ସମ୍ବଲପୁର: କାୟା ବିସ୍ତାର କରୁଛି ସ୍କ୍ରବ୍ ଟାଇଫସ୍। ୮ ମାସ ମଧ୍ୟରେ ଅର୍ଥାତ ଜାନୁଆରିରୁ ଅଗଷ୍ଟ ମାସ ମଧ୍ୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମ୍ସାର)ରେ ସମୁଦାୟ ୪୧୮ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ଏହା ସହିତ ଘରୋଇ ଡାକ୍ତରଖାନାରେ ମଧ୍ୟ ଏହି ରୋଗରେ ଚିକିତ୍ସିତ ହେଉଛନ୍ତି। ମ୍ୟାଲେରିଆ, ଟାଇଫଏଡ୍ ପ୍ରବଣ ପଶ୍ଚିମ ଓଡ଼ିଶାରେ ଗତ କିଛି ବର୍ଷ ହେଲା ସ୍କ୍ରବ ଟ୍ରାଇଫସ ନୂତନ ରୋଗ ଭାବରେ ଚିନ୍ତା ବଢ଼ାଇବା ଆରମ୍ଭ କରିଛି। ଭିମସାର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାଏକଙ୍କ ସୂଚନା ଅନୁସାରେ, ‘ଭିମ୍ସାରରେ ପ୍ରତି ମାସରେ ହାରାହାରି ୨୧୦୦ରୁ ୨୫୦୦ ସ୍କ୍ରବ୍ ଟାଇଫସ୍ ସନ୍ଦେହରେ ପରୀକ୍ଷଣ କରାଇଥାଆନ୍ତି। ଏଥିରୁ ଜାନୁଆରିରେ ୪୮, ଫେବ୍ରୁଆରିରେ ୧୨, ମାର୍ଚରେ ୧୦, ଏପ୍ରିଲ ୧୬, ମେ ୧୩, ଜୁନ ୧୦୪, ଜୁଲାଇ ୫୩ ଏବଂ ଅଗଷ୍ଟରେ ସର୍ବାଧିକ ୧୬୨ ଜଣଙ୍କ ଠାରେ ଏହି ରୋଗ ଚିହ୍ନଟ କରାଯାଇଛି। ସମସ୍ତେ ମେଡିସିନ ବିଭାଗରେ ଚିକିତ୍ସିତ ହୋଇଛନ୍ତି। ଭିମ୍ସାରେ ଚିକିତ୍ସାଧୀନ ଅବସ୍ଥାରେ କାହାରି ମୃତ୍ୟୁ ହୋଇନଥିବା ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତବର୍ଷ ବରଗଡ଼ ଓ ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ ଯୋଗୁଁ ରୋଗୀ ମୃତ୍ୟୁକୁ ନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍ ଏହି ଅଞ୍ଚଳ ଗସ୍ତ କରିଥିଲେ। ଚଳିତ ବର୍ଷ ବରଗଡ଼ରେ ପୁଣି ସ୍କ୍ରବ୍ ଟାଇଫସ୍ ଜୀବନ ନେବା ଆରମ୍ଭ କରିଛି। ଭିମସାର ମେଡିସିନ ବିଭାଗ ଡାକ୍ତର ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଭିମସାରକୁ ଆସୁଥିବା ଅଧିକାଂଶ ରୋଗୀ ଜ୍ବର ଓ ଜଣ୍ଡିସର ଲକ୍ଷଣ ନେଇ ଆସୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରୁ ଆସୁଥିବାରୁ ସମସ୍ତେ ସୁସ୍ଥ ହୋଇ ଫେରୁଛନ୍ତି।
ଭିମ୍ସାର କମ୍ୟୁନିଟି ମେଡିସିନ ବିଭାଗର ସହକାରୀ ପ୍ରଫେସର ସଞ୍ଜୀବ ମିଶ୍ର କହିଛନ୍ତି, ସ୍କ୍ରବ୍ ଟାଇଫସ ଏକ ଭୂତାଣୁବାହିତ ରୋଗ। ଥମ୍ବକୁଲଏଟ ମାଇଟ୍ କାମୁଡ଼ିଲେ ରିକେସିଆ ସୁସୁଗାମୁସି ମନୁଷ୍ୟ ଶରୀରକୁ ପ୍ରବେଶ କରିଥାଏ। ଲସିକାଗ୍ରନ୍ଥିକୁ ପ୍ରବେଶ କରିଗଲେ, ବିଭିନ୍ନ ପ୍ରକାର ଅଙ୍ଗକୁ ପ୍ରଭାବିତ କରିପାରେ। ଏହାର ପ୍ରାଥମିକ ଲକ୍ଷଣ ସ୍ବରୂପ ଜ୍ବର ହୋଇଥାଏ। ଏହାପରେ ଶୀତ ଅନୁଭବ, ମୁଣ୍ଡବ୍ୟଥା, ଶରୀରବିନ୍ଧା, ଗଣ୍ଠିପୀଡ଼ା, କାଶ, ଝାଡ଼ା ସହିତ ମସ୍ତିଷ୍କକୁ ପ୍ରଭାବିତ କରି ରୋଗୀ କୋମାକୁ ଯାଇ ପାରନ୍ତି। ପ୍ରାଥମିକ ପର୍ଯ୍ୟାୟରୁ ହିଁ ଜ୍ବରର କାରଣ ଜଣାପଡ଼ିଲେ, ଡାକ୍ତରଖାନାରେ ମାଗଣାରେ ମିଳୁଥିବା ସ୍କ୍ରବ୍ ଟାଇଫସ୍ ଔଷଧ ସେବନ କଲେ ସର୍ବାଧିକ ୧୫ ଦିନ ମଧ୍ୟରେ ରୋଗୀ ସୁସ୍ଥ ହୋଇପାରନ୍ତି। ଅନେକ ସମୟରେ ଜ୍ବରର କାରଣ ଜଣାପଡ଼େ ନାହିଁ। ରୋଗୀଙ୍କ ସ୍ଥିତି ଜଟିଳ ହୋଇଯାଏ। ମସ୍କିଷ୍କକୁ ସଂକ୍ରମିତ କରି କୋମା, କିଡ୍ନି କିମ୍ବା ଲିଭର ହୋଇ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଗତବର୍ଷ ଯେଉଁମାନଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ରୋଗର କାରଣ ବିଳମ୍ବରେ ଜଣାପଡ଼ିଥିବାରୁ ସ୍ଥିତି ଜଟିଳ ହୋଇ ସାରିଥିଲା। ସ୍କ୍ରବ୍ ଟାଇଫସରେ ମାଇଟ୍ କାମୁଡ଼ିବା ସ୍ଥାନଟି କଳା ପଡ଼ିଯାଏ। ଏହା ସାଧାରଣତଃ ଜଙ୍ଘ ସନ୍ଧି, କାଖ ସନ୍ଧି ଭଳି ଶରୀରର ଗୋପନୀୟ ସ୍ଥାନରେ କାମୁଡ଼ିଥାଏ। ତେଣୁ ରୋଗୀ ନିଜେ ମଧ୍ୟ ସହଜରେ ଜାଣିପାରନ୍ତି ନାହିଁ। ବିଶେଷ କରି ଜଙ୍ଗଲ ଏବଂ ଚାଷ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ହୋଇଥାଏ। ଜଙ୍ଗଲ ଧ୍ବଂସ ଯୋଗୁଁ ଏହିଭଳି ବିଷାକ୍ତ କୀଟ ସହରକୁ ଆସିବା ଆରମ୍ଭ କରିଛନ୍ତି। ଏହାର ନିରାକରଣ ଔଷଧ ପିଏଚ୍ସି, ସିଏଚ୍ସି ସମେତ ସବୁ ଡାକ୍ତରଖାନାରେ ଉପଲବ୍ଧ ରହିଛି। ପରୀକ୍ଷଣ ବ୍ୟବସ୍ଥା ମଧ୍ୟ ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ରହିଛି।
୧୨୯ଜଣ ସ୍କ୍ରବ୍ ଟାଇଫସ୍ ପିଜିଟିଭ
ସମ୍ବଲପୁର ସିଡିଏମ୍ଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ସୂଚନା ଅନୁସାରେ, ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁରରେ ୧୨୯ ଜଣଙ୍କ ଠାରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ଜିଲ୍ଲାର କାହାରି ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିନାହିଁ। ଏଡିଏମ୍ଓ ପିଏଚ ଡାକ୍ତର ଅଶୋକ ଦାସ କହିଛନ୍ତି, ଗତବର୍ଷ କନଖିଣ୍ଡାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ନିର୍ଦ୍ଦିଷ୍ଟ ସ୍ଥାନ ନୁହେଁ ସବୁ ଅଞ୍ଚଳରୁ ଆସୁଛନ୍ତି। ଖାଲିପାଦରେ ଖେଳିଲେ ପୋକ କାମୁଡ଼ିବାର ଆଶଙ୍କା ଥାଏ। କାମୁଡ଼ିବା ସ୍ଥାନଟି କଳା ହୋଇଯାଏ।