ଲକ୍ଷାଧିକ ଟଙ୍କାର ସ୍କ୍ରାପ ସହ ବାଇକ, ସାଇକଲ ଜବତ

ଦାନଗଦୀ : ନୀଳାଚଳ ଇସ୍ପାତ କାରଖାନାର ସୁରକ୍ଷା ଅଧିକାରୀ ସ୍ଵାଧୀନ ପଣ୍ଡାଙ୍କ ନେତୃତ୍ଵରେ କାରଖାନାର ସୁରକ୍ଷା କର୍ମୀ ଏବଂ କଳିଙ୍ଗନଗର ଥାନା  ଅଧିକାରୀ ପ୍ରିୟବ୍ରତ ରାଉତ ସଦଳବଳେ  ନଡ଼ିଆଭଙ୍ଗା ପଞ୍ଚାୟତ ପଳାଶୁଣି ଗାଁରେ  ଚଢ଼ଉ କରି ବହୁ ପରିମାଣର ଲୁହା ସ୍କ୍ରାପ୍‌ ସହ ୩ଟି ବାଇକ୍‌ ଏବଂ ୩ଟି ସାଇକଲ୍‌ ଜବତ କରିଛନ୍ତି। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଫେରାଇ ହୋଇଯାଇଥିଲେ। ଜବତ ୩ ବାଇକ୍‌ ମଧ୍ୟରୁ ଗୋଟିଏ ବାଇକ୍‌ ନୀଳାଚଳ କାରଖାନାର ଜନୈକ କର୍ମଚାରୀଙ୍କ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଜବତ ସ୍କ୍ରାପ ସବୁକୁ ପୁଲିସ କାରଖାନାକୁ ହସ୍ତାନ୍ତର କରିଛି।

ଗତକାଲି ରାତିରେ ପଳାଶୁଣି ଗାଁ ନିକଟ କାରଖାନା ପାଚେରି ଡେଇଁ ଦୁର୍ବୃତ୍ତମାନେ ସ୍କ୍ରାପ୍ ଲୁଟ୍‌ କରିଥିଲେ,। ଆଜି ସେସବୁକୁ ବାହାରକୁ  ଚାଲାଣ ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ କାରଖାନା ସୁରକ୍ଷା ଅଧିକାରୀ ସ୍ଵାଧୀନ ପଣ୍ଡା କଳିଙ୍ଗନଗର ପୁଲିସ ସହଯୋଗରେ ଚଢ଼ଉ କରିଥିଲେ। ନୀଳାଚଳକୁ ଟାଟା ଲଙ୍ଗପ୍ରଡକ୍ଟ କିଣିବା ପରେ ଚୋରି କମିଥିବା କମ୍ପାନି କହୁଥିବା ବେଳେ ମୁକୁଳା ପାଚେରି ଓ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନ ଥିବାରୁ ଚୋରି ନିୟନ୍ତ୍ରଣ ହୋଇପାରୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର