମ୍ୟାନେଜର ଓ ଡ୍ରାଇଭରଙ୍କୁ ବାନ୍ଧି ଫିଙ୍ଗିଦେଲେ
ଧକ୍କାରେ ଟୋଲ୍‌ପ୍ଲାଜା ବୁମ୍‌ ବ୍ୟାରିଅର ଭାଙ୍ଗିଲେ
ଘଟଗାଁ ବାଇପାସ୍‌ରେ ଗାଡ଼ି ଛାଡ଼ି ଜଙ୍ଗଲରେ ପଶିଗଲେ ଦୁର୍ବୃତ୍ତ

ଗତକାଲି ରାତିରେ ଦୁର୍ବୃତ୍ତମାନେ ସ୍କର୍ପିଓ ନେଇ କେନ୍ଦୁଝର ପଟୁ ଘଟଗାଁ ଆଡ଼କୁ ଆସୁଥିଲେ। ବାଟରେ ଢେଙ୍କିକୋଟ ଟୋଲ୍‌ପ୍ଲାଜାର ବୁମ୍‌ ବ୍ୟାରିଅର ଭାଙ୍ଗି ଦ୍ରୁତଗତିରେ ପଳାଇଥିଲେ। ଏ ସମ୍ପର୍କରେ ଟୋଲ୍‌ପ୍ଲାଜା କର୍ମଚାରୀ ଘଟଗାଁ ଥାନାକୁ ଜଣାଇଥିଲେ। ଘଟଗାଁ ପୁଲିସ ବାଇପାସ୍‌ ନିକଟରେ ରାସ୍ତା ବନ୍ଦ କରିଥିଲା। ଦୁର୍ବୃତ୍ତମାନେ ଏ ସମ୍ପର୍କରେ ଜାଣିପାରି କିଛି ଦୂରରେ ଗାଡ଼ି ରଖି ରାସ୍ତାକଡ଼କୁ ଲାଗିଥିବା ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ପୁଲିସ ଉକ୍ତ ସ୍କର୍ପିଓକୁ ଜବତ କରିଥିବା ଘଟଗାଁ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ କହିଛନ୍ତି।