ବରଗଡ଼: ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସ୍କ୍ରବ ଟାଇଫ୍ସ ସଂକ୍ରମଣ । ଜୀବନ ନେଉଛି ସ୍କ୍ରବ ଟାଇଫ୍ସ । ବରଗଡ଼ରେ ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ବରଗଡ଼ର ଅତାବିରା, ଭେଡେନ, ବରପାଲିରୁ ଜଣେ ଲେଖାଏ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୋହେଲା ବ୍ଳକର ୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଆହୁରି ୪ ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି ।
ଏହି ବିଶାକ୍ତ କୀଟକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଶେଷକରି ଚାଷ ଜମିରେ ସ୍କ୍ରବ ଟାଇଫସ କୀଟ ଦେଖିବାକୁ ମିଳିଛି । ଚାଷ କାର୍ଯ୍ୟ ପାଇଁ ଚାଷୀ ବିଲକୁ ଯାଉଥିବାରୁ ସେମାନେ ଏହି କୀଟ ଆକ୍ରମଣର ଶିକାର ହେଉଛନ୍ତି । ତେବେ ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ପରୀକ୍ଷା କରଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।
ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ। ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ। ଯାହାକୁ ଏସ୍ଚର ଭାବେ ବିବେଚନା କରାଯାଉଛି। ଚଳିତବର୍ଷ ରାଜ୍ୟର ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦୁଝରରୁ ସର୍ବାଧିକ ମାମଲା ଆସିଥିବା ସୂଚନା ମିଳିଛି।
ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ସ୍ଥଳ ବିଶେଷରେ ଡିସେମ୍ବର ପର୍ଯ୍ୟନ୍ତ ମାଡ଼ିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ, ବରଂ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/a90800af-d786-4ebc-a08e-e9e2c476dfc8.jpg)