ନିର୍ମାଣ ହେଉନି ସୁରକ୍ଷା ପ୍ରାଚୀର : ଗାଁ ଦାଣ୍ତରେ ଲହଡ଼ି ଭାଙ୍ଗୁଛି ସମୁଦ୍ର ଜୁଆର, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ‌ଲୋକେ

ଗାଁ ଭିତରେ ଜୁଆର ପାଣି ପଶି ଭାଙ୍ଗୁଛି ଘରଦ୍ୱାର, ପାଣିରେ ପଶି ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

ବ୍ରହ୍ମଗିରି : ଚିଲିକାର ପ୍ରାକୃତିକ ମୁହାଣ ବାଟ ଦେଇ ସମୁଦ୍ର ଜୁଆର ଜନବସତିକୁ ମାଡ଼ିଆସୁଛି। ବିଶେଷ କରି ଅମାବାସ୍ୟା ଓ ପୂର୍ଣ୍ଣିମାରେ ଜୁଆର ଗାଁ ଦାଣ୍ତରେ ଲହଡ଼ି ଭାଙ୍ଗୁଛି। ଲୋକେ ଆଣ୍ଠୁଏ ପାଣିରେ ପଶି ଯାତାୟାତ କରୁଛନ୍ତି। ଗାଁ ଭିତରେ ଜୁଆର ପାଣି ପଶି ଘରଦ୍ବାର ଭାଙ୍ଗୁଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ କାମ ଶେଷ ହୋଇନାହିଁ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଚିଲିକାରେ ପ୍ରାକୃତିକ ଉପାୟରେ ୬ଟି ମୁହାଣ ମେଲି ସାରିଛି। ଉପକୂଳ ଜନବସତିକୁ ଜୁଆର ଦାଉରୁ ସୁରକ୍ଷା ଦେବାକୁ ୨୦୧୧ ମସିହାରୁ ସାତପଡାଠାରୁ ଗାଁ ପର୍ଯ୍ୟନ୍ତ ଦୀର୍ଘ ୨୬ କିଲୋମିଟର ସୁରକ୍ଷା ପ୍ରାଚୀର ନିର୍ମାଣ କାମ ଆରମ୍ଭ ହୋଇଛି। ୨୬ କୋଟି ଟଙ୍କା ବ୍ୟୟରେ ଏହି ସୁରକ୍ଷା ପ୍ରାଚୀର ନିର୍ମାଣ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମାତ୍ର ୩ କିଲୋମିଟର କାମ ଶେଷ ହୋଇଛି। ବାକି ୨୩ କିଲୋମିଟର କାମ ଆରମ୍ଭ ହୋଇନାହିଁ। ବାରମ୍ବାର ଜନବସତିରେ ଜୁଆର ପାଣି ପଶି ବ୍ୟାପକ କ୍ଷୟକ୍ଷତି କରୁଛି। ଘରଦ୍ବାର ଭାଙ୍ଗିବା ସହିତ ଧନଜୀବନ ନଷ୍ଟ କରୁଛି। ଜୁଆର ପାଣି ଅରଖକୁଦା ଗାଁର ହରଚଣ୍ତୀ ସାହି ଭିତରେ ପଶି ଲହଡ଼ି ଭାଙ୍ଗୁଛି। ଏମିତିକି ଗାଁ ଦାଣ୍ତରେ ଡଙ୍ଗା ଚାଲୁଛି। ପିଲାମାନେ ଜୁଆର ପାଣିରେ ପଶି ସ୍କୁଲ୍‌ ଯାଉଛନ୍ତି। ମାତ୍ର ଗାଁ ପାଖରେ ଆଜି ସୁଦ୍ଧା ସୁରକ୍ଷା ପ୍ରାଚୀର କିମ୍ବା କଲଭର୍ଟ ନିର୍ମାଣ ହୋଇନାହିଁ। ଏହି ଅଞ୍ଚଳ ଚିଲିକା କୂଳକୁ ଲାଗି ରହିଥିବା ବେଳେ ସମୁଦ୍ରର ଏପରି ଅଶାନ୍ତ ରୂପ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏମିତିକି ରାତିରେ ଶୋଇଥିବା ବେଳେ ଜୁଆର ପାଣି ଘର ଭିତରକୁ ମାଡ଼ି ଆସୁଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଗାଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର