ଉନ୍ନୟନ କାର୍ଯ୍ୟକୁ ନେଇ ଏସ୍‌ଡିଓ-ସରପଞ୍ଚ ହାତାହାତି: ଧସ୍ତାଧସ୍ତିର ଭିଡିଓ ଭାଇରାଲ

Advertisment
ଉନ୍ନୟନ କାର୍ଯ୍ୟକୁ ନେଇ ଏସ୍‌ଡିଓ-ସରପଞ୍ଚ ହାତାହାତି: ଧସ୍ତାଧସ୍ତିର ଭିଡିଓ ଭାଇରାଲ

ବଲାଙ୍ଗୀର/ପାଟଣାଗଡ଼/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଉନ୍ନୟନ କାମ ଜାରି ରହିଛି। ତେବେ କାମର ମାନକୁ ନେଇ ଆଜି ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ଓ ପୂର୍ତ୍ତ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କ ମଧ୍ୟରେ ଉଚ୍ଚବାଚ ପରେ ମନ୍ଦିର ନିକଟରେ ହାତାହାତି ହେବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ସେଇ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏସ୍‌ଡିଓ ଶ୍ରୀ ଦାସ ସରପଞ୍ଚଙ୍କ ଉପରେ ମାଡ଼ି ବସି ଏକ କାଠଫାଳିଆରେ ମାରିବାକୁ ଉଦ୍ୟତ ହେଉଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ଖପ୍ରାଖୋଲ ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ଉଭୟଙ୍କ ଡାକ୍ତରୀ ମାଇନା କରି ଅଟକ ରଖିଛି।

ପ୍ରକାଶ ଯେ ହରିଶଙ୍କରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ନିମ୍ନମାନର ହେଉଥିବା ବହୁବାର ଅଭିଯୋଗ ହୋଇଛି। ମଙ୍ଗଳବାର ଏହି କାମ ଚାଲିଥିବା ସମୟରେ ସରପଞ୍ଚ ଶ୍ରୀ ଗୁରୁ ସେଠାରେ ପହଞ୍ଚିଥିଲେ। ଏହି କାମ ନିମ୍ନମାନର ହେଉଥିବା ଉପସ୍ଥିତ ପୂର୍ତ୍ତ ବିଭାଗ ଜେଇ ବେଦବ୍ୟାସ ଭୋଇ ଓ ଏସଡିଓ (କଣ୍ଟାବାଞ୍ଜି) ସିଦ୍ଧାର୍ଥ ଦାସଙ୍କୁ କହିଥିଲେ। ଏହାକୁ ନେଇ ଜେଇ, ଏସ୍‌ଡିଓ ଓ ସରପଞ୍ଚଙ୍କ ମଧ୍ୟରେ ବଚସା ହୋଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏନେଇ ଖପ୍ରାଖୋଲ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଅପରପକ୍ଷରେ ସରପଞ୍ଚ ସୁଶୀଳ ଗୁରୁ କୋଶଲ ମୁକ୍ତି ମୋର୍ଚ୍ଚାର ଆବାହକ ଥିବାରୁ ଘଟଣା ଘଟିବା ପରେ କେଏମଏମର କର୍ମକର୍ତ୍ତା ମାନେ ଏକତ୍ରିତ ହେବା ଓ ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ସେହିପରି ସରପଞ୍ଚ ସଂଘ ପକ୍ଷରୁ ସରପଞ୍ଚ ଶ୍ରୀ ଗୁରୁଙ୍କ ସମର୍ଥନରେ ଥାନା ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।

ନକ୍‌ସା ଅନୁସାରେ କାମ ହେଉନଥିବାରୁ ଆପତ୍ତି କରିଥିଲି:ସରପଞ୍ଚ
ପ୍ରତିବର୍ଷ ଜାନୁଆରି ୧ ତାରିଖ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ବାରା ପରିବେଶ ସୁରକ୍ଷା ନେଇ ଏକ ଆଲୋଚନା ହୋଇଥାଏ। ଏହା ଗୋଟିଏ ବର୍ଷ ହରିଶଙ୍କରରେ ଓ ଆଉ ଗୋଟିଏ ବର୍ଷ ନୃସିଂହନାଥରେ ହୋଇଥାଏ। ଚଳିତ ବର୍ଷ ଏହି ଆଲୋଚନାଚକ୍ର ହରିଶଙ୍କରରେ କରାଯିବାକୁ ନିଷ୍ପତ୍ତି ହୋଇଥିବାରୁ ମୁଁ ହରିଶଙ୍କର ଆସିଥିଲି। ଏଠାରେ ନିର୍ମାଣ ହେଉଥିବା ବାଇଶି ପାହାଚ ଯାହା ନକ୍‌ସାରେ ଥିଲା, ସେଭଳି ହେଉନଥିବା ଦେଖି ଉପସ୍ଥିତ ଅଧିକାରୀଙ୍କୁ ପଚାରିଥିଲି। ସେମାନେ ଏଠାରେ ଥିବା ଚଟାଣ ଫଟାଇ ହେଉନାହିଁ ବୋଲି କହିଥିଲେ। ଏହାକୁ ନେଇ ବଚସା ହୋଇଥିଲା। ସେଠାରେ ଥିବା ଜେଇ ଓ ଦୁଇ ଜଣ ମ୍ୟାନେଜର ମତେ ଧରି ତଳେ କଚାଡ଼ି ଦେଇଥିଲେ। ହରିଶଙ୍କରରେ ୫-ଟି କାମକୁ ରାତାରାତି କରାଯାଇ ଅତିନିମ୍ନମାନର କରାଯାଉଛି।

ନିମ୍ନମାନର କାମ ହେଉନାହିଁ, ଆତ୍ମରକ୍ଷା ପାଇଁ ଉଦ୍ୟମ କରିଥିଲି: ଏସ୍‌ଡିଓ
ଆମେ କାମ ତଦାରଖ କରୁଥିବା ବେଳେ ସୁଶୀଳ ଗୁରୁ ଓ ପଞ୍ଚମ ପ୍ରଧାନ ନାମକ ଦୁଇ ଜଣ ବ୍ୟକ୍ତି ଆସିଥିଲେ। କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେ। ଆମେ ବୁଝାଇବାକୁ ଚେଷ୍ଟା କରିଥିଲୁ। ସେମାନେ ମତେ ଓ ଜେଇଙ୍କୁ ଗାଳି କଲେ, ଠେଲାପେଲା କଲେ। ଜେଇଙ୍କୁ ଜାତିଆଣ ଆକ୍ଷେପ କଲେ। ଏହାପରେ ସେ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ। ମୁଁ ନିଜର ସୁରକ୍ଷା ପାଇଁ ତାଙ୍କୁ ଠେଲି ଦେଇଥିଲି। ମୁଁ ତାଙ୍କୁ ମାରିନାହିଁ, ସେ ମାରିବାକୁ ଉଦ୍ୟମ କରୁଥିବା ବେଳେ ମୁଁ ଆତ୍ମରକ୍ଷା ପାଇଁ ଉଦ୍ୟମ କରିଥିଲି। ଏହା ମନ୍ଦିରର ଓ ସମସ୍ତଙ୍କ କାମ ଅଟେ। ଯାହା ନିୟମ ରହିଛି ସେହି ନିୟମ ଅନୁଯାୟୀ ଆମେ କାମ କରୁଛୁ। ଏଥିରେ ଆଦୌ ନିମ୍ନମାନର କାମ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe