ରାଉରକେଲା/ବୀରମିତ୍ରପୁର: ପାଦର ଅଳତା ଲିଭିବା ପୂର୍ବରୁ ଲିଭିଗଲା ଜୀବନ। ଏଥିସହିତ ନିଜ ମା’ ଓ ପିଉସୀଙ୍କ ମଧ୍ୟ ଜୀବନ ଯାଇଛି। ଝାଡ଼ଖଣ୍ଡ ରାଞ୍ଚିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ଅପରାହ୍ନ ପ୍ରାୟ ୩ଟାରେ ଠାକୁର ଦର୍ଶନ ସାରି ଗୃହରକ୍ଷୀ ନବଦମ୍ପତି ତାଙ୍କ ପରିବାର ସହ ଫେରୁଥିବା ଏକ ସ୍କର୍ପିଓ (ଜେଏଚ୍‌୨ଇ-୩୬୮୫) ଝାଡ଼ଖଣ୍ଡ ରାଞ୍ଚି ଗନ୍ଧାରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ନବବିବାହିତା ମହିଳା ପ୍ରୀତି କୁମାରୀ (୨୩), ତାଙ୍କ ପିଉସୀ ପିଙ୍କି କୁମାରୀ (୩୦) ଓ ମା’ ବିମଳା ଦେବୀ (୬୦)। ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଗୃହରକ୍ଷୀ ରଶ୍ମିକାନ୍ତ ଓ ତାଙ୍କର ଦୁଇ ଶାଳୀ ପ୍ରିୟା, ପ୍ରିୟଙ୍କା, ଶାଳକ ରାହୁଲ ପ୍ରସାଦ ଏବଂ ଅନ୍ୟ ଦୁଇ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ହଜାରିବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ରାଞ୍ଚି ପୁଲିସ ଘଟଣାସ୍ଥଳରୁ ୩ ଜଣଙ୍କର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ହଜାରିବାଗ ପଠାଇଛି। ଏହି ଘଟଣାକୁ ନେଇ ବୀରମିତ୍ରପୁର ଓ ରାଏବଗା ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।  

Advertisment

ସ୍ବାମୀ, ମାଆ, ୨ ଭଉଣୀଙ୍କ ସହିତ ୬ ଗୁରୁତର

ସୂଚନା ମୁତାବକ ରାଏବଗା ଥାନାରେ ରାଏବଗାର ରଶ୍ମିକାନ୍ତ (ବୁତୁରୁ) ସାହୁ ଗୃହରକ୍ଷୀ ଭାବେ କାର୍ଯ୍ୟ କରନ୍ତି। ଏପ୍ରିଲ ୨୦ରେ ଝାଡ଼ଖଣ୍ଡ ଲମଟାର ଅମରଦୀପ ପ୍ରସାଦଙ୍କ ଝିଅ ପ୍ରୀତି କୁମାରୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ଦୁଇଦିନ ପୂର୍ବରୁ ଗତ ଗୁରୁବାର ଦିନ ପତ୍ନୀଙ୍କ ସହ ନିଜ ସ୍କର୍ପିଓରେ ଶ୍ବଶୁରଘରକୁ ବୁଲିବାକୁ ଯାଇଥିଲେ। ଆଜି ପତ୍ନୀ, ଦୁଇ ଶାଳୀ, ଶାଶୂ, ପିଉସୀଶାଶୂ, ଶାଳକ ଓ ଦୁଇଶିଶୁଙ୍କ ସହ ଝାଡ଼ଖଣ୍ଡର ଚତରା ନିକଟ ଇଟଖୋରି ମା’ ଭଦ୍ରକାଳୀଙ୍କ ଦର୍ଶନ ପାଇଁ ସକାଳ ପ୍ରାୟ ୧୦ଟାରେ ଘରୁ ବାହାରିଥିଲେ। ରଶ୍ମିକାନ୍ତଙ୍କ ଶାଳକ ସ୍କର୍ପିଓ ଚଳାଉଥିଲେ। ଠାକୁର ଦର୍ଶନ କରିବା ପରେ ଅପରାହ୍ନ ପ୍ରାୟ ୩ଟାରେ ଶ୍ବଶୁରଘରକୁ ଫେରୁଥିଲେ। ଗନ୍ଧାରିଆ ସହର ନିକଟରୁ କିଛି ଦୂରରେ ସ୍କର୍ପିଓ ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟି ହୋଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଗୃହରକ୍ଷୀଙ୍କ ସମେତ ୬ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।