ବାଲିତୁଠ: ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଅଞ୍ଚଳବାସୀଙ୍କୁ ଏବେ ଘାରିଛି ସମୁଦ୍ର ଭୟ। କିଛିଦିନ ତଳେ ସମୁଦ୍ର ନୂଆ ମୁହାଣ ସିଧା କୂଳ ଲଂଘି ପାଖାପାଖି ଶହେ ମିଟର ଭିତରକୁ ପଶି ଆସିବା ଫଳରେ ଦୀର୍ଘ ଦିନ ଧରି ଉପକୂଳକୁ ସୁରକ୍ଷା ଦେଇ ଆସୁଥିବା ବିରାଟ ବାଲି ସ୍ତୁପର ଅତଡ଼ା ଖସିଲାଣି। ପୁରୁଣା ମୁହାଣ ନିକଟରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳୁଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଝାଉଁ ଜଙ୍ଗଲରୁ ସମୁଦ୍ର ଢେଉରେ ଗଛ ଉପୁଡି ପଡ଼ୁଛି। ଏଭଳି ସ୍ଥିତି ଯୋଗୁଁ ଏବେ ଗାଁ ଆଡକୁ ସମୁଦ୍ର ପାଣି ମାଡ଼ି ଆସିବାର ଆଶଙ୍କା ବଢିବାରେ ଲାଗିଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ମହାବାତ୍ୟା ପରେ ସେଠାରେ ଗଢି ଉଠିଥିବା ବିଶୋଧନାଗାର ଶିଳ୍ପାନୁଷ୍ଠାନର ଭିତ୍ତିଭୂମି ପାଇଁ ଜଟାଧାର ମୁହାଣକୁ ଡ୍ରେଜିଙ୍ଗ କରାଯାଇ ବାଲି ପୋତେଇ କରାଯାଇଥିଲା। ସେହି ଡ୍ରେଜିଙ୍ଗ୍ ବାଲିକୁ ଭରଣା କରିବା ପାଇଁ ସମୁଦ୍ର କୂଳ ଲଂଘୁଛି। ଢ଼ିଙ୍କିଆ ଚାରି ଦେଶର ତ୍ରିଲୋଚନପୁର, ମାହାଳ, ଯୋଗୀସାହି, ରାଜାପଡ଼ା, ପାଟଣା, ଢ଼ିଙ୍କିଆ, ଗୋବିନ୍ଦପୁର, ନୂଆଗାଁ, ଗଡକୁଜଙ୍ଗ, ନୋଳିଆ ସାହି ଗ୍ରାମ ପ୍ରତି ବିପଦ ବଢିବାରେ ଲାଗିଛି। ମାହାଳ ନିକଟ କର୍ତ୍ତିକନ୍ଧା ଟିକିରା ନିକଟରେ ପାରାଦୀପରୁ ଆସୁଥିବା ଦଶ ଫୁଟ ଉଚ୍ଚତା ବିଶିଷ୍ଟ ସର୍ଚ୍ଚ ପ୍ରୋଟେକ୍ସନ ରୋଡ୍ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସୁଉଚ୍ଚ ବାଲି ସ୍ତୁପ ଅଞ୍ଚଳର ସୁରକ୍ଷା କବଚ ହୋଇ ରହିଥାଏ। ମାତ୍ର ଏହି ସ୍ତୁପ ଧସିବା ଆରମ୍ଭ କରିଥିବାରୁ ଢ଼ିଙ୍କିଆ ଚାରିଦେଶ ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି।
ତଥ୍ୟ ଅନୁଯାୟୀ, ଗତ କିଛି ବର୍ଷ ତଳେ କଂସାରୀ ପାଟିଆ ମୌଜା ନିକଟରେ ସମୁଦ୍ର କୂଳ ଲଂଘି ଲୁଣା ପାଣି ମାଡ଼ି ଆସିଥିଲା। ଫଳରେ ମାହାଳ, ତ୍ରିଲୋଚନପୁର, ରାଜା ପଡ଼ା ମୌଜା ନିକଟରେ ଲୁଣା ପାଣି ପହଞ୍ଚି ଥିଲା। ସେ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କ ପ୍ରଚେଷ୍ଟାରେ ବାଲି ବନ୍ଧ ନିର୍ମାଣ କରାଯାଇ ସମୁଦ୍ର ପାଣିକୁ ଅବରୋଧ କରାଯାଇଥିଲା। ବାତ୍ୟା, ଲଘୁଚାପ, ସୁନାମି ପ୍ରବଣ ଅଞ୍ଚଳ ଭାବରେ ଢିଙ୍କିଆ ଚାରିଦେଶର କେତେକ ମୌଜାକୁ ଘୋଷଣା କରାଯାଇଛି। ବର୍ତ୍ତମାନ ସ୍ଥିତିରେ ଢ଼ିଙ୍କିଆ ଚାରିଦେଶର ପନ୍ଦର ହଜାରରୁ ଅଧିକ ବାସିନ୍ଦାଙ୍କ ଧନ ଜୀବନ ପ୍ରତି ବିପଦ ବଢୁଥିବା ବେଳେ ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି ହେଉଛି।