ସାତଭାୟାରେ ସମୁଦ୍ର କୂଳ ଲଘିଂଲା

ଜଳଘେରରେ ୧୦୦ ଏକର ଜମି

ରାଜନଗର: ଲଘୁଚାପ ଯୋଗୁ ବଙ୍ଗୋପସାଗର ଅଶାନ୍ତ ହୋଇଉଠିଛି। ଏହାର ପ୍ରଭାବରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ସାତଭାୟାଠାରେ ସମୁଦ୍ର କୂଳ ଲଘିଂଛି। ସାତଭାୟାର କିଛି ଅଞ୍ଚଳରେ ସମୁଦ୍ର ଜଳ ପ୍ରବେଶ କରିଛି। ପାଖାପାଖି ୧୦୦ ଏକର ଜମିରେ ପାଣି ଜମି ରହିଥିବା ଜଣାପଡ଼ିଛି।

ଗତକାଲିଠାରୁ ସାତଭାୟା ଅଞ୍ଚଳରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ର ଜୁଆର କୂଳଲଘିଂ ଏଠାକାର ଆରାଧ୍ୟଦେବୀ ପଞ୍ଚୁବରାହୀଙ୍କ ମନ୍ଦିର ଯାଏଁ ପ୍ରବେଶ କରିଛ। ମନ୍ଦିର ପାଣି ଘେରରେ ଥିବାବେଳେ ଜୁଆର ପାଣି ନିକଟରେ ଥିବା ନଳକୂପକୁ ଅଧା ବୁଡାଇ ଦେଇଛି। ଫଳରେ, ମନ୍ଦିର ନିକଟରେ ଥିବା ବାଲିକୁଦର ପ୍ରାୟ ୩୦ ଭାଗ ୨ ଦିନ ଜୁଆରରେ ଧସି ପଡିଛି। ଏଥିସହିତ, ସାତଭାୟାର ସୁରକ୍ଷା କବଚ ବାଲିପାହାଡ (ବାଲିବନ୍ଧ) ପ୍ରଭାବିତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଜୁଆର ପାଣି ସମୁଦ୍ର କୂଳ ଠାରୁ ସାତଭାୟାର ମୁଖ୍ୟ ରାସ୍ତା ଯାଏଁ ଏବେ ବୁଡି ରହିଛି। ଗତକାଲି ଠାରୁ ଆଜି ଅଧିକ ଉଚ୍ଚ ଜୁଆର ଉଠିଥିବାରୁ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାବାଦ୍‌ ବରାହିପୁର ଗାଁର ଶେଷ ମୁଣ୍ଡରେ ଥିବା କାଦୁଆନାଶି ନିକଟରେ ବାଲିପାହାଡ ୨ବର୍ଷ ତଳେ ଧୋଇ ହୋଇଯାଇଥିଲା, ସେହି ବାଟ ଦେଇ ସମୁଦ୍ର ଜୁଆର ଭେଡା ମଧ୍ୟକୁ ପ୍ରବେଶ କରୁଛି। ସମୁଦ୍ର ଜୁଆର ପାଣି ସେଠାରେ ପ୍ରାୟ ଶହେ ଏକର ଜମିରେ ବୁଡି ରହିଛି। ।

ତିନି ପଟରେ ସମୁଦ୍ର ଓ ନଈର ଜୁଆର ପାଣି ବୁଡି ରହିଥିବାରୁ ସାତଭାୟାରେ ଏକପ୍ରକାର ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁ ଆଡକୁ ଚାହିଁଲେ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଅନ୍ୟପଟେ ରବିନ୍ଦ୍ରପଲ୍ଲୀ-ଦାନ୍ତିଆପଦା ଘେରିବନ୍ଧର ମଗରକନ୍ଦା ଠାରୁ ଝାଟିପାହି ଯାଏଁ ଘେରିବନ୍ଧ ବିଲ ସମାନ ହୋଇଯାଇଥିବାରୁ ବାଉଁଶଗଡ ନଦୀର ଜୁଆରପାଣି ଭେଡା ମଧ୍ୟକୁ ପ୍ରବେଶ କରୁଛି। ଫଳରେ ଭେଡାରେ ଥିବା ୨ ହଜାର ଏକର ଜମି ମଧ୍ୟରୁ ସାତଭାୟା, କାନପୁର, ମଗରକନ୍ଦା, ରବିନ୍ଦ୍ରପଲ୍ଲି, ମୌଜାର ପ୍ରାୟ ୫ ଶହଏକର ଜମିରେ ଜୁଆର ପାଣି ମାଡିଯାଇଛି।

‘ ଗତ ୩୦ ବର୍ଷ ମଧ୍ୟରେ ଏହି ଘେରିବନ୍ଧରେ ମୁଠାଏ ମାଟି ପଡିନଥିବାରୁ ବାଉଁଶଗଡ ନଦୀର ଜୁଆର ପାଣି ଭେଡା ମଧ୍ୟକୁ ପଶି ଆମର ଚାଷ ଉଜାଡି ଦେଉଛି,’ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, ଗତ ୨ବର୍ଷ ଧରି ବାଉଁଶଗଡନଦୀର ଜୁଆର ଓ ସମୁଦ୍ରର ଜୁଆର ପାଣି ଭେଡା ମଧ୍ୟରେ ପ୍ରବେଶ କରିବା ଯୋଗୁଁ ମାତ୍ର ୨୦ ପ୍ରତିଶତ ଜମିରେ ଚାଷ ସମ୍ଭବ ହୋଇଥିଲା। ଏହା ସତ୍ତ୍ୱେ ବି’ ପ୍ରଶାସନ ରବିନ୍ଦ୍ରପଲ୍ଲୀ-ଦାନ୍ତିଆପଦା ଘେରିବନ୍ଧରେ ମୁଠାଏ ମାଟି ବି’ ପକାଇନାହିଁ।

ଏ ସଂପର୍କରେ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି ଯେ, ‘ ସାତଭାୟାର ସ୍ଥିତି ସମ୍ପର୍କରେ ଅବଗତ ରହିଛି। ଖୁବ୍‌ଶୀଘ୍ର ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ।’

ପ୍ରକାଶଥାଉକି, ସାତଭାୟାର ୫୭୧ ପରିବାରଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି। ବର୍ତମାନ ସୁଦ୍ଧା ୩ଶହରୁ ଉର୍ଦ୍ଧ୍ୱ ପରିବାର ବଗପାଟିଆରେ ରହିସାରିଥିବା ବେଳେ ଏବେବି’ ୨ଶହରୁ ଉର୍ଦ୍ଧ୍ୱ ପରିବାର ସାତଭାୟାରେ ଅଛନ୍ତି।

ସମ୍ବନ୍ଧିତ ଖବର