ସୁନ୍ଦରଗଡ଼: ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଇଛି ସ୍କ୍ରବ୍ ଟାଇଫସ୍। ସୁନ୍ଦରଗଡ଼ ଜିଲ୍ଲାରେ ଜାନୁ୍ଆରିରୁ ଆଜି ସୁଦ୍ଧା ୨୨୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୭ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୫୧ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ତନ୍ମଧ୍ୟରୁ ୧୦ ରୋଗୀ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୨୨୧ ଜଣ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥଥିବା ସ୍ବାସ୍ଥ୍ୟ ବିଭଗ ସୂଚନା ଦିଆଯାଇଛି। ଜିଲ୍ଲାର ସଦର ବ୍ଲକ୍ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଛି। ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ସିଡିଏମଓ ଡ. କାହ୍ନୁଚରଣ ନାୟକ। ସେପଟେ ସ୍ବାସ୍ଥ୍ୟ ବିଭାଗର ସଚେତନତା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ରହିଛି।
ସ୍କ୍ରବ୍ ଟାଇଫସ୍ ବଲାଙ୍ଗୀର ଜିଲ୍ଲାରେ ଉଗ୍ର ରୂପ ନେଉଛି। ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତଙ୍କ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାରେ ଗତ ଅଗଷ୍ଟ ମାସରେ ଏହି ରୋଗରେ ୧୭୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ମାସ ଏ ପର୍ଯ୍ୟନ୍ତ ୧୬୫ ଜଣ ଆକ୍ରାନ୍ତ ହେଲେଣି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୩୭ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଏଥିରେ ପ୍ରାଣହାନି ହୋଇନଥିବା ନେଇ ଡା. ମହାନ୍ତ କହିଛନ୍ତି। ମୋଟ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଅନେକ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ତଥା ଅନ୍ୟାନ୍ୟ ହସପିଟାଲରେ ଚିକତ୍ସିତ ହୋଇ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ମଧ୍ୟ କିଛି ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଡା. ମହନ୍ତ କହିଛନ୍ତି। ଏହା ପୁରୁଣା ରୋଗ ହୋଇଥିବା ଓ ଏହା ଏବେ ପୁଣି ଫେରିଥିବା ଜଣାଯାଇଛି। ଏହା ବର୍ଷାକାଳୀନ ରୋଗ ହୋଇଥିବାରୁ ବର୍ଷା ଋତୁ ପରେ ଏହି ରୋଗ ଧୀରେ ଧୀରେ କମି ଯାଇଥାଏ। ଏଲିସା ପରୀକ୍ଷା ଦ୍ବାରା ଏହି ରୋଗ ଚିହ୍ନଟ କରାଯାଉଛି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।