ସୁନ୍ଦରଗଡ଼: ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ସୁନ୍ଦରଗଡ଼କୁ ଘାରିଥାଏ ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣ ଭୟ। ଠିକ୍‌ ବର୍ଷା ପଡ଼ୁପଡ଼ୁ ମାଡ଼ିଆସେ ସଂକ୍ରମଣ। ଏହି ୪ ମାସ ମୂଷାଦେହରେ ଥିବା ଟିଙ୍କଜାତୀୟ ଚିଗର ପୋକ କାମୁଡ଼ାରେ ଅଧିକ ଲୋକ ଆକ୍ରାନ୍ତ ହୋଇଥାନ୍ତି। ସାଧାରଣତଃ ଏହି ପୋକ ବୁଦୁବୁଦୁକିଆ ସ୍ଥାନ, ଜଙ୍ଗଲ, ବିଲରେ ରହିଥାଏ। ଆଉ ବର୍ଷାଦିନରୁ ଆରମ୍ଭ କରି ଥଣ୍ଡା ବଢ଼ିବା ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ସେମାନେ ମୂଷାଦେହରେ ରହିଥାନ୍ତି। ଏହି ସମୟରେ ଚାଷୀମାନେ କ୍ଷେତ, ଜଙ୍ଗଲକୁ ବେଶି ଯିବାଆସିବା କରୁଥିବାରୁ ପୋକ କାମୁଡ଼ା ଦ୍ୱାରା ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥାନ୍ତି। ୩ ବର୍ଷର ରିପୋର୍ଟକୁ ଦେଖିଲେ ବର୍ଷା ଓ ଥଣ୍ଡା ସମୟରେ ଏହି ସଂକ୍ରମଣ ବ୍ୟାପୁଥିବା ସ୍ପଷ୍ଟ। 

Advertisment

ସ୍ବାସ୍ଥ୍ୟବିଭାଗର ତଥ୍ୟ ଅନୁସାରେ, ୨୦୨୨ରେ ୫୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୩୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ୨୦୨୩ରେ ୪୦୫୧ ଜଣଙ୍କ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ୭୪୬ ସଂକ୍ରମିତ ଥିବା ଜଣାପଡ଼ିଥିଲା। ୨୦୨୪ରେ ୮୬୫୭ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ସଂକ୍ରମିତ ଥିଲେ ୨୦୫୨। ଚଳିତବର୍ଷ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୭୩୫୮ଟି ନମୁନା ପରୀକ୍ଷା କରାଯାଇଥିବା ଓ ସେଥିରୁ ୧୫୪୬ ଆକ୍ରାନ୍ତ ହୋଇଥିବାବେଳେ ଦୁଇଜଣଙ୍କର ଜୀବନ ଯାଇଥିବା ଜଣାପଡ଼ିଛି। ଏ ତଥ୍ୟକୁ ନେଇ ଗ୍ରାମାଞ୍ଚଳର ଲୋକେ ଭୟଭୀତ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗ କହୁଛି ଡରିବାର କୌଣସି କାରଣ ନାହିଁ। ପରୀକ୍ଷା ହେଉଛି ଓ ଔଷଧ ମହଜୁଦ ରହିଛି। ଠିକ୍‌ ସମୟରେ ଚିକିତ୍ସିତ ହେଲେ ରୋଗୀ ଭଲ ହେଉଛନ୍ତି। ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଲୋକଙ୍କୁ ସଚେତନ କରିବା ସହ ଚିଗର ପୋକକୁ କିଭଳି ଦମନ କରାଯାଇପାରିବ ସେ ନେଇ ଯୋଜନା କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସୁରେଶ ଚନ୍ଦ୍ର ମହାନ୍ତି କହିଥିଲେ ଯେ ସ୍କ୍ରବ୍‌ ଟାଇଫସ୍‌ରେ ଅନ୍ୟବର୍ଷ ତୁଳନାରେ ଚଳିତବର୍ଷ ପଜିଟିଭ୍‌ ଓ ମୃତ୍ୟୁହାର କମ୍‌ ରହିଛି। କେବଳ ଅବହେଳା ପାଇଁ ଜୀବନ ଯାଉଛି।