ଚନ୍ଦାହାଣ୍ଡିରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍ ରୋଗ

ଧୋଡ଼ିପାଣିରେ ୩୧ ନମୁନାରୁ ୧୯ ପଜିଟିଭ୍

ଚନ୍ଦାହାଣ୍ଡି : କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ବ୍ୟାପୁଛି ସ୍କ୍ରବ୍‌ ଟାଇଫସ୍‌ ରୋଗ। କେବଳ ଧୋଡ଼ିପାଣି ଗାଁରେ ଏହି ରୋଗରେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଅନ୍ୟ ଅଞ୍ଚଳକୁ ବି ଏହା ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରିଛି। ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ଜାରି ରହିଛି। ପୂର୍ବରୁ ଏହି ରୋଗ ବିଷୟରେ ଅଞ୍ଚଳବାସୀ ଆଦୌ କିଛି ଜାଣି ନଥିବାରୁ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଧୋଡ଼ିପାଣି ଗାଁର କିଛି ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ରାୟଗଡ଼ା ଜିଲ୍ଲା ବିଷମକଟକସ୍ଥିତ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ସେମାନେ ସ୍କ୍ରବ ଟାଇଫସ୍‌ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଥିଲା। ଗାଁରେ ସମାନ ଲକ୍ଷଣ ଥିବା ଆହୁରି ଅନେକ ଲୋକ ରହିଥିବାରୁ ଖବର ପାଇ ଆଜି ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍‌ ଗାଁରେ ପହଞ୍ଚିଛି। ମୋଟ ୩୧ଟି ନମୁନା ମଧ୍ୟରୁ ୧୯ ନମୁନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛି। କିଛି ନମୁନା ନବରଙ୍ଗପୁରକୁ ପରୀକ୍ଷା ପାଇଁ ପଠାଯାଇଛି।

ଜ୍ବର ହେବା ଏବଂ ଶରୀରର ତାପମାତ୍ରା ବଢ଼ିବା ସହ ଦୁର୍ବଳ ଲାଗିବା ଆଦି ‌ଏହି ରୋଗର ଲକ୍ଷଣ। କୌଣସି ବିଷାକ୍ତ ପୋକ କାମୁଡ଼ିବା ଦ୍ବାରା ରୋଗୀ ସଂକ୍ରମିତ ହୋଇଥାଏ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ଅଞ୍ଚଳରେ କେହି ସ୍କ୍ରବ୍‌ ଟାଇଫସ୍‌ ରୋଗରେ ଆକ୍ରାନ୍ତ ହେବା ସରକାରୀ ରେକର୍ଡ ନାହିଁ। ତେବେ ଅଳ୍ପ ଦିନ ମଧ୍ୟରେ ୨୦ରୁ ଅଧିକ ଏହି ରୋଗରେ ଚିହ୍ନଟ ହୋଇଥିବାରୁ ଲୋକେ ଚିନ୍ତିତ ରହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଶେଷଜ୍ଞ ଟିମ୍‌ ଆସି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ରୋଗର କାରଣ ତଥା ନିରାକରଣ ସଂପର୍କରେ ଅଧିକ ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର