ଉଗ୍ର ହେଉଛି ସମୁଦ୍ର

ପୁରୀ : ପୁରୀ ବେଳାଭୂମିରେ ଅଶାନ୍ତ ସମୁଦ୍ର ପୁଣି ଉଦ୍ଦାମ ରୂପ ଦେଖାଇଛି। କୂଳ ଲଂଘିବା ସହ କିଛି ବାଟ ଯାଏ ବେଳାଭୂମିକୁ ସମୁଦ୍ର ଗର୍ଭକୁ ନେଇଯାଇଛି। ଖାଲି ସେତିକି ନୁହେଁ, ବେଳାଭୂମିରେ ଥିବା ଦୈନିକ ମହୋଦଧି ଆଳତି ପିଣ୍ଡି ସହିତ ୧୫ରୁ ଅଧିକ ଦୋକାନ ବି ସମୁଦ୍ର ଗର୍ଭକୁ ଚାଲିଯାଇଛନ୍ତି। ସ୍ୱର୍ଗଦ୍ୱାର ସମ୍ମୁଖ ବେଳାମାର୍ଗ ରାସ୍ତାଠାରୁ ମାତ୍ର କିଛି ମିଟର ଦୂରରେ ସମୁଦ୍ରର ଏଭଳି ଭୟଙ୍କର ରୂପ ଦେଖି ସହରବାସୀ ଆତଙ୍କିତ ହୋଇ ପଡିଛନ୍ତି।

ଗତ କିଛି ଦିନ ଧରି ସମୁଦ୍ରର ଉତ୍ତାଳ ଢେଉ, ଜୁଆର ମାଡ଼ରେ ସ୍ୱର୍ଗଦ୍ୱାର ସମ୍ମୁଖ ବିସ୍ତ୍ରୀର୍ଣ୍ଣ ବେଳାଭୂମି ଶଯ୍ୟା ନଷ୍ଟ ହୋଇଚାଲିଛି। ଅଶାନ୍ତ ସମୁଦ୍ର ଏହା ମଧ୍ୟରେ ୩୦ରୁ ୩୫ ଫୁଟ୍‌ ଯାଏ ଆଗକୁ ମାଡ଼ି ଆସିଥିବା ବେଳେ ୫୦୦ ଫୁଟରୁ ଅଧିକ ଲମ୍ବର ବେଳାଭୂମିକୁ ଧୋଇନେଇଛି। ତିନି ଦିନ ତଳେ ଏକାଧିକ ଉଠା ଦୋକାନ ସମୁଦ୍ର ଗର୍ଭରେ ଭାସି ଯାଇଥିବା ବେଳେ ଆଜି ଆଳତି ପିଣ୍ଡି ସହ ୧୫ରୁ ଅଧିକ ଉଠା ଦୋକାନ ସମୁଦ୍ରରେ ଲୀନ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିଲା। କେହି କିଛି ଜାଣିବା ପୂର୍ବରୁ ଆଜି ୧୫ରୁ ଅଧିକ ଦୋକାନ ସମୁଦ୍ର ଗର୍ଭକୁ ଟାଣି ହୋଇ ଯାଇଥିଲା। ସେତେବେଳକୁ କେହି ଦୋକାନୀ ସେଠାରେ ନଥିଲେ। ପହଞ୍ଚିଲା ବେଳକୁ ଭାସି ଯାଇଥିବା ଦୋକାନର ଆଉ କିଛି ସତ୍ତା ନଥିଲା। ପ୍ରାୟ ସବୁଦିନ ସକାଳେ ସମୁଦ୍ର ଆଗକୁ ଆଗକୁ ମାଡ଼ି ଆସି ବେଳାଭୂମିକୁ ଧୋଇ ନେଉଛି। ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି। ଦୋକାନୀମାନେ ଭୟରେ ଦୋକାନ ସବୁ ବନ୍ଦ ରଖିଛନ୍ତି। ସେପଟେ ବେଳାମାର୍ଗ ରାସ୍ତାଠାରୁ ମାତ୍ର କେଇ ମିଟର ଦୂରରେ ସମୁଦ୍ର ଲହଡ଼ି ଭାଙ୍ଗୁଥିବା ବେଳେ ଏହା ବେଳାମାର୍ଗ ରାସ୍ତା ଓ ସ୍ୱର୍ଗଦ୍ୱାର ପ୍ରତି ବିପଦ ସୃଷ୍ଟି କରିଛି। ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମି ସବୁଠୁ ସମ୍ବେଦନଶୀଳ ଅବସ୍ଥାରେ ରହିଛି। ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଅଗଷ୍ଟ ୨୯ରେ ନୂଆଦିଲ୍ଲୀରୁ ଏକ ବିଶେଷଜ୍ଞ ଦଳ ଆସୁଛନ୍ତି। ଏହି ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ ପରେ ଯାହା କିଛି ପଦକ୍ଷେପ ନିଆଯିବ। ଏଭଳି ପରିସ୍ଥିତିରେ ବେଳାଭୂମି ଦୋକାନୀମାନେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର