ନିଜ ବିଭାଗ ନିରୀକ୍ଷକଙ୍କଠୁ ଲାଞ୍ଚ: ଏସ୍‌ଡିଭିଓ କନିଷ୍ଠ ସହାୟକ ଗିରଫ

ସୋନପୁର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ଏସ୍‌ଡିଭିଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ଗୋଲକ ବିହାରୀ ପୋଢ଼।

ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଉଲୁଣ୍ଡା ବ୍ଲକ୍‌ ସିଣ୍ଢୋଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେର ୨୦୧୭ ଫେବ୍ରୁଆରି ୧ ତାରିଖରୁ ୨୦୧୯ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ। ଏଣୁ ଛୁଟି ସମୟର ବାକି ଥିବା ଦରମା ଟଙ୍କା ମଞ୍ଜୁର ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ନାରାୟଣ କନିଷ୍ଠ ସହାୟକ ଗୋଲକ ବିହାରୀଙ୍କୁ କହିଥିଲେ। ଏଥିପାଇଁ ଗୋଲକ ବିହାରୀ ପୂର୍ବରୁ ନାରାୟଣଙ୍କଠାରୁ ୨୦ ହଜାର ଟଙ୍କା ନେଇ ମଧ୍ୟ କାଗଜପତ୍ର ପ୍ରସ୍ତୁତ କରିନଥିଲେ। ପୁଣି ୧୫ ହଜାର ଟଙ୍କା ଦେଲେ ଯାଇ କାମ ହେବ ବୋଲି ନାରାୟଣଙ୍କୁ କହିଥିଲେ। ଏହାକୁ ନେଇ ନାରାୟଣ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଭିଜିଲାନ୍ସ କେସ୍‌ ନଂ ୧୨/୨୦.୫.୨୦୨୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।

ରବିବାର ସୁବର୍ଣ୍ଣପୁର ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା କମନ୍‌ରୁମରେ ନାରାୟଣ ଗୋଲକ ବିହାରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକ ବିହାରୀଙ୍କୁ ଗିରଫ କରିଛି। ଗୋଲକ ବିହାରୀ ଡେପୁଟେସନରେ ସିଡିଭିଓ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଆଜି ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ଏହି ଚଢ଼ଉରେ ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ପୌଲସ୍ତି ଛତ୍ରିଆ, ଇନ୍ସପେକ୍ଟର ରୀତାଞ୍ଜଳି ପଧାନ, ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ଇନ୍ସପେକ୍ଟର ହୃଦାନନ୍ଦ କାଲୋ ପ୍ରମୁଖ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର