ବାଲେଶ୍ବର : ପରିବେଶ ବିଜ୍ଞାନୀଙ୍କ ମତରେ ଲବଣାକ୍ତ ସମୁଦ୍ର ବେଳାଭୂମିରେ ଘାସ କିମ୍ବା ତଦ୍ଜାତୀୟ ଗୁଳ୍ମ ଦେଖାଯିବା ଏକ ବିରଳ ଘଟଣା। କିନ୍ତୁ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସାମୁଦ୍ରିକ ବେଳାଭୂମିରେ ଏବେ ବିଭିନ୍ନ ଘାସଜାତୀୟ ଗଛ ମାଡ଼ିଗଲାଣି। ଆଗକୁ ଯଦି ସମୁଦ୍ର ପାଣି ନିୟମିତ ଭାବେ କୂଳକୁ ନଆସେ, ତା ହେଲେ ଏହି ବିସ୍ତ୍ରିଣ୍ଣ ବେଳାଭୂମି ଘାସପଡ଼ିଆରେ ପରିଣତ ହେବ ବୋଲି ପରିବେଶବିତମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଚାନ୍ଦିପୁର ବେଳାଭୂମି ଅଞ୍ଚଳରେ ପୂର୍ବରୁ କେବେ ବି ଘାସଜାତୀୟ ଗଛ ଦେଖିବାକୁ ମିଳିନଥିଲା। ସମୁଦ୍ର ବେଳାଭୂମିରେ ଘାସ କଅଁଳୁ ନଥିବା ବେଳେ ଏବେ ଚାନ୍ଦିପୁରଠୁ ଆରମ୍ଭ କରି ନଦୀମୁହାଣ ବଳରାମଗଡ଼ି, ନାଉପାଳଗଡ଼ି ଅଞ୍ଚଳ ସବୁଜ ଘାସରେ ଆଚ୍ଛାଦିତ ହୋଇଗଲାଣି। ସମୁଦ୍ର କୂଳେ କୂଳେ ଘାସ ଉଠୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ସମୁଦ୍ରକୂଳକୁ ପ୍ରତିଦିନ ଜୁଆର ଆସୁଥିଲା। ଲୋକେ ସମୁଦ୍ରର ଉତ୍ତାଳ ଢେଉ ଦେଖିବା ଲାଗି ସଞ୍ଜ ଯାଏ ଅପେକ୍ଷା କରୁଥିଲେ। ଏବେ କାଁଭାଁ କେତେବେଳେ କେମିତି, ନହେଲେ କେବଳ ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ଜୁଆର ଆସୁଛି। ନିୟମିତ ଜୁଆର ଆସୁନଥିବାରୁ ମାଟିର ଲବଣାକ୍ତ ଭାଗ କମୁଛି ଓ ତାର ପ୍ରଭାବରେ ଘାସ ଉଠୁଥିବା ଅନୁମାନ କରାଯାଉଛି।
ଏ ସଂପର୍କରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ପ୍ରଫେସର ସୂର୍ଯେନ୍ଦୁ ଦେ କହିଛନ୍ତି, ଚାନ୍ଦିପୁର ବେଳାଭୂମିରେ ଘାସ ଉଠିବା ଏକ ବିରଳ ଘଟଣା। କାରଣ ଅନ୍ୟ ସମସ୍ତ ସାମୁଦ୍ରିକ ବେଳାଭୂମି ଅପେକ୍ଷା ଏହା ଏକ ସମତଳ ବେଳାଭୂମି। ସମୁଦ୍ରର ଜୁଆର ପ୍ରତିଦିନ କୂଳ ଛୁଇଁ ପୁଣି ଗଭୀର ସମୁଦ୍ରକୁ ଫେରି ଯାଇଥାଏ। ସମୁଦ୍ରର ଲୁଣାପାଣିରେ ଘାସଜାତୀୟ ଗଛ କି ଗୁଳ୍ମ ଉଠିବା ସମ୍ଭବ ନୁହେଁ। ଯଦି ଏପରି ହୋଇଥିବ, ତା ହେଲେ ଏହା ମଧ୍ୟ ଏକ ଶୁଭ ସଙ୍କେତ। ଲୁଣିଜଳରେ କେଉଁ ପ୍ରକାର ଘାସ ବଢ଼ୁଛି, ସେ ସଂପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏଥିସହିତ ଚାନ୍ଦିପୁର ବେଳାଭୂମି ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନରେ ବା ମାଟିରେ ଏକ ସୁନ୍ଦର ଉଦ୍ୟାନର ବ୍ୟବସ୍ଥା କରାଯାଇପାରିବ।
ସେହିପରି ବିଶିଷ୍ଟ ଗବେଷକ ତଥା ପ୍ରାଣୀବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ଦାସ କହିଛନ୍ତି, ଚାନ୍ଦିପୁର ବେଳାଭୂମିରେ ବର୍ତ୍ତମାନ ଯେଉଁ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଛି, ତାହା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କୁହାଯାଇପାରିବ। ଏହାଛଡ଼ା ଏବେ ବିଭିନ୍ନ ସମୟରେ ଯେଉଁ ସାମୁଦ୍ରିକ ଝଡ଼ବାତ୍ୟା ସୃଷ୍ଟି ହେଉଛି, ସେଥିରେ କେଉଁଠି ସମୁଦ୍ର ଜୁଆର ସ୍ଥଳଭାଗକୁ ଅଧିକ ମାଡ଼ିଯାଉଛି ତ କେଉଁଠି ଘୁଞ୍ଚି ଘୁଞ୍ଚି ଯାଉଛି। ଯେଉଁଠି ଜୁଆର ଅଧିକ ଭିତରକୁ ଘୁଞ୍ଚିଯାଉଛି ସେଠାରେ ଲଗାତାର ବର୍ଷା ହୋଇ ସେ ମାଟିରୁ ଲବଣ ଭାଗ କମିଯାଉଛି ଓ ମଧୁରଜଳ ଓ ପଟୁମାଟି ପ୍ରଭାବରେ ସେଠି ବିଭିନ୍ନ ପ୍ରକାର ଗଛ ଉଠୁଛି। ଆମ ପରମ୍ପରା ଅନୁସାରେ ବିଭିନ୍ନ ସମୟରେ ଲୋକେ ସମୁଦ୍ରରେ ପୂଜାପାଠ କରିବାକୁ ଆସିଥାନ୍ତି। ପୂଜା ପାଇଁ ସେମାନେ ଆଣିଥିବା ଦୁବଘାସ, ଧାନ ଓ ବିଭିନ୍ନ ପ୍ରକାର ଶସ୍ୟ ସେଠାରେ ବ୍ୟବହାର କରାଯାଇଥାଏ। ସେଗୁଡ଼ିକ ଯେତେ ପର୍ଯ୍ୟନ୍ତ ଲୁଣି ଜୁଆର ପ୍ରଭାବରେ ରହିଥାଏ, ସେତେ ଯାଏ ଗଜା ହୋଇନଥାଏ। ଏବେ ଯଦି ସମୁଦ୍ର ଭିତରକୁ ଘୁଞ୍ଚି ଯାଇଥିବ, ତାହେଲେ ବେଳାଭୂମି ବାଲି ଓ ମାଟିରୁ ଲବଣ ଭାଗ ହ୍ରାସ ପାଇଥିବ। ଯେଉଁଥି ପାଇଁ ସେ ଅଞ୍ଚଳରେ ଘାସ ଉଠୁଛି। ତେବେ ଏହା ଉପରେ ଅଧିକ ଗବେଷଣା ଓ ପରୀକ୍ଷାନିରୀକ୍ଷାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।