କୁଜଙ୍ଗ: ମହାନଦୀ ଇଲିସି ଏବେ ସାତ ସପନ। ପୂର୍ବଭଳି ପାରାଦୀପ ନିକଟରେ ଇଲିସି ଆଉ ମିଳୁନି। ପ୍ରଦୂଷଣ ହେତୁ ପାରାଦୀପ ଓ କୁଜଙ୍ଗ ଉପକୂଳ ଅଞ୍ଚଳରେ ମତ୍ସ୍ୟ ଉତ୍ପାଦନ ଗୁରୁତର ଭାବେ ହ୍ରାସ ପାଇଛି। ବିଭିନ୍ନ ଶିଳ୍ପସଂସ୍ଥା ତଥା ଅନୁଷ୍ଠାନର ବର୍ଜ୍ୟବସ୍ତୁ ମହାନଦୀରେ ମିଶିବା ଫଳରେ ମାଛ ପରିମାଣ କମୁଛନ୍ତି। ମହାନଦୀ ମୁହାଣ ଅଞ୍ଚଳରେ ମିଳୁଥିବା ରୋହି, ଭାକୁର, ଖଏଙ୍ଗା, ଇଲିସି ଭଳି ମାଛ ଆଉ ପୂର୍ବ ଭଳି ମିଳୁନାହିଁ। ଏଭଳି ସ୍ଥିତିରେ ବର୍ଷବର୍ଷ ଧରି ମହାନଦୀରୁ ମଧୁର ଜଳ ମତ୍ସ୍ୟ ସମ୍ପଦ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିବା ଲୋକେ ଜୀବିକା ହରାଇଛନ୍ତି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ଏରସମା, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା, ମାର୍ଶାଘାଇ ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ମୁଖ୍ୟତଃ ମହାନଦୀରୁ ମାଛ ମାରିଥାନ୍ତି।
ମହାନଦୀର ମଧୁର ଜଳରୁ ରୋହୀ,ଭାକୁର, ଖଏଙ୍ଗା, ଇଲିସି ଆଦି ବିଭିନ୍ନ ପ୍ରଜାତିର ମାଛ ପ୍ରଚୁର ପରିମାଣରେ ପୂର୍ବରୁ ମିଳୁଥିବା ବେଳେ କିଛି ପ୍ରଜାତିର ମାଛ ସମୁଦ୍ରରୁ ନଦୀକୁ ଚାଲି ଆସିଥାନ୍ତି। କୁଜଙ୍ଗ ବ୍ଲକର ଗଣ୍ତକିପୁର, କାଳିଆପାଟ, ଫତେପୁର, ମଙ୍ଗରାଜପୁର, ବିଶ୍ବାଳୀ, ଭୂତମୁଣ୍ତାଇ, ହସିଣା, ବଳରାମପୁର, ଜିଲ୍ଲାନାସୀ, ଜୟଶଙ୍ଖପୁର, ତେନ୍ତୁଲିଆଖମାର, ତାଳଦଣ୍ତା, ପାରାଦୀପଗଡ, ନୂଆଗଡ, ବାଲିଡ଼ିଆ, ଚଉମୁହାଁଣି, ସିଙ୍ଗିଟାଳୀ, ବଗଦିଆ, ଡାଳିମ୍ବପୁର ଆଦି ଗ୍ରାମର କୈବର୍ତ୍ତମାନେ ମହାନଦୀରୁ ମାଛମାରି ଜିବୀକା ନିର୍ବାହ କରିଥାନ୍ତି। କିନ୍ତୁ ବିଭିନ୍ନ ଶିଳ୍ପସଂସ୍ଥା, କଳକାରଖାନାର ବର୍ଜ୍ୟବସ୍ତ୍ତୁ ପାଇଁ ମହାନଦୀ ମୁହାଁଣ ପ୍ରଦୂଷିତ ହେବାରେ ଲାଗିଛି। ଏହା ଦ୍ବାରା ସମୁଦ୍ରରୁ ନଦୀକୁ ଆଉ ମାଛ ଆସୁ ନାହାନ୍ତି। ମହାନଦୀରେ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଇ ଚାଲିଛି। ଏବେ କାଁଭାଁ ସମୁଦ୍ର ଇଲିସି ଅଠରବାଙ୍କୀ ବାଲିପ୍ଲଟ ଓ ପାରାଦୀପ ମାଛଧରା ବନ୍ଦରରେ ମିଳୁଛି। ପାରାଦୀପ ଓ କୁଜଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ମହାନଦୀ ଓ ସମୁଦ୍ରର ପ୍ରଦୂଷଣ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନ ନେଲେ ମତ୍ସ୍ୟ ସଂପଦ ଲୋପ ପାଇବା ସହ ଅଞ୍ଚଳର ଅର୍ଥନୀତି ଭୁଶୁଡ଼ି ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/sfhsffhsfhfsh.jpg)