ବେଳାମାର୍ଗକୁ ବଢ଼ୁଛି ବିପଦ, ନଷ୍ଟ ହେଉଛି ସମୁଦ୍ର ତଟର ପରିବେଶ

କୋଣାର୍କ : ଗତ ଫନି ବାତ୍ୟା ପରଠାରୁ କୋଣାର୍କ-ପୁରୀ ବେଳାମାର୍ଗ ପାର୍ଶ୍ବରେ ଥିବା ବଙ୍ଗୋପସାଗର ଭୟଙ୍କର ରୂପ ପ୍ରଦର୍ଶନ କରୁଛି। ମୁହାଣ ଦେଇ କୁଶଭଦ୍ରା ନଦୀରେ ପୂର୍ବାପେକ୍ଷା ଅଧିକ ପାଣି ପଶିବା ଫଳରେ ବେଳାମାର୍ଗ ପାର୍ଶ୍ବରେ ଥିବା ପ୍ରାଚୀନ ରାମଚଣ୍ଡୀ ମନ୍ଦିର ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଏହାଛଡ଼ା କୁଶଭଦ୍ରା କୂଳରେ ଥିବା ଟିକନା, ଖାଲକଟାପାଟଣା ଗ୍ରାମ ସହିତ ଚନ୍ଦ୍ରଭାଗା ନୋଳିଆସାହି ବସ୍ତି ଅଧିକାଂଶ ସମୟରେ ଉଚ୍ଚ ଜୁଆରକୁ ସାମ୍ନା କରୁଛି। ଗତ ଅମାବାସ୍ୟା ତିଥିରେ ଚନ୍ଦ୍ରଭାଗାରେ ଲଗାତର ତିନିଦିନ ସମୁଦ୍ର ଅଶାନ୍ତ ରହିଥିଲା। ସମୁଦ୍ରରେ ପାଞ୍ଚ ଫୁଟରୁ ଅଧିକ ଜୁଆର ଆସିଥିଲା। ଫଳରେ ସମୁଦ୍ର କୂଳ ଲଙ୍ଘିଥିଲା। ବେଳାଭୂମିରୁ ବାଲି ଅତଡ଼ା ଖାଇବା ସମୁଦ୍ରକୁଳ ଠାରୁ ନିରାପଦ ଦୁରତାରେ ଥିବା ମତ୍ସ୍ୟଜୀବିଙ୍କ ଡ଼ଙ୍ଗା ପର୍ଯ୍ୟନ୍ତ ଆସିଥିଲା। ଆଜି ମଧ୍ୟ ପୁଣି ଚନ୍ଦ୍ରଭାଗା ବେଳାଭୂମିରେ ଉଚ୍ଚ ଜୁଆର ଭୟର ବାତାବରଣ ସୃଷ୍ଟି କରିଛି। ସହୁଖଣତା ନିକଟରେ ମାତ୍ର ଶହେ ମିଟର ଦୂରରେ ଥିବା ସୁରକ୍ଷା ପାଚେରୀ ସହିତ ରାମଚଣ୍ଡୀ ମନ୍ଦିରକୁ ସୁରକ୍ଷା ଦେଉଥିବା ସୁରକ୍ଷା ପାଚେରୀରେ ପ୍ରବଳ ବେଗରେ ମାଡ଼ ହେଉଛି। ଜୁଆର ମାଡ଼ରୁ ସୁରକ୍ଷା ଦେବା ପାଇଁ ପୂର୍ବରୁ ସାହୁଖଣତା ବୁଲାଣିରୁ କୁଶଭଦ୍ରା ନଦୀ କୂଳରେ ପ୍ରାୟ ୭୦୦ ମିଟର ଜିଓ ସିନ୍ଥେଟିକ ବନ୍ଧ କରାଯାଇଥିଲା। ମାତ୍ର ଏହା ‌ଏବେ ଜୁଆର ମାଡ଼ରେ ପ୍ରାୟ ନଷ୍ଟ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଟିକନା ଗ୍ରାମ ଠାରୁ ଚନ୍ଦ୍ରଭାଗା ନୋଳିଆସାହି ପର୍ଯ୍ୟନ୍ତ ଜିଓ ସିନ୍ଥେଟିକ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ସେହିପରି ଅସ୍ତରଙ୍ଗ ବ୍ଲକ୍‌ର ଛଅଟି ପଞ୍ଚାୟତ ପାଇଁ ବିପଦ ସାଜିଛି ସମୁଦ୍ର। ଦେବୀ ଓ କେଳୁଣୀ ନଦୀ ଏହି ବ୍ଲକ୍‌ରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛନ୍ତି। ଏହି ଦୁଇଟି ନଦୀ ଜୁଆରିଆ ରହୁଥିବାରୁ ସମୁଦ୍ରରେ ଉଚ୍ଚ ଜୁଆରବେଳେ ତଟବର୍ତୀ ଗ୍ରାମକୁ ଜୁଆର ମାଡ଼ିବା ଭୟ ରହିଥାଏ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲେ ଏହି ନଦୀ ଦ୍ବୟର ଶଯ୍ୟା ପୋତି ହେବାରେ ଲାଗିଥିବାରୁ ତଟବର୍ତୀ ଅଞ୍ଚଳକୁ ପୂର୍ବାପେକ୍ଷା ଅଧିକ ଜୁଆର ଭୟ ରହିଛି। ନଦୀର ଦୁଇ ପାର୍ଶ୍ବରେ ଅନେକ ସ୍ଥାନରେ ପଥର ପ୍ୟାକିଙ୍ଗ୍ ନ ଥିବାବେଳେ ଅବାଧ ଗଛ କଟା ଯୋଗୁଁ ଅତଡ଼ା ନଷ୍ଟ ହୋଇ ଗ୍ରାମ ପ୍ରତି ବିପଦ ସୃଷ୍ଟି କରୁଛି।

ଅସ୍ତରଙ୍ଗ ଅଞ୍ଚଳରେ ଏକର ଏକର ଜମିରେ ବେଆଇନ ଭାବେ କରାଯାଇଥିବା ଚିଙ୍ଗୁଡ଼ି ଘେରି ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଲୁଣା ବନ୍ଧ ଧ୍ବଂସ ପାଉଛି। ଏହାଛଡ଼ା ଲୁଣା ଜଙ୍ଗଲ ଧ୍ବଂସ ପାଉଥିବାରୁ ପରିବେଶବିତ୍‌ମାନେ ଆଗକୁ ବାତ୍ୟା ସମୟରେ ଜୁଆର ଭୟ ଅଧିକ ରହିବ ବୋଲି ଆଶଙ୍କା କରୁଛନ୍ତି। ବିଶେଷକରି ଅସ୍ତରଙ୍ଗ ବ୍ଲକ୍‌ର ଛଅଟି ପଞ୍ଚାୟତ – ଶିଶୁଅ, ଛୁରିଆନା, ମାଣ୍ଡୁକି, କୋରଣା, ନଗର, ନୂଆଗଡ଼ ପ୍ରତି ସର୍ବଦା ଜୁଆର ଭୟ ରହିଛି। ୧୯୯୯ ମହାବାତ୍ୟାରେ ଏହି ଅଞ୍ଚଳରେ ଜୁଆର ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏହାର ଭୟାବହତା ଏବେ ସୁଦ୍ଧା ଲୋକଙ୍କ ମନରୁ ଲିଭି ନାହିଁ। ଗତ ବାତ୍ୟାରେ ଜୁଆର ଜନିତ ବିପଦ ଦେଖା ଯାଇ ନଥିଲେ ମଧ୍ୟ ସମୁଦ୍ର ତଟୀୟ ପରିବେଶର ଜରୁରୀକାଳୀନ ଭିତ୍ତିରେ ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନେକ ସମୟରେ ଉଚ୍ଚ ଜୁଆର ମାଡିଆସି ତଳିଆ ଅଞ୍ଚଳରେ ଲୁଣାପାଣି ପଶୁଛି।

ସମ୍ବନ୍ଧିତ ଖବର