ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାରେ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଏସଡିପିଓ ଅଫିସ ଘେରାଉ କଲେ କଂଗ୍ରେସ ନେତା ଏବଂ କର୍ମୀ

ଆନନ୍ଦପୁର: କେନ୍ଦୁଝରର ଘସିପୁରାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ଘଟଣାରେ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପିସିସି ସଭାପତିଙ୍କ ସମର୍ଥକ ତଥା ୫୦୦ରୁ ଅଧିକ କଂଗ୍ରେସ ନେତା ଏବଂ କର୍ମୀ ଏସଡିପିଓଙ୍କ ଅଫିସ୍ ଘେରାଉ କରିଥିବା ଜଣାଯାଇଛି।

କେନ୍ଦୁଝର ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କଂଗ୍ରେସ ନେତା ଏବଂ କର୍ମୀ ଏସଡିପିଓଙ୍କୁ ଏକ ଦାବିପତ୍ର ଦେବାକୁ ତାଙ୍କ ଅଫିସକୁ ଯାଇଥିଲେ, ମାତ୍ର ଏସଡିପିଓ ଅଫିସରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିବା ହେତୁ କଂଗ୍ରେସ ନେତା ଏବଂ କର୍ମୀମାନେ ଏସଡିପିଓ ଅଫିସ୍‌ ଘେରାଉ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଏହି ଘଟଣାରେ ପୁଲିସ୍ ଇତି ମଧ୍ୟରେ ୮ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୪ଜଣ ହେଉଛନ୍ତି କଂଗ୍ରେସର ଏବଂ ୪ଜଣ ବିଜେଡିର କର୍ମୀ ବୋଲି କୁହାଯାଉଛି। ଗତକାଲି ଆହତ କଂଗ୍ରେସ କର୍ମୀ ସଦାନନ୍ଦ ନାୟକ ଥାନାରେ ଏତଲା ଦେଇଥିଲେ।


ଗତକାଲି ପ୍ରଚାରର ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ସାଙ୍ଗକୁ ଗୁଳିମାଡ଼ରେ ୨୦ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣକାରୀମାନେ ୧୦ଟି ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର