କୂଳ ଲଙ୍ଘିଲା ସମୁଦ୍ର

ପୁରୀ : ପୁରୀ ବେଳାଭୂମିରେ ସମୁଦ୍ର କୂଳ ଲଙ୍ଘିଛି। ପ୍ରବଳ ଜୁଆରେ ମାଡ଼ରେ ପ୍ରାୟ ୧୫ରୁ ୨୦ ଫୁଟ୍‌ ଲମ୍ବ ଓ ୩୦୦ ଫୁଟ୍‌ରୁ ଅଧିକ ଓସାରର ବେଳାଭୂମି ସମୁଦ୍ର ଗର୍ଭକୁ ଚାଲିଯାଇଛି। ଏହା ବେଳାମାର୍ଗ ରାସ୍ତା, ସ୍ୱର୍ଗଦ୍ୱାର ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଦୈନନ୍ଦିନ ମହୋଦଧି ଆଳତି ପାଇଁ ସାମୟିକ ଭାବେ ସ୍ଥାନ ପରିବର୍ତ୍ତନ କରାଯାଇଛି। ସେପଟେ ଅଶାନ୍ତ ସମୁଦ୍ର ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଥିବା ଅସ୍ଥାୟୀ ଦୋକାନ ପ୍ରତି ବିପଦ ସୃଷ୍ଟି କରିଛି। କିଛି ଦୋକାନ ସମୁଦ୍ର ଜୁଆରରେ ଭାସି ଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ଦୋକାନୀଙ୍କ କହିବା ମୁତାବକ, ୧୦/୧୨ ଦିନ ହେଲା ସମୁଦ୍ର ଅଶାନ୍ତ ରୂପ ଧାରଣ କରିଛି। ପ୍ରବଳ ଜୁଆର ସହ ସୁଉଚ୍ଚ ଢେଉ କୂଳ ଖାଇବାରେ ଲାଗିଛି। ପ୍ରଥମରୁ କିଛିକାଂଶରେ ଏହା ବେଳାଭୂମିକୁ ଧୋଇ ନେଇଥିଲା। କିନ୍ତୁ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଜୁଆର ଓ ଢ଼େଉ ମାଡ଼ରେ ବେଳାଭୂମି ଖାଇଯିବା ସହ ୧୫ରୁ ୨୦ ଫୁଟ ଆଗକୁ ସମୁଦ୍ର ପାଣି ମାଡ଼ି ଆସିଛି। ବର୍ତମାନ ସମୁଦ୍ର ପାଣି ବେଳାମାର୍ଗ ରାସ୍ତାଠାରୁ ମାତ୍ର ୨୦ ଫୁଟ ଦୂରରେ ଥିବାବେଳେ ସ୍ୱର୍ଗଦ୍ୱାରଠାରୁ ମାତ୍ର ୫୦ ଫୁଟ ଦୂରରେ ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ଜୁଆର ବଢ଼ିବା ସହ ଉଚ୍ଚ ଢ଼େଉ ବେଳାମାର୍ଗକୁ ଖାଇଯିବ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସମୁଦ୍ର କୂଳ ଲଂଘୁଥିବାରୁ ବେଳାମାର୍ଗ ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲିଯାଉଛି। ସମୁଦ୍ର ପାଣି ଆଗକୁ ମାଡ଼ୁଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର