ରାଉରକେଲା: ଟ୍ରକ୍‌ ସହ ୩୦ ଟନ୍‌ ଲୁହା ପାଇପ୍‌ ଚୋରି ମାମଲାରେ ବ୍ରାହ୍ମଣୀତରଙ୍ଗ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଝାଡ଼ଖଣ୍ଡ କୋଲେବିରା ନୂଆଟୋଲିର ଓମ୍‌ପ୍ରକାଶ ରାୟ(୬୦)। ଅଭିଯୁକ୍ତ ପାଖରୁ ୫ ଟନ୍‌ ଲୁହା ପାଇପ୍‌ ଜବତ ହୋଇଛି। ମୁଖ୍ୟ ଅଭିଯୁକ୍ତ ଗାଡ଼ି ଚାଳକ ପାଖରୁ ଓମପ୍ରକାଶ ଚୋରା ସାମଗ୍ରୀ କିଣିଥିଲେ। ପୁଲିସ ଛାନ୍‌ଭିନକରି କୋଲେବିରାରେ ପହଞ୍ଚିଥିଲା। ସେଠାରେ ଓମପ୍ରକାଶଙ୍କ ଏକ ସ୍କ୍ରାପ୍‌ଗୋଦାମ ରହିଛି। ଅଭିଯୁକ୍ତ ଦୀର୍ଘବର୍ଷ ହେଲା ଏଭଳି ଚୋରା ସାମଗ୍ରୀ କିଣାବିକା କାରବାରରେ ଲିପ୍ତ ଅଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଗାଡ଼ି ଚାଳକର କୌଣସି ପତ୍ତା ମିଳିପାରିନି।

Advertisment

ଉଲ୍ଲେଖଯୋଗ୍ୟ, ବେଦବ୍ୟାସସ୍ଥ ମହାବୀର ଟ୍ରାନ୍ସପୋର୍ଟ୍‌ରେ ଲାଗିଥିବା ଏକ ଟ୍ରକ୍‌(ୟୁପି-୭୨-ଟି-୧୩୫୪)ରେ ଝାଡ଼ଖଣ୍ଡ କୋଡରମାର ପ୍ରଭାତ ସିଂହ ଚାଳକ ଥିଲେ। ପ୍ରଭାତ ଗତ ୨୫ ତାରିଖରେ କଳୁଙ୍ଗାସ୍ଥ ବଜରଙ୍ଗ ସ୍ପଞ୍ଜ ଆଣ୍ଡ୍‌ ପାୱାର ଲିମିଟେଡ୍‌ରୁ ୩୦ ଟନ୍‌ ଲୁହା ପାଇପ୍‌ ଲୋଡିଂ କରି ଗାଜିଆବାଦ ଅଭିମୁଖେ ବାହାରିଥିଲା। କିନ୍ତୁ ସାମଗ୍ରୀ ନିର୍ଦ୍ଧାରିତ ସ୍ଥାନରେ ନ ପହଞ୍ଚାଇ କୋଲବିରା‌ର ସ୍କ୍ରାପ୍‌ବେପାରି ଓମ୍‌ପ୍ରକାଶ ନିଟକରେ ବିକ୍ରି କରିଦେଇଥିଲା। ଏହାପରେ ଅଭିଯୁକ୍ତ ଟ୍ରକ୍‌ ଧରି କୁଆଡ଼େ ଫେରାର ହୋଇଯାଇଥିଲା। ଏନେଇ ଲିଖିତ ଅଭିଯୋଗ ହେଲାପରେ ବ୍ରାହ୍ମଣୀତରଙ୍ଗ ପୁଲିସ ଥାନା ଛାନ୍‌ଭିନ ଆରମ୍ଭ କରିଥିଲା।