ଛତ୍ରପୁର/ବ୍ରହ୍ମପୁର:‌ ଦୁଇଦିନିଆ ଗଞ୍ଜାମଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍‌  (ଆଇଆର୍‌ଇଏଲ୍‌) ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ କରିବା ଦିଗରେ ଏକ ଅଲବଣୀକରଣ ‘ସି ୱାଟର୍‌ ରିଜର୍ଭ ଓସ୍ମୋସିସ୍‌’ (ଏସ୍‌ଡବ୍ଲ୍ୟୁଆର୍‌ଓ) ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ଏହି ୱାଟର୍‌ ୟୁନିଟ୍‌ ପରିଦର୍ଶନ କରିବା ସହ ପାଣି ବିଶୋଧନ ପରେ ତା’ର ସ୍ୱାଦ ମଧ୍ୟ ଚାଖିଥିଲେ। ସେ କହିଛନ୍ତି, ଆଜି ଯେଉଁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ତାହା ସାମୁଦ୍ରିକ ଲୁଣି ପାଣିକୁ ମଧୁର ଜଳରେ ପରିଣତ କରିବ। ଗଞ୍ଜାମ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଲୋକେ ବିଭିନ୍ନ ପ୍ରକାର ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମୁଦ୍ର ନିକଟତର ଥିବାରୁ ଭୂତଳ ଜଳରେ ଲୁଣିଆସ୍ତର ଅଧିକ ଏବଂ ସୀମିତ ମଧୁର ଜଳ ସମ୍ପଦ ଯୋଗୁ ସ୍ୱଚ୍ଛ ପାନୀୟଜଳ ମିଳିବାରେ ସମସ୍ୟା ହେଉଛି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଜଳ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାଜିବ। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିବ। ଆଜିର ପଦକ୍ଷେପ ପାଇଁ ସୁସ୍ଥ ସମାଜ ଗଠନ କରିବା ତଥା ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଆଇଆର୍‌ଇଏଲ୍‌କୁ ସେ ଧନ୍ୟବାଦ ଜଣାଇଛନ୍ତି।

Advertisment

ଆଇଆର୍‌ଇଏଲ୍‌ରେ ଅଲବଣୀକରଣ ଏସ୍‌ଡବ୍ଲ୍ୟୁଆର୍‌ଓ ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ 
ପ୍ରଥମ ପର୍ଯ୍ୟାୟରେ ମାଟିଖାଲ, ଆର୍ଯ୍ୟପଲ୍ଲୀକୁ ଜଳ ଯୋଗାଣ

ଇସ୍ରାଇଲ ଯେପରି ଲୁଣି ପାଣିକୁ ବିଶୁଦ୍ଧ କରି ବ୍ୟାପକ ଭାବେ ତାହାକୁ କାମରେ ଲଗାଉଛି, ଏଠାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମାଟିଖାଲ, ଆର୍ଯ୍ୟପଲ୍ଲୀ ଅଞ୍ଚଳର ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ କରାଯିବ। ଏଥିପାଇଁ ପ୍ରତି ଜଳ ଲିଟର ପିଛା ମାତ୍ର ୧୧ ପଇସା ଖର୍ଚ୍ଚ ହେବ। ଆମ ରାଜ୍ୟ ଓଡ଼ିଶାରେ ୪୫୦ କିମି ସମୁଦ୍ର ତଟ ଅଛି। ତଟବର୍ତ୍ତୀ ଅଞ୍ଚଳରେ ବିଶୁଦ୍ଧ ପାଣିର ସମସ୍ୟା ଥାଏ। ସେ ଦିଗରେ ଆଜି ଆଇଆର୍‌ଇଏଲ୍‌ ତରଫରୁ ସିଏସ୍‌ଆର୍‌ ପ୍ରକଳ୍ପ ଅଧୀନରେ ଆଖପାଖ ଗାଁକୁ ପାଣିର ବ୍ୟବସ୍ଥା କରାଯିବା ଏକ ସାଧୁ ଉଦ୍ୟମ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି। ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଆଇ୍‌ଆର୍‌ଇଏଲର ସିଏମ୍‌ଡି ଶାରଦା ଭୂଷଣ ମହାନ୍ତି, ସିଜିଏମ୍‌ ଏଚଆରଏମ୍‌ ଶ୍ରୀରାୟ ଭର୍ଗିଶ ଏବଂ ଓସକମ ମୁଖ୍ୟ ସିଭିଆର୍‌ ମୂର୍ତ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।