ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି। ଅପରାହ୍ଣ ସୁଦ୍ଧା ଘଣ୍ଟାପ୍ରତି ୨୦ କିମି ବେଗରେ ଗତି କରୁଥିବା ଏହି ଅବପାତ ବାଂଲାଦେଶର ଖେପୁପରାଠାରୁ ୭୩୦ ଓ ପଶ୍ଚିମବଙ୍ଗର କାନ୍ନିଙ୍ଗ୍ଠାରୁ ୭୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରିବା ସହ ୨୫ ତାରିଖ ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ବାତ୍ୟା(ରେମାଲ)ରେ ପରିଣତ ହେବ। ଏହି ସମୟରେ ପବନର ବେଗ ୬୦ରୁ ୭୦ କିମି ଏବଂ ସ୍ଥଳ ବିଶେଷରେ ୮୦ କିମି ଛୁଇଁପାରେ। ସେହିଦିନ ରାତି ବେଳକୁ ଏହା ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବ। ସେତେବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ କିମି ଅତିକ୍ରମ କରିଥିବ। ପରେ ଉତ୍ତର ଦିଗରେ ଗତି କରି ୨୬ ତାରିଖ ମଧ୍ୟରାତିରେ ଭୀଷଣ ବାତ୍ୟା ରୂପରେ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳର ସାଗର ଦ୍ୱୀପ ଓ ଖେପୁପରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ସେତେବେଳକୁ ପବନର ବେଗ ୧୧୦ରୁ ୧୨୦ କିମି
ରହିଥିବ। ମଝିରେ ମଝିରେ ପବନର ବେଗ ୧୩୫ କିମି ଛୁଇଁବାର ସମ୍ଭାବନା ରହିଛି। ୨୭ ତାରିଖ ସନ୍ଧ୍ୟା ବେଳକୁ ପବନର ବେଗ ହ୍ରାସ ପାଇବା ସହ ବାତ୍ୟା ରୂପ ନେବ। ୨୮ ତାରିଖ ସକାଳ ବେଳକୁ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହି ଭୀଷଣ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତେବେ ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୨୫ ତାରିଖ ସନ୍ଧ୍ୟାଠାରୁ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ଓ ବେଳେ ବେଳେ ଏହା ୬୦ କିମି ଛୁଇଁପାରେ। ଧୀରେ ଧୀରେ ପବନର ବେଗ ବୃଦ୍ଧି ପାଇ ୨୬ ତାରିଖ ସକାଳଠାରୁ ୨୭ ତାରିଖ ସକାଳ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ ୮୦ କିମି ବେଗରେ ପବନ ବହିବ। ଏହାର ପ୍ରଭାବରେ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗର ଅଶାନ୍ତ ରହିବ। ୨୫ ଓ ୨୬ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୨୫ରୁ ୨୭ ତାରିଖ ସକାଳ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଧିକରୁ ଅଧିକ ଅଶାନ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ୨୫ ଓ ୨୬ ତାରିଖରେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା(୭ରୁ ୨୦ ସେମି) ହୋଇପାରେ। ୨୬ ତାରିଖ ସକାଳଠାରୁ ୨୭ ତାରିଖ ସକାଳ ମଧ୍ୟରେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା(୭ରୁ ୧୨ ସେମି) ଏବଂ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି। ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ବାତ୍ୟା ଉପରେ ନଜର ରଖିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ, କୌଣସି ପ୍ରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବାନୁମାନ ଅନୁଯାୟୀ ଶନିବାର ସକାଳେ ବାତ୍ୟା ଓ ରବିବାର ଭୀଷଣ ବାତ୍ୟା ରୂପ ନେବ। ୨୫ ତାରିଖରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଉପରବେଳା ପୁରୀରେ ସାମାନ୍ୟ ବର୍ଷା ହୋଇପାରେ। ୨୬ ତାରିଖରେ ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ସଂଲଗ୍ନ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ପବନ ବହିବ। ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ଦେଇ ଥାଇଲାଣ୍ଡ ଓ ଏହାର ପୂର୍ବକୁ ଯାଉଥିଲା। ଶୁକ୍ରବାରଠାରୁ ଏହା ଉତ୍ତର ଆଡ଼କୁ ଯାଉଛି ଏବଂ ବଙ୍ଗୋପସାଗରକୁ ପୂର୍ବାପବନ ମଧ୍ୟ ଆସୁଛି। ଫଳରେ ମୌସୁମୀର ବଙ୍ଗୋପସାଗରୀୟ ଶାଖା ଦୂର୍ବଳ ହେବ ଏବଂ ରାଜ୍ୟକୁ ମୌସୁମୀ ପ୍ରବେଶ ବିଳମ୍ବ ହେବ। ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଜାରି ରହିଥିବା ଗରମ ବଜାୟ ରହିବ। ୨୮ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବଢ଼ିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ୪୪ ଡିଗ୍ରିରୁ ଅଧିକ ରହିବାକୁ ଥିବା ବେଳେ ଭୁବନେଶ୍ବରରେ ୪୨ ଡିଗ୍ରି ଛୁଇଁପାରେ।
ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବଲାଙ୍ଗୀରରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଟିଟିଲାଗଡ଼ରେ ୪୧, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୫, ନୂଆପଡ଼ାରେ ୪୦.୪ ଡିଗ୍ରି ରହିଥିଲା। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନଗୁଡ଼ିକର ତାପମାତ୍ରା ୩୭ରୁ ୪୦ ଡିଗ୍ରି ମଧ୍ୟରେ ରହିଛି।