ମାର୍ଚ୍ଚ ୩୧ ସୁଦ୍ଧା ସ୍କ୍ରାପିଙ୍ଗ ହେବ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ୧୫ ବର୍ଷରୁ ପୁରୁଣା ସରକାରୀ ଓ ସରକାରୀ ସଂସ୍ଥାର ଗାଡି ସ୍କ୍ରାପିଙ୍ଗ ହେବ | ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି | ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୧୫ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ି ଆଉ ରାସ୍ତାରେ ଗଡ଼ିପାରିବନି। ଏହି ଗାଡ଼ିର ପଞ୍ଜୀକରଣ ବି ନବୀକରଣ ହେବନି ବୋଲି କେନ୍ଦ୍ର ସରକାର ନିୟମ କରିବା ପରେ ଏଗୁଡ଼ିକୁ ସ୍କ୍ରାପିଙ୍ଗ କରାଯିବ | ଆଉ ଏହି ସବୁ ଗାଡ଼ିର ସ୍କ୍ରାପିଙ୍ଗ ପାଇଁ ସ୍ବୀକୃତିପ୍ରାପ୍ତ ଆରଭିଏସଏଫ ସେଣ୍ଟର ଖୋଲାଯାଇଛି | ଏହି ସେଣ୍ଟରରେ ବିଭାଗ ପକ୍ଷରୁ ଗାଡ଼ିଗୁଡ଼ିକୁ ସ୍କ୍ରାପିଙ୍ଗ କରିବା ପରେ ଆରଟିଓଙ୍କୁ ଉକ୍ତ ଗାଡିର ରେଜିଷ୍ଟ୍ରେସନ ନମ୍ବର ବାତିଲ କରିବାକୁ କହିବାକୁ ପଡିବ |

ଆଉ ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଏହା ସାରିବାକୁ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି | ଉଲ୍ଲେଖ ଥାଉ କି ରାଜ୍ୟ ସରକାରଙ୍କର ୫୬୩ଟି ଗାଡ଼ି ଏବେ ୧୫ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ବି ଏହା ଗଡ଼ିବା ଯୋଗ୍ୟ ଅଛି। ଏଥିରେ ୧୫ରୁ ୨୦ବର୍ଷ ପୁରୁଣା ୩୦୦ଟି ଗାଡ଼ି ଥିବାବେଳେ ୨୬୩ଟି ଗାଡ଼ି ୨୦ବର୍ଷରୁ ଅଧିକ ପୁରୁଣା। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବେ ୧୮୫ଟି ୧୫ରୁ ୨୦ବର୍ଷ ପୁରୁଣା ଏବଂ ୧୭୪ଟି ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ଅଧିକୃତ ବିଭିନ୍ନ ସଂସ୍ଥାରେ ବାବୁମାନେ ୯୭ଟି ୧୫ରୁ ୨୦ବର୍ଷ ପୁରୁଣା ଗାଡ଼ି ଚଢ଼ୁଥିବାବେଳେ ୮୭ଟି ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ ସ୍ବୟଂଚାଳିତ ସଂସ୍ଥାଗୁଡ଼ିକ ୧୮ଟି ୧୫ରୁ ୨୦ବର୍ଷ ପୁରଣା ଗାଡ଼ି ଏବଂ ୨ଟି ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚଳାଉଛନ୍ତି। ଏହିପରି ୫୬୩ଟି ପୁରୁଣା ଗାଡ଼ି ନୂଆ ନିୟମ ଅନୁଯାୟୀ ବ୍ୟବହାର ହୋଇପାରିବନି ବୋଲି ନିର୍ଦ୍ଦେଶନାମା ଆସିଛି।

ସମ୍ବନ୍ଧିତ ଖବର