ସମ୍ବଲପୁର: ୪ ବର୍ଷ ହେଲା ସମ୍ବଲପୁର ଉନ୍ନୟନ ପ୍ରାଧିକରଣ(ଏସ୍‌ଡିଏ)‌ ଅଧ୍ୟକ୍ଷ ପଦ ଖାଲି ରଖି ରାଜ୍ୟ ସରକାର ସମ୍ବଲପୁର ସ୍ବାଭିମାନ ସହ ଖେଳିଥିବା ବେଳେ ଏଠାକାର ସରକାରୀ ବାବୁ/ବାବୁଆଣୀ ଲୋକଙ୍କୁ ଲୁଟିଛନ୍ତି। ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ଏବେ ସମ୍ବଲପୁର ଦୁର୍ନୀତି ଗନ୍ତାଘରରେ ପରିଣତ ହୋଇଛି। ଗୃହ ନିର୍ମାଣ ପ୍ଲାନ ଠକେଇରେ ଏହି ସଂସ୍ଥାର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କଠାରୁ ଆରମ୍ଭ କରି ୪ ଜଣ କର୍ମଚାରୀଙ୍କ ସହିତ ସେମାନଙ୍କ ଠକ ଗ୍ୟାଙ୍ଗର ଅନ୍ୟ ୩ ଜଣ ସଦସ୍ୟ ବି ଗିରଫ ହୋଇଛନ୍ତି।

Advertisment

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରର ଯୋଜନାବଦ୍ଧ ଭାବେ ଉନ୍ନତିମୂଳକ କାର୍ଯ୍ୟ କରିବା ନିମନ୍ତେ ରହିଛି ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ)। ଗତ ୨୦୧୯ ମସିହା ନିର୍ବାଚନ ପରେ ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି ନିଜ ପଦରୁ ଇସ୍ତଫା ଦେବା ପରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ରାଜ୍ୟର ଅନ୍ୟ ସମସ୍ତ ଉନ୍ନୟନ ପ୍ରାଧିକରଣ ତଥା ନିଗମଗୁଡ଼ିକରେ ଶାସକ ବ‌ିଜେଡି ନିଜ ଦଳୀୟ ନେତାଙ୍କୁ ଅଧ୍ୟକ୍ଷ ପଦରେ ଥଇଥାନ କରିଛି। କେତେକ ଜାଗାରେ ଅନୁଗତ ଅବସରପ୍ରାପ୍ତ ସରକାରୀ ବାବୁଙ୍କୁ ବି ଥଇଥାନ କରାଯାଇଛି। କେବଳ ଏସ୍‌ଡିଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମ୍ବଲପୁରରେ ବିଜେଡିରେ ବିଭିନ୍ନ ଗୋଷ୍ଠୀ ରହିଛନ୍ତି। ଦଳ ପାଇଁ ବର୍ଷ ବର୍ଷ ଧରି ଝଳନାଳ ବୋହାଇଥିବା ଅନେକ ବର୍ଷୀୟାନ ନେତାଙ୍କଠାରୁ ଆରମ୍ଭ କରି ଯୁବନେତା ବି ଏହି ପଦ ପାଇଁ ଦାବିଦାର ରହିଛନ୍ତି। ହେଲେ, ଶାସକ ବିଜେଡି ସରକାର ଏହି ନେତାମାନଙ୍କ ମଧ୍ୟରୁ ସମ୍ଭବତଃ କାହାରିକୁ ‌ଯୋଗ୍ୟ ବୋଲି ଭାବୁ ନାହାନ୍ତି। ଯଦି ଯୋଗ୍ୟ ମନେ କରିଥାନ୍ତେ, ନିଶ୍ଚିତ ଭାବେ କୌଣସି ଜଣେ ନେତାଙ୍କୁ ଅଧ୍ୟକ୍ଷ ଚୌକିରେ ବସାଇଥାନ୍ତେ। ତେବେ, ଏହାର ପରିଣାମ ଏବେ ସମ୍ବଲପୁରବାସୀଙ୍କୁ ଭୋଗିବାକୁ ପଡ଼ୁଛି। ଅଧ୍ୟକ୍ଷ ନଥିବାରୁ ଏସ୍‌ଡିଏରେ ଉନ୍ନୟନ କାମ ଠପ୍ ହୋଇଯାଇଛି। ପ୍ରାଧିକରଣ ବୈଠକ (ଅଥରିଟି ମିଟିଂ) ୨୦୧୯ ମସିହାରୁ ଆଉ ବସିନାହିଁ। ଅଧ୍ୟକ୍ଷ ଥିଲେ ବିଭିନ୍ନ ବୈଠକ ତଥା ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଉପାଧ୍ୟକ୍ଷଙ୍କ ସହିତ ଅନ୍ୟ ଅଧିକାରୀଙ୍କ ଏହି କାର୍ଯ୍ୟାଳୟକୁ ଯିବା ଆସିବା ଲାଗି ରହିଥାଏ।

ବିଭିନ୍ନ କାମରେ ତଦାରଖ ହୋଇଥାଏ। ଏବେ ତାହା ହେଉ ନାହିଁ। କେବଳ ଘର ତିଆରି ପାଇଁ ପ୍ଲାନ୍ ମଂଜୁରି ଜରୁରି ହୋଇଥିବାରୁ ଲୋକେ ବାଧ୍ୟ ହୋଇ ଏସ୍‌ଡିଏ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ଏସ୍‌ଡିଏ ମୁରବିବିହୀନ ହେବାର ଫାଇଦା ଏହି ଠକ ଗ୍ୟାଙ୍ଗକୁ ସୁହାଇଛି। ପ୍ଲାନ୍ ପାସ୍ କରାଇବା ଆବେଦନ କରିଥିବା ଲୋକଙ୍କୁ ପ୍ରଥମେ ହଇରାଣ କରିବା ପରେ ପୁଣି ଆବେଦନକାରୀଙ୍କୁ ନକଲି ପ୍ଲାନ୍ ମଂଜୁରି ଆଦେଶ ଦେଇ ରାତାରାତି ମାଲେମାଲ ହୋଇଯାଉଥିଲେ ଏହି ଦଳ। ଏସ୍‌ଡିଏ କର୍ମଚାରୀ ଲକ୍ଷ୍ମୀନାରାୟଣ ସାମଲ ଓରଫ୍‌ ବୁଲୁ(୩୨), ଷ୍ଟେ‌ନୋ ସୁଧାଂଶୁ ପତି ଏବଂ ସେମାନଙ୍କୁ ସହଯୋଗ କରୁଥିବା ୩ ଜଣ ବାହାରିଆ ବ୍ୟକ୍ତି ବିକାଶ ଜଗତ, ଡମ୍ବରୁଧର ତ୍ରିପାଠୀ ଓ ଅଜୟ ବେହେରାଙ୍କୁ ପୁଲିସ ପ୍ରଥମ ପର୍ଯ୍ୟାୟରେ ଗିରଫ କରିଥିଲା। ଏହି ମାମଲାର ତଦନ୍ତ ବେଳେ ଯିଏ ପ୍ଲାନ୍ ଜାଳିଆତି କରାଯାଉଥିବା ନେଇ ଥାନାରେ ଏତଲା ଦେଇଥିଲେ, ଏସ୍‌ଡିଏ ପ୍ଲାନିଂ ମେମ୍ବର ତଥା ମହାନଗର ନିଗମର ସିଟି ପ୍ଲାନର ଦାୟିତ୍ବରେ ଥିବା ବନ୍ଦିତା ମହାପାତ୍ରଙ୍କ ସହିତ ଆର୍କିଟେକ୍ଟ ମାନସ ଚଇନିଙ୍କୁ ବି ପୁଲିସ ଗିରଫ କରିଛି।

ଏବେ ଏସ୍‌ଡିଏର ଏହି ବିଭାଗରେ ଜଣେ ମାତ୍ର କନିଷ୍ଠ ଅଧିକାରୀ ରହିଛନ୍ତି। ଗତ ୨୦୨୧ ମସିହାରୁ ଏହି ଠକ ଗ୍ୟାଙ୍ଗ ସକ୍ରିୟ ରହିଛି। ପ୍ରଥମେ ୫୪ ଜଣଙ୍କ ଠାରୁ ୩.୩୧ କୋଟି ଟଙ୍କା ଠକିଥିବା ପୁଲିସ କହିଥିଲା। ତେବେ, ଏହା ପରେ ଅଭିଯୋଗର ସୁଅ ଛୁଟୁଛି। ଠକେଇ ଶିକାର ହୋଇଥିବା ଲୋକେ ଥାନାକୁ ଆସି ଅଭିଯୋଗ କରୁଛନ୍ତି। ଶ୍ରୀ ସାମଲ ଏସ୍‌ଡିଏଙ୍କ ମା ହେଉଛନ୍ତି ଶାସକ ଦଳର ଜଣେ ଜିଲ୍ଲାସ୍ତରୀୟ ନେତ୍ରୀ। ଅନ୍ୟ ପଟେ ପଶ୍ଚିମ ଓଡ଼ିଶାର ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଓ ଅନ୍ୟ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନେତାଙ୍କ ସହିତ ବିକାଶ ଜଗତଙ୍କ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଘର ତିଆରି ଏବେ ବି ବହୁ ଲୋକଙ୍କ ଆବେଦନ ପଡ଼ି ରହିଥିବା ବେଳେ ସେମାନେ କଣ କରିବେ ତାଙ୍କ ଅନିଶ୍ଚିତତା ମଧ୍ୟରେ। ତେବେ, ଏହି ସ୍ଥିତି ପାଇଁ ଲୋକ ରାଜ୍ୟର ବିଜେଡି ସରକାରଙ୍କୁ ଦାୟୀ କରୁଛନ୍ତି।