ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା‌ରେ ପୁଣି ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ୍‌। ନିୟମିତ ବ୍ୟବଧାନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ପୂର୍ବବର୍ଷ ଭଳି ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁନି। ଗତ ଜାନୁଆରି ପହିଲାରୁ ଅଗଷ୍ଟ ୧୮ ସୁଦ୍ଧା ଜିଲ୍ଲାରେ ମୋଟ ୬୭୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ ସଂକ୍ରମଣ ତୁଳନାରେ ସୁସ୍ଥହାର ମଧ୍ୟ ଆଶ୍ବସ୍ତି ଦେଇଛି। ଏବେ ୧୮ ଜଣ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଚିକିତ୍ସାଧୀନ ଅଛନ୍ତି। 

Advertisment

ଜାନୁଆରିରୁ ଅଗଷ୍ଟ ୧୮ ତାରିଖ ଭିତରେ ଜିଲ୍ଲାରେ ମୋଟ ୪୦୧୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥରୁ ୬୭୮ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଅର୍ଥାତ୍‌ ଜିଲ୍ଲାର ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ୍‌ ହାର ହେଉଛି ୧୬.୮୯ ପ୍ରତିଶତ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୧୮୫୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୩୬୫ (୧୯.୬୯%) ପଜିଟିଭ୍‌ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଯାଇଥିବା ୨୧୬୧ଟି ନମୁନାରୁ ୩୧୩ (୧୪.୪୮%) ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ହେଉଛନ୍ତି ପଡ଼ୋଶୀ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟର। ଏଥି ମଧ୍ୟରୁ ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ାର ୧୫ ଜଣ ଆକ୍ରାନ୍ତ ଥିବାବେଳେ ସମ୍ବଲପୁରର ୧୩ଜଣ, ଦେବଗଡ଼ର ୨ଜଣ ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ୨୫, ଛତିଶଗଡ଼ର ୪ ଜଣ। ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ରାଉରକେଲା ସହରାଞ୍ଚଳର।

ରାଉରକେଲାରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ସହରାଞ୍ଚଳରୁ ୭୯ ଜଣ, ଟାଙ୍ଗରପାଲି ବ୍ଲକରୁ ୬୯ଜଣ, ଲାଠିକଟାରୁ ୫୩ ଜଣ, ବିଶ୍ରାରୁ ୪୧ ଜଣ, କୁଆରମୁଣ୍ଡାରୁ ୩୭ଜଣ, ସବଡେଗାରୁ ୩୩ ଜଣ, ବାଲିଶଙ୍କରାରୁ ୨୮ ଜଣ, ଲେଫ୍ରିପଡ଼ାରୁ ୨୩ ଜଣ, ନୂଆଗାଁରୁ ୨୧ଜଣ, ବଡ଼ଗାଁରୁ ୧୭ ଜଣ, ହେମଗିରରୁ ୧୨ ଜଣ, ରାଜଗାଙ୍ଗପୁର ୧୧ ଜଣ, କୁତ୍ରାର ୧୧ ଜଣ, ଲହୁଣୀପଡ଼ାରୁ ୯ ଜଣ, କୋଇଡ଼ା ୭ ଜଣ, ଗୁରୁଣ୍ଡିଆରୁ ୪ ଜଣ ଓ ମଝାପଡ଼ାରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରିରୁ ଜୁନ ମାସ ଯାଏଁ ଏହିସଂଖ୍ୟା ଢେର୍‌ କମ୍‌ ରହିଥିଲା। ତେବେ ଗତ ଦୁଇମାସ, ଅର୍ଥାତ୍‌ ଜୁଲାଇ ଓ ଅଗଷ୍ଟରେ ରୋଗୀ ସଂଖ୍ୟା ଅଧିକ ବଢ଼ିଛି। ଗତ ଜୁଲାଇ ମାସରେ ୧୭୨ ଜଣ ଓ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୩୪୦ ଜଣ ଚିହ୍ନଟ ହୋଇସାରିଲେଣି।