ଅଶାନ୍ତ ସମୁଦ୍ର ପୁଣି କୂଳ ଲଂଘିଲା

ଭାସିଗଲା ଉଠାଦୋକାନ, ଆଜି ଆସିବେ ନୂଆଦିଲ୍ଲୀରୁ ବିଶେଷଜ୍ଞ ଦଳ

ପୁର: ପୁରୀ ବେଳାଭୂମିରେ ଆଜି ମଧ୍ୟ ସମୁଦ୍ର କୂଳ ଲଂଘିବା ସହ ସାତ ଆଠ ଫୁଟ ବେଳାଭୂମି ସମୁଦ୍ର ଗର୍ଭକୁ ଟାଣି ନେଇଛି। ପୂର୍ବାପେକ୍ଷା ଆଜି ସମୁଦ୍ର ଆହୁରି ଭୟଙ୍କର ରୂପ ଦେଖାଇଛି। ପ୍ରତି ଦୁଇ ତିନି ମିନିଟ୍‌ରେ ସମୁଦ୍ରର ଉତ୍ତାଳ ଜୁଆର ଓ ଢ଼େଉ କୂଳ ଲଂଘିବା ସହ ବେଳାଭୂମିକୁ ଧୋଇ ନେବା ସହରବାସୀଙ୍କୁ ଶଙ୍କାରେ ପକାଇଛି। ଧୀରେ ଧୀରେ କୂଳ ଖାଇ ଏହା ଯେତିକି ବେଳାମାର୍ଗ ରାସ୍ତା ଓ ସ୍ୱର୍ଗଦ୍ୱାର ନିକଟବର୍ତୀ ହେଉଛି ଭୟ ମାତ୍ରା ବି ସେହି ଅନୁସାରେ ବଢ଼ିବାରେ ଲାଗିଛି। ଆଜି ପ୍ରଶାସନିକ ଅଧିକାରୀଙ୍କ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆସନ୍ତାକାଲି ନୂଆଦିଲ୍ଲୀର ଏକ ବିଶେଷଜ୍ଞ ଦଳ ପୁରୀ ବେଳାଭୂମିର ଏହି ସଙ୍ଗୀନ୍‌ ସ୍ଥିତିକୁ ପରଖିବାକୁ ଆସୁଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ପ୍ରତିକାର ବ୍ୟବସ୍ଥା କ’ଣ କରାଯାଇପାରିବ ସେ ନେଇ ବିଶେଷଜ୍ଞ ଦଳ ରିପୋର୍ଟ ଦେବ ଏବଂ ସେହି ଅନୁଯାୟୀ କାର୍ଯ୍ୟାରମ୍ଭ ହେବ ବୋଲି ଜଣାପଡ଼ିଛି। ଆଜି ବେଳାଭୂମିରେ ଥିବା କିଛି ଦୋକାନ ସମୁଦ୍ରରେ ଭାସିଯାଇଛି। କୂଳରେ ପ୍ରାୟ ୭/୮ ଫୁଟ ଉଚ୍ଚରେ ଲହଡ଼ି ଭାଙ୍ଗୁଛି। ପ୍ରାୟ ୪୦ ଫୁଟ ଆଗକୁ ମାଡ଼ି ଆସିଥିବା ସମୁଦ୍ର ୫୦୦ରୁ ଅଧିକ ମିଟର ବେଳାଭୂମିକୁ ଧୋଇ ନେଇଥିବା ବେଳେ ସବୁଠୁ ଅଧିକ ସମ୍ବେଦନଶୀଳ ପରିସ୍ଥିତି ଦେଖିବାକୁ ମିଳିଛି ସ୍ୱର୍ଗଦ୍ୱାର ସମ୍ମୁଖରେ। ଅନ୍ୟଜାଗା ଅପେକ୍ଷା ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମି ଅଧିକ ଖାଇଯାଇଛି। ବେଳାମାର୍ଗ ରାସ୍ତାଠାରୁ ଅଳ୍ପ କେଇ ଦୂରରେ ଏବେ ସମୁଦ୍ର ଲହଡ଼ି ଭାଙ୍ଗୁଛି।

ସମ୍ବନ୍ଧିତ ଖବର