ଭୁବନେଶ୍ବର: ରତ୍ନଭଣ୍ଡାର ପ୍ରସଙ୍ଗ‌ ସମେତ ନକଲି ଚାବି ଓ ଦୁର୍ନୀତି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଘେରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। କଟକ ନିଶ୍ଚିନ୍ତକୋଇଲିର ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ଭର୍ତ୍ତୃହରି ଦୁର୍ନୀତି ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି। ଶ୍ରୀ ମହତାବ କହିଥିଲେ ଯେ ପ୍ରଥମେ କୁହାଗଲା ରତ୍ନଭଣ୍ଡାର ଚାବି ହଜି ଯାଇଛି। ପରେ କୁହାଗଲା ନକଲି ଚାବି ମିଳିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ୩ଟି ଚାବି ଆସିଲା ତର୍ହିରୁ ୨ଟି ଚାବି ତାଲା ଭିତରେ ପଶିଲା ନାହିଁ। ସରକାରରେ କ’ଣ ଚାଲିଥିଲା। ଏମାନଙ୍କୁ ସେମିତି ଛାଡ଼ି ଦେବା ଉଚିତ ହେବନାହିଁ। ତେଣୁ ଆସନ୍ତା ବଜେଟ୍‌ରେ ଜେଲ୍‌ ବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିବା ଦରକାର। କାରଣ ଜେଲ୍‌ରେ ଅଧିକ କୋଠରୀ ତିଆରି କରିବାର ଆବଶ୍ୟକତା ରହିଛି। ଯେଉଁମାନେ ଅଳିଆ କରିଛନ୍ତି ସେମାନଙ୍କୁ ଧରି ଜେଲ୍‌ରେ ପୂରେଇବାକୁ ପଡ଼ିବ। ସମସ୍ତଙ୍କୁ ଜେଲ୍‌ ପଠାଇଲେ ଜେଲ୍‌ରେ କୋଠରୀର ଅଭାବ ପଡ଼ିବ। ତେଣୁ ଜେଲ୍‌ ପାଇଁ ବଜେଟ୍‌ରେ ଅଧିକ ଅନୁଦାନ ଦେବାର ଆବଶ୍ୟକତା ପଡ଼ିବ ବୋଲି ମୋର ହୃଦ୍‌ବୋଧ ହେଉଛି। ଅଳିଆ ଶୀଘ୍ର କରିବା ଦରକାର ବୋଲି ସେ କହିଛନ୍ତି।

Advertisment

ବିଜେଡି ନା ବିଜେପିରେ ଅଳିଆ ଅଛନ୍ତି ତାହା ସ୍ପଷ୍ଟ କରନ୍ତୁ : ଦେବାଶିଷ

ବଜେଟ୍‌ରେ ଜେଲ୍‌ ବିଭାଗ ପାଇଁ ଅଧିକ ବ୍ୟୟବରାଦ କରାଯାଉ

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ଶ୍ରୀ ସାମନ୍ତରାୟ କହିଛନ୍ତି, ସେ କେଉଁ ଅଳିଆ କଥା କହୁଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ୬ଥର ବିଜୁ ଜନତା ଦଳରୁ ସାଂସଦ ହୋଇଥିଲେ ଓ ନିଜକୁ ଦଳର ପ୍ରତିଷ୍ଠାତା ସଦସ୍ୟ ବୋଲି କହିଥାନ୍ତି। ତେଣୁ ବିଜେଡି-ବିଜେପି ନା ଓଡ଼ିଶାରେ ଅଳିଆ ଅଛନ୍ତି ତାହା ସ୍ପଷ୍ଟ କରିବା ଦରକାର। ସେ ଏବେ ଶାସକ ଦଳରେ ଅଛନ୍ତି। ତେଣୁ ଏହାର ଯାଞ୍ଚ କରି ଯେତେ‌ କୋଠାରୀରେ ଭର୍ତ୍ତି କରିବା କଥା କରନ୍ତୁ। ଅଳିଆ ସମାଜରେ ଅଛନ୍ତି ନା ରାଜନୈତିକ ଦଳରେ ଅଛନ୍ତି ତାହା ନିର୍ଦ୍ଦିଷ୍ଟଭାବେ କହିଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି।