ଏସ୍‌ଡିଆଇ ଭୁବନେଶ୍ବର ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ

ଆଇସିଟି-ଆଇଓସିର ନୂଆ କ୍ୟାମ୍ପସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଖୋର୍ଦ୍ଧାର ଜଟଣୀ ତଳସିଲ ଅନ୍ତର୍ଗତ ତରାବୋଇରେ ୧୬ ଏକର ଜମିରେ ସ୍ଥାପନ କରାଯାଇଥିବା ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍‌ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏହି ଅନୁଷ୍ଠାନ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ ଓ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ ବୋଲି ମୁଁ ଆଶା କରୁଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସ୍ଥାନରେ ଆଇସିଟି-ଆଇଓସିର ନୂଆ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ ବେଶ ଆନନ୍ଦିତ। ଉଭୟ ସଂସ୍ଥା ଆଗାମୀ ଦିନରେ ରାଜ୍ୟର ପିଲାମାନଙ୍କୁ ବିଶ୍ବସ୍ତରୀୟ ଚାକିରି ଲାଗି ଦକ୍ଷ କରିବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ନୂତନ ପିଢ଼ିର ଦକ୍ଷତା ବୃଦ୍ଧି ଏକ ଜାତୀୟ ଆବଶ୍ୟକତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କିଲ୍‌ ଇଣ୍ଡିଆ ମିସନ୍‌ରେ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦେବାରେ ସହାୟକ ହୋଇଛି। ଛାତ୍ରଛାତ୍ରୀମାନେ କୌଶଳ ପ୍ରଶିକ୍ଷଣ ମାଧ୍ୟମରେ ସ୍ବାବଲମ୍ବୀ ସହ ଆତ୍ମନିର୍ଭର ହୋଇପାରିବେ ବୋଲି ସେ କହିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଲେ, ଏସ୍‌ଡିଆଇ ଭୁବନେଶ୍ବର ଦ୍ବାରା ଅନେକ ଯୁବକଯୁବତୀ ଉପକୃତ ‌ହୋଇସାରିଲେଣି। ଅଗାମୀ ଦିନରେ ଏହା ଦକ୍ଷତା ବିକାଶ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଶୀର୍ଷ ସ୍ଥାନ ବଜାୟ ରଖିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁର ରାଉତରାୟ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ ଓ ନିର୍ଦେଶକ (ଏଚ୍‌ଆର୍‌) ରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଶୁକ୍ରବାର ଦିନ ରାସାୟନିକ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇସିଟି)-ଆଇଓସିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଡେଲାଙ୍ଗ ତହସିଲର ଗୋଡ଼ିପୁଟ ମାଟିଆପଡ଼ାରେ ଏଥିପାଇଁ ୧୧୧.୯୭ ଏକର ଜମି ଦେଇଛନ୍ତି। ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୭୩.୮୬ ଏକର ଜମି ହସ୍ତାନ୍ତର କରାଯାଇଛି। ଏହି ଅନୁଷ୍ଠାନ ପାଇଁ ଇଣ୍ଡିଆନ ଅଏଲ୍‌ ୯୫ କୋଟି ଟଙ୍କା ପ୍ରଦାନ କରିଛି। ବର୍ତ୍ତମାନ ଏହି ସଂସ୍ଥା ସାମନ୍ତରାପୁରରେ ଥିବା ଅସ୍ଥାୟୀ କ୍ୟାମ୍ପସରେ କାର୍ଯ୍ୟ କରୁଛି। ଏସ୍‌ଡିଆଇ ଭୁବନେଶ୍ବର ପାଇଁ ଇଣ୍ଡିଆନ ଅଏଲ୍ ୨୫୫ କୋଟି ଟଙ୍କା ଦେଇଛି। ଏଥି ସହିତ ଆଉ ୮୦ କୋଟି ଟଙ୍କା ଦେବାକୁ ଯୋଜନା ରଖିଛି। ଆଗାମୀ ୧୦ ବର୍ଷରେ ଏହି ଅନୁଷ୍ଠାନ ମାଧ୍ୟମରେ ୫୦ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ସହ ଏକାଧିକ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାର ଯୋଜନା ରଖିଛି।

ସମ୍ବନ୍ଧିତ ଖବର