ଏସ୍‌ଡିଜେଏମ୍‌ଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଲେ ଜଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟ ରୁମ୍‌ରେ ଏକ ମାମଲାର ଶୁଣାଣି ଚାଲିଥିଲା ବେଳେ ଏସ୍‌ଡିଜେଏମ୍‌ଙ୍କୁ ଜଣେ ଯୁବକ ଛୁରିରେ ଆକ୍ରମଣ ଉଦ୍ୟମ କରିଛି। ଉପସ୍ଥିତ କର୍ମଚାରୀମାନେ ଅଭିଯୁକ୍ତ ଯୁବକକୁ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଭଗବାନ ସାହୁକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଏସ୍‌ଡିଜେଏମ୍‌ ଆଜି ଅପରାହ୍ନ ପ୍ରାୟ ୩ଟାରେ ମାମଲାଗୁଡ଼ିକର ଶୁଣାଣି ପାଇଁ ତାଙ୍କର କୋର୍ଟ ରୁମ୍‌ରେ ବସିଥିଲେ। ଏହି ସମୟରେ ତାଙ୍କ  ପୁରୁଣା ବ୍ରହ୍ମପୁର ଅଞ୍ଚଳର ଭଗବାନ ସାହୁ ନାମକ ଜଣେ ଯୁବକ ଡାଇସ ଉପରକୁ ଅତର୍କିତ ଭାବେ ଚଢ଼ି ଯାଇଥିଲା। ସେ ସାଥିରେ ଆଣିଥିବା ଛୁରିରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। ଯୁବକର ଉନ୍ମୁକ୍ତ କାଣ୍ଡ ଯୋଗୁଁ ଜଜ୍‌ ଭୟଭୀତ ହୋଇଯାଇଥିଲେ। ସେହି ପାଖରେ ଥିବା ଆଇନଜୀବୀ ମୃତ୍ୟୁଞ୍ଜୟ ମହାରଣା ଓ କୋର୍ଟର ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ସହାୟତାରେ ତଳକୁ ଡେଇଁପଡ଼ିଥିଲେ।

ଅନ୍ୟପଟରେ ସଫେଇ କର୍ମଚାରୀ ଶଙ୍କର ରାଓ ଦୌଡ଼ିଯାଇ ଜଜଙ୍କୁ ରକ୍ଷାକରିବାକୁ ଉଦ୍ୟମ କରିଥିଲେ। ସେ ଦୌଡ଼ିଯାଇ ଯୁବକଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ପରେ ଉପସ୍ଥିତ କର୍ମଚାରୀମାନେ ଯୁବକକୁ କାବୁ କରିଥିଲେ। କୋର୍ଟ ସହାୟକ ନିରୀକ୍ଷକ (ସିଏସ୍‌ଆଇ) କାର୍ଯ୍ୟାଳୟର କର୍ମାରୀମାନେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଭଗବାନ ସାହୁକୁ ଜିମା ଦିଆଯାଇଛି। ସୂଚନା ପାଇଁ ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍‌ ଘଟଣାସ୍ଥଲରେ ପହଞ୍ଚିଛନ୍ତି। ତେବେ ଯୁବକ ଜଣକ ନିଶାସକ୍ତ କି ମାନସିକ ବିକୃତ ସେ ସଂପର୍କରେ ଜଣାପଡ଼ିନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ। କିନ୍ତୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା କାରଣରୁ ଜଣେ ଯୁବକ ଆଜି ଏହିଭଳି କାଣ୍ଡ କରିଥିବା ନେଇ ଜନସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର